୨୮ ବର୍ଷ ପରେ ଅସ୍ତରଙ୍ଗରରେ ଗଡିଲା ରଥ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଆକାଶ ମେଘା ଛନ କିନ୍ତୁ ଅସ୍ତରଙ୍ଗର ହୃଦୟ ଆନନ୍ଦରେ ଝଲସୁଛି। ୨୮ ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ପୁଣ୍ୟ ପୀଠ ଅସ୍ତରଙ୍ଗର ମାଟିରେ ଗଡିଲା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଗୋଟିଏ ଦିବ୍ୟ ରଥ। ଶଙ୍ଖନାଦ ଆଉ “ଜୟ ଜଗନ୍ନାଥ” ଉଲ୍ଲାସରେ କମ୍ପିଲା ଦିଗଦିଗନ୍ତ। ଏହା କେବଳ ଏକ ଉତ୍ସବ ନୁହେଁ, ଏହା ଶ୍ରଦ୍ଧାର ମହାପର୍ବ। ପ୍ରଭାତରୁ ହିଁ ପବିତ୍ର ହୋଇଉଠିଥିଲା ବାଟୁଆ ଗାଦି। ମଧ୍ୟାହ୍ନ ୧୨ ଘଟିକାରେ ଶାସ୍ତ୍ରୀୟ ବିଧିରେ ସମ୍ପନ୍ନ ହେଲା ପହଣ୍ଡି ବିଜେ। ତ୍ରିରତ୍ନ ରଥାରୂଢ ହେବା ପରେ ଅପରାହ୍ନ ୨ ଘଟିକାରେ ଅସ୍ତରଙ୍ଗ ପୌରପତି ବାମଦେବ ସାହୁଙ୍କ ଦ୍ଵାରା ଛେରା ପହଁରା ସମ୍ପନ୍ନ ହେବା ସହିତ ଆରମ୍ଭ ହେଲା ସେହି ଐତିହାସିକ ମୁହୂର୍ତ୍ତ। ଶତାଧିକ ଭକ୍ତଙ୍କ ଉପସ୍ଥିତିରେ ଟଣାଗଲା ମହାପ୍ରଭୁଙ୍କ ରଥ। କାଳିଆଙ୍କ ଦର୍ଶନରେ ଆର୍ଦ୍ର ହୋଇଗଲା ସହସ୍ର ଭକ୍ତଙ୍କ ଲୋଚନ। ରଥଯାତ୍ରା କମିଟି, ଅସ୍ତରଙ୍ଗର ଅକ୍ଲାନ୍ତ ପରିଶ୍ରମ ଓ ମୁଖ୍ୟ ଶିଳ୍ପୀ ବୃନ୍ଦାବନ ମହାରଣାଙ୍କ କାରିଗରୀରେ ନିର୍ମିତ ୨୧ ଫୁଟ ଉଚ୍ଚର ଏହି ଦିବ୍ୟ ରଥ ବାଟୁଆ ଗାଦିରୁ ବାହାରି ଅସ୍ତରଙ୍ଗ ବଜାର ପରିକ୍ରମା କରି ପହଞ୍ଚିଲା ଭଗବତୀ ମନ୍ଦିର ସମ୍ମୁଖ ଅସ୍ଥାୟୀ ଗୁଣ୍ଡିଚାରେ। ପ୍ରତି ଗୃହ ତୋରଣରେ ସଜେଇ, ପ୍ରତି ରାସ୍ତାପଥ ରଙ୍ଗୋଲିରେ ରଞ୍ଜିତ ହୋଇଥିଲା। ରଥର ପ୍ରତି କାଷ୍ଠଖଣ୍ଡରେ ଖୋଦିତ ହୋଇଛି ଏକ ଯୁଗର ବ୍ୟଥା ଓ ଆଶା। କମିଟି ଉପଦେଷ୍ଟା ବରିଷ୍ଠ ନାଗରିକ ରବୀନ୍ଦ୍ର ମହାନ୍ତି ଗଦଗଦ କଣ୍ଠରେ କୁହନ୍ତି, ୧୯୯୭ରେ ମା ମଙ୍ଗଳାଙ୍କ ଶ୍ରୀଚରଣରେ ଆଜ୍ଞାମାଳ ପାଇଥିଲୁ। କିନ୍ତୁ ମହାବାତ୍ୟା ସବୁ ସ୍ଵପ୍ନ ଚୂରମାର କରିଦେଲା। ଆଜି ମା ପୁଣି ଆଜ୍ଞା ଦେଲେ। ଏହା ଆମର ରଥ ନୁହେଁ, ଏହା ମା ମଙ୍ଗଳାଙ୍କ ରଥ। କେବଳ ଅସ୍ତରଙ୍ଗ ନୁହେଁ, ଆଜି ସମଗ୍ରଅସ୍ତରଙ୍ଗ ବ୍ଲକ ଶ୍ରଦ୍ଧାରେ ନିମଗ୍ନ ଥିଲା। ଶତାବ୍ଦୀ ପ୍ରାଚୀନ ବନ୍ତିଲୋ ଜଗନ୍ନାଥ ମନ୍ଦିରଠୁ ଆରମ୍ଭ କରି ବରଡି, ଓଳିହା ଐଶାନେଶ୍ୱର, ନଗର ପଶ୍ଚିମେଶ୍ୱର ପର୍ଯ୍ୟନ୍ତ ସବୁଠି ଗଡିଲା ରଥ। କୁନି କୁନି ପିଲାମାନେ ନିଜ କରକମଳରେ କ୍ଷୁଦ୍ର ରଥ ଟାଣି ଭକ୍ତିର ପରିଚୟ ଦେଲେ। ଆଜି ଅସ୍ତରଙ୍ଗ କେବଳ ଏକ ବ୍ଲକ ନୁହେଁ। ଆଜି ଅସ୍ତରଙ୍ଗ ହେଉଛି ଶ୍ରୀକ୍ଷେତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମା ମଙ୍ଗଳାଙ୍କ ଆଶୀର୍ବାଦ ଆଉ ମହାପ୍ରଭୁଙ୍କ କରୁଣାରେ ସାକାର ହେଲା ପିଢି ପର ପିଢିର ଆକାଂକ୍ଷା। ଶ୍ରଦ୍ଧା ଥିଲେ ପ୍ରଭୁ ନିଶ୍ଚୟ ଆସନ୍ତି ଏଇଆ ହିଁ ଆଜି ଅସ୍ତରଙ୍ଗ ପ୍ରମାଣ କଲା।


