ଲଗାଣ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଫସଲ କ୍ଷତିପୁରଣ ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ, (ଓ୍ବାଇଏନଏସ):ଗତ କିଛିଦିନ ହେବ ଲଗାଣ ବର୍ଷା ଯୋଗୁ ଜଗତସିଂହପୁର ନାଉଗାଁ ବ୍ଳକରେ ଫସଲ ହାନି ସହ ଧାନ ତଳି ନଷ୍ଟ ହୋଇଛି। ତେଣୁ ଚାଷୀଙ୍କୁ ଫସଲ ହାନିର କ୍ଷତିପୁରଣ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ଓ ବ୍ଳକର ଚାଷୀମାନେ ତହସିଲଦାରଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ମୁତାବକ ଚାଷୀମାନେ ଧାନ ରୋଇବା ପାଇଁ ତଳି ଘେରା ପ୍ରସ୍ତୁତ କରି ତଳି ପକା କାର୍ଯ୍ୟ ସାରିଥିଲେ। ବର୍ଷା ଯୋଗୁ ତଳି ଘେରାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି। ଯାହାଫଳରେ ଧାନ ତଳି ସବୁ ନଷ୍ଟ ହୋଇଯାଇଛି। ଚାଷୀ ନିକଟରେ ପୁନର୍ବାର ଧାନ ବିହନ କ୍ରୟ କରି ତଳି ପକାଇବା ସମ୍ଭବ ନୁହେଁ। ସେହିପରି ଚାଷ ପୂର୍ବରୁ କଳା ବଜାରରେ ସାର ଚଢା ଦରରେ ବିକ୍ରି କରାଯାଇଛି। ବର୍ତମାନ ସରକାରୀ ସିକୃତି ପ୍ରାପ୍ତ ଦୋକାନ କିମ୍ବା ସୋସାଇଟି ମାନଙ୍କୁ ସାର ପ୍ରଦାନ କରାଯାଇନାହିଁ। ଡି.ଏ.ପି ବଦଳରେ ଚାଷୀକୁ ଅନ୍ୟ ସାର ନେବା ପାଇଁ ବାଧ୍ୟ କରାଯାଉଛି। ଜିଲାରେ ସାର କାରଖାନା ଥାଇ ମଧ୍ୟ ଚାଷୀ ବାହାର ରାଜ୍ୟର ସାରକୁ ଅଧିକ ଟଙ୍କା ଦେଇ ସାର କ୍ରୟ କରିବାକୁ ବାଧ୍ୟ ହେଉଛି। ଚାଷ ଜମିରେ ଜମି ରହିଥିବା ଉଦବୃତ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଯାହାଫଳରେ ଚାଷୀ ହତାଶ ପଡିଛନ୍ତି। ଚାଷ ଜମିରୁ ଉଦବୃତ ଜଳ ଅଗ୍ରାଧିକାର ଭିତିରେ ନିଷ୍କାସନ କରାଯାଉ,ଚାଷୀଙ୍କୁ ମାଗଣା ଧାନ ବିହନ ଅତି ଶୀଘ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦେବା,ଖୋଲା ବଜାରରେ ସାର ଓ କଳା ବଜାରୀ ଅପମିଶ୍ରଣ ରୋକିବା, ପର୍ଯ୍ୟାପ୍ତ ପରିମାଣରେ ଫସଫରସ ସାର ଯୋଗାଇ ଦେବା ଆଦି ଦାବି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବିପତ୍ରକୁ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ,ଚାଷୀ ନବକିଶୋର ମହାନ୍ତି, କୈଳାସ ଚନ୍ଦ୍ର ପରିଡା, ପ୍ରଫୁଲ୍ଲ କୁମାର ପରିଡା, ସରୋଜ ନାୟକ, ସୁଦିପ୍ତ ଜେନା, ବିଜୟ କୁମାର ମହାନ୍ତି ଆଦି ତହସିଲଦାର ଅକ୍ଷୟ କୁମାର ବଡୁଙ୍କୁ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ