ରଥଯାତ୍ରା ପାଳିତ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପକ୍ଷରୁ ୨୨ତମ ରଥଯାତ୍ରା ଗୁରୁବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀଉମାନଙ୍କ ନୀତିକାନ୍ତି ଭୋର ୪ଟା ବେଳେ ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ପୂର୍ବାହ୍ନ ସାଢ଼େ ୧୦ ଟାରେ ମହାପ୍ରଭୁଙ୍କ ରଥଯାତ୍ରା କାଳୀନ ଖେଚୁଡ଼ି ଭୋଗ ଲାଗିବା ପରେ ମଇଲମ ଓ ସେନାପଟାଲାଗି, ଟାହିଆଲାଗି ହୋଇଥିଲା । ମନ୍ଦିରର ପାଟ ପୁରୋହିତ ପଣ୍ଡିତ ଗତିକୃଷ୍ଣ ମିଶ୍ର ଶର୍ମା ଓ ସହାୟକ ରଞ୍ଜିତ ଦାଶ ଶର୍ମା ରଥ ପ୍ରତିଷ୍ଠା କରିବା ପରେ ବୈଦିକ ରୀତିରେ ମଙ୍ଗଳାର୍ପଣ କରିବା ପରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ ଟାରେ ଠାକୁରମାନଙ୍କୁ ବିଭିନ୍ନ ବାଦ୍ୟ ବାଜଣା, ହରିବୋଲ, ହୁଳହୁଳି ଧ୍ବନି ପହଣ୍ଡି ବିଜେ କରାଯାଇଥିଲା I ପ୍ରଥମେ ଶ୍ରୀ ସୁଦର୍ଶନ ଓ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା ।ପରେ ଠାକୁରମାନଙ୍କୁ ସୁବେଶରେ ସଜ୍ଜିତ କରାଯାଇଥିଲା। ବିରାଟ ପଟୁଆରରେ ରାଜ ନଅର ଠାରୁ ମନ୍ଦିର ସେବାଧିପତି ଜଗନ୍ନାଥ ସାହୁ ରଥ ନିକଟରେ ପହଞ୍ଚି ପୁରୋହିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ପରେ ରଥରେ ଛେରାପହଁରା କରିଥିଲେ । ସାରଥୀ ଉପବେଶନ, ଅଶ୍ବଯୋଚା ଓ ଦଉଡ଼ି ବନ୍ଧନ ପ୍ରକ୍ରିୟା ପରେ ଅପରାହ୍ନ ପ୍ରାୟ ସାଢେ ୪ଟାରେ ତହସିଲଦାର ତପନ କୁମାର ମହାପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି, ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେଣିଆ, ପୌରାଧ୍ୟକ୍ଷ ସୁବାସ ପୋଲେଇ, ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ଦାଶଙ୍କ ଦ୍ବାରା ରଥ ଟଣାର ଶୁଭାରମ୍ଭ କରାଯାଇଥିଲା । ସେବାଧିପତିଙ୍କ ଉଆସ ସମ୍ମୁଖରେ ପାରମ୍ପରିକ ପୂଜାର୍ଚ୍ଚନା ସକାଶେ କିଛି ସମୟ ପାଇଁ ରଥ ଅଟକି ରହିଥିଲା। ପୂଜାର୍ଚ୍ଚନା ପରେ ପୁଣି ଥରେ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ୬ ଟାରେ ରଥ ମିନି ଷ୍ଟାଡିୟମ ପରିସରସ୍ଥ ଅସ୍ଥାୟୀ ଗୁଣ୍ଡିଚା ମଣ୍ଡପ ନିକଟରେ ପହଞ୍ଚିଥିଲା । ସାନ୍ଧ୍ୟ ଆଳତି ଓ ମୁକ୍ତ ଦର୍ଶନ ପରେ ରାତ୍ର ପ୍ରାୟ ୧୦ ଟାରେ ଚତୁର୍ଦ୍ଧାମୂର୍ତି ଦିଅଁ ମାନେ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରିଥିଲେ । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର, କୈଳାସ ସାବତ, ହରିହର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ, ମନୋଜ ପାଢି, ମନମୋହନ ଦାଶ, ପ୍ୟାରୀ ମୋହନ ପାଢି, ଶିଶିର ପଣ୍ଡା, ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ସୁଦର୍ଶନ ପାଣିଗ୍ରାହୀ, ଯୁଗଳ ପଣ୍ଡା, ଯୋଗିନ୍ଦ୍ର ପାଣିଗ୍ରାହୀ, ଟୁଟୁ ମୁନି, ରାକେଶ ସାବତ, ଜଗନ୍ନାଥ ଚୌଧୁରୀ, କିଶୋର ଚୌଧୁରୀ, ରଥଯାତ୍ରା ଓ ଗୁଣ୍ଡିଚା ଯାତ୍ରା କମିଟି ସଦସ୍ୟ, ତ୍ରିରଙ୍ଗା ସେବା ସଙ୍ଘ କମିଟି ସଦସ୍ୟ, ମନ୍ଦିର ସେଛାସେବୀ ପ୍ରମୁଖ ରଥଯାତ୍ରା ପରିଚାଳନାରେ ଅଂଶଗ୍ରହଣ କରିଥିଲେ ।
ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରାଞ୍ଚଳ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ଅନୁଷ୍ଠିତ ରଥଯାତ୍ରାରେ ହିଞ୍ଜିଳିକାଟୁ ରାଜା ସାହେବ ଲଲାଟେନ୍ଦୁ କେଶରୀ ଭଞ୍ଜଦେଓ ଛେରାପହଁରା କରିବା ପରେ ଗୁରୁବାର ସକାଳ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ସେହିପରି ପାଟଣା ସାହି ଜଗନ୍ନାଥଙ୍କ ମନ୍ଦିର ପକ୍ଷରୁ ଆୟୋଜିତ ରଥଯାତ୍ରାରେ ତହସିଲଦାର ତପନ କୁମାର ମହାପାତ୍ର ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ବୁରୁପଡ଼ା, ସାରୁ, କଞ୍ଚୁରୁ, ମକରଝୋଳ, ଦୁର୍ବନ୍ଧ, ଶାସନଆମ୍ବଗାଁ ସମେତ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମରେ ରଥଯାତ୍ରା ମହାଆଡ଼ମ୍ବର ସହକାରେ ରଥଯାତ୍ରା ପାଳିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଦିଗରେ ପୁଲିସ ବାହିନୀ, ତ୍ରିରଙ୍ଗା ସେବା ସଂଘ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଦସ୍ୟ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ