ରଥ ତିଆରିରେ ପାରଙ୍ଗମ ଆସିକାର ବିଶ୍ୱକର୍ମା କାରିଗର ଶିବବ୍ରତ
ଆସିକା (ୱାଇଏନ୍ଏସ୍): ଆଜି ଅର୍ଥାତ୍ ୧୬ ତାରିଖ ଗୁରବାର ଦିନ ଅନୁଷ୍ଠିତ ହେବ ମହାପ୍ରଭୂ ବିଶ୍ୱନିୟନ୍ତାଙ୍କ ପବିତ୍ର ଘୋଷଯାତ୍ରା । ଶ୍ରୀବିଗ୍ରହମାନେ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ନିଜସ୍ୱ ମନ୍ଦିରରୁ ବାହାରି ରଥାରୁଢ ହୋଇ ମାଉସୀ ମା ମନ୍ଦିର ଅଭିମୁଖେ ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଯାତ୍ରା କରିବେ । କାହିଁ କେଉଁ ଆବାହମାନ କାଳରୁ ଆସିକା ପୌର ପରିଷଦ ଅଧୀନସ୍ଥ ୯ ନମ୍ବର ୱାର୍ଡର ସୁନାମ୍ବ ରଥଦାଣ୍ଡ ସାହିରେ ପବିତ୍ର ଋଷିକୁଲ୍ୟା ନଦୀତଟରେ ପୂଜା ପାଇଆସୁଥିବା ଜଗତକର୍ତ୍ତା ଜଗନ୍ନାଥଙ୍କ ଘୋଷଯାତ୍ରାକୁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ନୀତିକାନ୍ତି ଅନୁଯାୟୀ ପାଳନ କରିବା ସକାଶେ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ତଥା ବରିଷ୍ଠ ଆଇନଜୀବୀ ନାରାୟଣ ମୁନିଙ୍କ ତତ୍ତ୍ୱାବଧାନ ଓ ସ୍ଥାନୀୟ ଅଞ୍ଚଳବାସୀ, ଉତ୍ସାହ ଯୁବପିଢୀ, ସଚେତନ ନାଗରିକ, ଶ୍ରଦ୍ଧାଳୁ ଭକ୍ତଙ୍କ ସହଯୋଗ ସାଙ୍ଗକୁ ଆଧ୍ୟାତ୍ମିକପ୍ରେମୀ ପ୍ରଫୁଲ କୁମାର ମହାପାତ୍ର, ନୀଳମାଧବ ଦାଶ, କାଶୀନାଥ ବେହେରା, ଅଶୋକ କୁମାର ପାଣିଗ୍ରାହୀ, କାହ୍ନଚରଣ ପଣ୍ଡାଙ୍କ ସମେତ ବହୁ ଅଧ୍ୟାତ୍ମିକପ୍ରେମୀ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଛି । ମହାପ୍ରଭୂ ଜଗନ୍ନାଥଙ୍କ ପାଇଁ ନିଜକୁ ସଂପୁର୍ଣ୍ଣ ରୂପେ ସମର୍ପି ଦେଇ ରଥଯାତ୍ରା ଆସିଲେ ରଥ ତିଆରିରେ ଏକମନ ଏକପ୍ରାଣରେ ନିଜର ସହଯୋଗୀମାନଙ୍କୁ ନେଇ ରଥ ତିଆରିରେ ନିମଗ୍ନ ରହୁଛନ୍ତି ଅଭିଜ୍ଞ ବିଶ୍ୱକର୍ମା କାରିଗର ଶିବବ୍ରତ ମହାରଣା (ଟିକି) । ଆସିକା ପୌର ପରିଷଦ ଅଧୀନସ୍ଥ ତାଲୁକା ରୋଡ ଅଞ୍ଚଳର ଜଣାଶୁଣା ରଥ ତିଆରି କାରିଗର ସ୍ୱର୍ଗତ କାଶୀନାଥ ମହାରଣାଙ୍କ ଦେହାନ୍ତ ପରେ ତାଙ୍କ ସୁପୁତ୍ର ଶିବବ୍ରତ ମହାରଣା (ଟିକି) ଦୀର୍ଘ ପ୍ରାୟ ୧୮ ବର୍ଷ ହେଲା ଭାବର ଠାକୁର ଶ୍ରୀ ଜଗନ୍ନାଥଙ୍କ ରଥ ତିଆରି ପାଇଁ ଘୋଷଯାତ୍ରା ସମୟରେ ଆଗେଇ ଆସୁଥିବା ଦେଖିବାକୁ ମିଳୁଛି । ଶ୍ରୀ ଗୁଣ୍ଡିଚା ଯାତ୍ରାର କିଛି ଦିନ ପୂର୍ବରୁୁ ନିଜ ସହଯୋଗୀମାନଙ୍କୁ ଧରି ଅଭିଜ୍ଞ ତଥା ପାରଙ୍ଗମ ରଥ ତିଆରି କାରିଗର ଶିବବ୍ରତ ମହାରଣା ଦିନରାତି ବୁଲି ଏକମନ ଏକପ୍ରାଣରେ ରଥ ତିଆରିରେ ନିମଗ୍ନ ରହୁଥିବା ବେଳେ ବାହୁଡା ଯାତ୍ରା ଶେଷ ପରେ ରଥର କାଠକୁ ଅଲଗା ଅଲଗା କରିବାରେ ସେ ସଂପୁର୍ଣ୍ଣ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଅଭିଜ୍ଞ ରଥତିଆରି ବିଶ୍ୱକର୍ମା କାରିଗର ଶିବବ୍ରତ ମହାରଣାଙ୍କ ପିତା ସ୍ୱର୍ଗତ କାଶୀନାଥ ମହାରଣା ମଧ୍ୟ ଅତୀତରେ ରଥା ତିଆରି ପାଇଁ ଆସିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନଜିର ରହିଛି । ଯେଉଁ ରଥରେ ବସି ମହାପ୍ରଭୂ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତାଙ୍କରି ଆଶୀର୍ବାଦରେ ରଥନିର୍ମାଣ କାର୍ଯ୍ୟ ଅତି ସହଜ ହେଉଛି ବୋଲି ବିଶ୍ୱକର୍ମା କାରିଗର ଶିବବ୍ରତ ମହାରଣା ପ୍ରକାଶ କରିଛନ୍ତି । ଘୋଷଯାତ୍ରା ସମୟରେ ରଥ ନିର୍ମାଣ କାମ କରି ତାଙ୍କୁ ବେଶି ଆନନ୍ଦ ମିଳୁଥିବା ବେଳେ ନିଜକୁ ଜଗତ କର୍ତ୍ତା ଜଗନ୍ନାଥଙ୍କ ନିକଟରେ ସମର୍ପି ଦେଇ ପ୍ରତ୍ୟେକ ବର୍ଷ ରଥକାମ କରିଥାନ୍ତି । ପ୍ରାପ୍ୟ ଯେତିକି ମିଳୁନା କାହିଁକି ସେ କେବେବି ସୁନାମ୍ବ ସାହି ରଥନିର୍ମାଣ କାମରେ ଅବହେଳା କରିନାହାନ୍ତି । କେବେ ରଥଯାତ୍ରା ଆସିବ ଓ ଜଗତସାଇଁଙ୍କ ପାଇଁ ସେ ସହଯୋଗୀମାନଙ୍କ ସହାୟତାରେ ରଥ ନିର୍ମାଣ କରିବେ ସେହି ଦିନଟିକୁ ପ୍ରତ୍ୟେକ ବର୍ଷ ଅପେକ୍ଷା କରିବସିଥାନ୍ତି । ଭାବ ଆଉ ଭକ୍ତିର ସହକାରେ ଚଳିତବର୍ଷ ରଥ ନିର୍ମାଣ କରିଛନ୍ତି ଅଭିଜ୍ଞ ବିଶ୍ୱକର୍ମା କାରିଗର ଶିବବ୍ରତ ମହାରଣା (ଟିକି) । ପ୍ରଭୂଙ୍କ ପାଇଁ ରଥଗଢା କାର୍ଯ୍ୟ ତାଙ୍କୁ ବିଶେଷ ଖୁସି ଦେଉଥିବାରୁ ସେ ଅତି ଆଗ୍ରହର ସହକାରେ ପ୍ରତ୍ୟେକ ବର୍ଷ ସୁନାମ୍ବ ସାହି ଜଗନ୍ନାଥ ମନ୍ଦିରର ରଥ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି ।


