ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ
ପାତ୍ରପୁର,(ରବୀନ୍ଦ୍ର କୁମାର ମିଶ୍ର): ଓଡ଼ିଶାର ପ୍ରସିଦ୍ଧ ସାରଥି ଧାମ ଭାବେ ପରିଚିତ ପାତ୍ରପୁର ବ୍ଲକର ଜରଡାଗଡ଼ରେ ଗୁଣ୍ଡିଚା ଯାତ୍ରା ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଛି। ଗଞ୍ଜାମ, ଗଜପତି ସହ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ କୋଡିଏ ହଜାରରୁ ଅଧିକ ଭକ୍ତ ଯାତ୍ରାରେ ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ଯାତ୍ରାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପୂର୍ବଦିନ ପରିଚାଳନା କମିଟି ପକ୍ଷରୁ ଆଲୋଚନା ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ପ୍ରଭୁଙ୍କ ପୂଜା, ଧୂପ, ମଇଲମ ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବା ପରେ ହଜାର ହଜାର ଭକ୍ତ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଅନେକ ଭକ୍ତ ଦହି-ଲିଆ ସମର୍ପଣ କରିଥିବା ବେଳେ ଅନେକ ମାନସିକଧାରୀ ଭକ୍ତ ନିଜ ସନ୍ତାନଙ୍କର ମୁଣ୍ଡନ ସଂସ୍କାର ମଧ୍ୟ ସମ୍ପନ୍ନ କରିଥିଲେ। ଦର୍ଶନ ପର୍ବ ଶେଷ ହେବା ପରେ ଶଙ୍ଖ, କାହାଳୀ, ସଂକୀର୍ତ୍ତନ ଓ ହୁଳହୁଳି ଧ୍ୱନି ମଧ୍ୟରେ ପ୍ରଭୁଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ଜରଡା ରାଜା ଶ୍ରୀ ଦୀପକ କୁମାର ଦେବ ପାରମ୍ପରିକ ଛେରାପହଁରା ନୀତି ସମ୍ପନ୍ନ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଜୟ ଜଗନ୍ନାଥ ଓ ଜୟ ସାରଥି ଗୋସାଇଁ” ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।ପାତ୍ରପୁର ତହସିଲଦାର ଅଶୋକ କୁମାର ପଟ୍ଟନାୟକ ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ମନ୍ଦିର ପରିଚାଳନା କମିଟି, ପୁଲିସ ପ୍ରଶାସନ ଓ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସମଗ୍ର ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ଏହାଛଡ଼ା ତୁମ୍ବା, ନୂଆଗଡ଼, ପଦାଦିଗି, ଜୟନ୍ତୀପୁର, ଭ୍ରମରପୁର, ଗୋପୀନାଥପୁର, ସୁରଙ୍ଗୀଗଡ଼ ଓ ପାତ୍ରପୁର ସମେତ ବିଭିନ୍ନ ଅଞ୍ଚଳରେ ମଧ୍ୟ ଗୁଣ୍ଡିଚା ଯାତ୍ରା ଧୁମଧାମରେ ପାଳିତ ହୋଇଛି। ଆନ୍ଧ୍ର ପ୍ରଦେଶର ମଞ୍ଜୁଷା, କାବେଟି, ଇଚ୍ଛାପୁର, ଟେକିଲି, ବାରୁଆ ଓ ସୋମପେଟା ସମେତ ପାହାଡ଼ିଆ ଅଞ୍ଚଳର ବହୁ ଆଦିବାସୀ ପରିବାର ଯାତ୍ରାରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ।


