ଶିଶୁ ଆଧ୍ୟାତ୍ମିକପ୍ରେମୀ ଭକ୍ତ ଟାଣିଲେ କୁନିରଥ

ଆସିକା (ୱାଇଏନ୍‍ଏସ୍‍) : ପବିତ୍ର ରଥଯାତ୍ରା ପାଇଁ ଗତକାଲି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ଓ ଚଳଚଞ୍ଚଳ ହୋଇଉଠିଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ୬ ନମ୍ବର ୱାର୍ଡର ଆଧ୍ୟାତ୍ମିକପ୍ରେମୀ ମହିଳା ମିନତୀ ମହାନ୍ତିଙ୍କ ସୁପୁତ୍ର ପ୍ରତ୍ୟୁଲ୍‍ ପଟ୍ଟନାୟକ ନିଜ ହାତରେ ତିଆରି କରିଥିବା କୁନି ରଥ ଶ୍ରଦ୍ଧାଳୁ ଭକ୍ତଙ୍କ ମନ ଜିଣିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳର ଅନ୍ୟତମ ପ୍ରମୁଖ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ରୂପେ ପରିଚିତ ଥିବା ୧୫ ନମ୍ବର ୱାର୍ଡର ରେଡିକା ସାହିର ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଷଷ୍ଠ ଶ୍ରେଣୀର ଛାତ୍ର ପ୍ରତ୍ୟୁଲ୍‍ ପଟ୍ଟନାୟକ ଶିକ୍ଷାନୁଷ୍ଠାନର ସଂପାଦକ ହିମାଂଶୁ କରଙ୍କ ପ୍ରେରଣାରେ ଦୀର୍ଘ ପ୍ରାୟ ୧୫ ଦିନ କଠିନ ପରିଶ୍ରମ ପୂର୍ବକ କାଳିଆ ସାଅନ୍ତଙ୍କ ରଥଯାତ୍ରା ପାଇଁ ଏହି କୁନି ରଥ ନିର୍ମାଣ କରିଥିଲେ । ମେଧାବୀ ବିଦ୍ୟାର୍ଥୀ ପ୍ରତ୍ୟୁଲ୍‍ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଆକର୍ଷଣୀୟ ସୁସଜ୍ଜିତ କୁନି ରଥରେ ବିରାଜମାନ କରିଥିବା ବ୍ରହ୍ମାଣ୍ଡକର୍ତ୍ତାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଆସିକା ସହରର ବଜାର ସାହିର ଶିଶୁଭକ୍ତ ପ୍ରତ୍ୟୁଲ୍‍ ପଟ୍ଟନାୟକ ଅତି ସୁନ୍ଦର କୁନିରଥ ତିଆରି କରି ଜଗତକର୍ତ୍ତା କାଳିଆ ଠାକୁରଙ୍କ ବିଗ୍ରହକୁ ବିରାଜିତ କରାଇ ଜୟ ଜଗନ୍ନାଥ ଧ୍ୱନୀ ଦେଇ ସାହିବସ୍ତି ପରିକ୍ରମା କରିଥିବା ବେଳେ କୁନିଶିଶୁ ଭକ୍ତ ପ୍ରତ୍ୟୁଲ୍‍ଙ୍କ ଏଭଳି ନିଆରା ରଥଟଣା ଆସିକା ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଶିଶୁ ଆଧ୍ୟାତ୍ମିକପ୍ରେମୀ ଭକ୍ତ ପ୍ରତ୍ୟୁଲ୍‍ ପଟ୍ଟନାୟକ ବେଶ୍‍ ଉତ୍ସାହର ସହ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ଜଗତକର୍ତ୍ତା ଜଗନ୍ନାଥଙ୍କ ବିଗ୍ରହକୁ ରଥାରୁଢ କରି ଜୟ ଜଗନ୍ନାଥ ଧ୍ୱନୀ ଦେଇ ରଥଟଣା କାର୍ଯ୍ୟ କରିଥିଲେ । ବିଶ୍ୱନିୟନ୍ତାଙ୍କ କୁନିରଥଟଣାରେ ଆସିକା ସହର ତଥା ଆଖପାଖ ସାହିବସ୍ତିର ବହୁ ଆଧ୍ୟାତ୍ମିକପ୍ରେମୀ ଶିଶୁ ସାମିଲ୍‍ ହୋଇଥିବା ଦେଖିବାକୁ ମିଳିଥିଲା । ଶିଶୁ ଆଧ୍ୟାତ୍ମିକପ୍ରେମୀ ଭକ୍ତ ପ୍ରତ୍ୟୁଲ୍‍ ପଟ୍ଟନାୟକଙ୍କ ଏହା ଜଗତକର୍ତ୍ତା ଶ୍ରୀଜଗନ୍ନାଥଙ୍କୁ ଭଲ ପାଇବାର ଅପୂର୍ବ ଓ ଅବର୍ଣ୍ଣନୀୟ ନିଦର୍ଶନ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ