କାଳିଆ ସାଅନ୍ତଙ୍କ ମତ୍ସ୍ୟ ଅବତାର ବେଶଦର୍ଶନ କରି ଭକ୍ତ ବିମୋହିତ
ଆସିକା (ୱାଇଏନ୍ଏସ୍): ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଜଗତରନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ରଥ ଉପରେ ତିନି ଠାକୁରଙ୍କ ସମସ୍ତ ନୀତି ଶେଷ ହେବା ପରେ ବିଭିନ୍ନ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ଓ ସେବାୟତମାନେ ଗୋଟିପହଣ୍ଡିରେ ପ୍ରଥମେ ସୁଦର୍ଶନ ମହାପ୍ରଭୁଙ୍କ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କୁ ପହଣ୍ଡିରେ ନେଇ ଆଡପ ମଣ୍ଡପରେ ବିଜେ କରାଇଥିଲେ । ଆଡପ ମଣ୍ଡପରେ ପୂଜା ପାଉଥିବା କାଳିଆ ସାଅନ୍ତଙ୍କ ଶୁକ୍ରବାର ମତ୍ସ୍ୟ ଅବତାର ବେଶ ଦର୍ଶନ କରି ଭକ୍ତ ବିମୋହିତ ହୋଇପଡିଥିଲା ବେଳେ ମନ୍ଦିର ଗୁଡିକ ଶଙ୍ଖ, ଘଣ୍ଟ, ମୃଦଙ୍ଗ ଧ୍ୱନିରେ ଫାଟିପଡୁଥିବା ଲକ୍ଷ୍ୟ କରାଯାଇଥିଲା । ନବଦିନ ବ୍ୟାପୀ ଘୋଷଯାତ୍ରାର ପ୍ରଥମ ଦିବସରେ ଶ୍ରୀଜିଉ ମତ୍ସ୍ୟ ଅବତାର ବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆସିକା ପୌର ପରିଷଦ ଅଧିନସ୍ଥ ଲାଲାଗୋର୍ଜୀ ଛକ, ଖମ୍ବେଶ୍ୱରୀପାଟଣା, ଚିନିଶିଳ୍ପ ନୁଆଗାଁ, ବଜାରସାହି, କାଳଷଣ୍ଢପୁର, ଦାମୋଦରପଲ୍ଲୀ, ନଳବଣ୍ଟା, କେନ୍ଦୁପଦର, ଗହଙ୍ଗୁ, କମାଗଡ, ପିତଳ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଆଡପ ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସଂନ୍ଧ୍ୟା ଆଳତୀ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ଲାଗି ଆଡପ ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା, କାହାଳୀ, ଜୟ ଜଗନ୍ନାଥ ଧ୍ୱନିରେ ଆଡପ ମଣ୍ଡପ ପରିବେଶ ପ୍ରକମ୍ପିତ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ରତ୍ନବେଦି ଛାଡି ମାନବୀୟ ଲୀଳା କରିବାକୁ ଆଡପ ମଣ୍ଡପରେ ବିଜେ ହୋଇଛନ୍ତି ବିଶ୍ୱନିୟନ୍ତା । ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଅପଲକ ନୟନରେ କାଳିଆ ସାଅନ୍ତଙ୍କ ମତ୍ସ୍ୟ ଅବତାର ବେଶକୁ ଦର୍ଶନ କରି ବିମୋହିତ ହୋଇପଡିଥିଲା ବେଳେ ଆଡପ ମଣ୍ଡପ ଗୁଡିକ ସନ୍ଧ୍ୟା ଆଳତୀ ସମୟରେ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇପଡୁଥିବା ଦେଖିବାକୁ ମିଳିଥିଲା । ଭକ୍ତ ଓ ଭଗବାନଙ୍କ ଏହି ଦିବ୍ୟ ମିଳନର ସାକ୍ଷୀ ସାଜିଥିଲା ଆଡପ ମଣ୍ଡପ । ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଗୋର୍ଜି ଛକ ସ୍ଥିତ ଆଡପ ମଣ୍ଡପରେ ପୂଜା ପାଉଥିବା ବିଶ୍ୱନିୟନ୍ତାଙ୍କ ନବଦିନାତ୍ମକ ଯାତ୍ରାକୁ ବିଧିବିଧାନ ଅନୁଯାୟୀ ସୁପରିଳନା କରିବା ଦିଗରେ ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ତଥା ବରିଷ୍ଠ ଆଇନଜୀବୀ ନାରାୟଣ ମୁନି, ସେବାୟତ ନୀଳମାଧବ ଦାଶ, ମନୋଜ କୁମାର ଦାଶ, ଉପେନ୍ଦ୍ରନାଥ ଦାଶ, ସୁରେନ୍ଦ୍ରନାଥ ଦାଶ, ରବିନ୍ଦ୍ର ଦାଶ, ଜିତେନ୍ଦ୍ର ଦାଶ, ରାଜେନ୍ଦ୍ର ଦାଶ, ସୁଶାନ୍ତ ଦାଶ, ରଂଜିତ୍ ଦାଶ, ନରହରି ପଣ୍ଡା, ନୀଳମଣି ପଣ୍ଡା, କାହ୍ନୁଚରଣ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ରାମ ପଣ୍ଡା, ମନୋଜ କୁମାର ପଣ୍ଡା, ଶୁଭମ୍ ଦାଶଙ୍କ ସମେତ ବହୁ ଅଧ୍ୟାତ୍ମିକପ୍ରେମୀ ଓ ଶ୍ରଦ୍ଧାଳୁ ଭକ୍ତ ଆଗେଇ ଆସିଥିବା ଦେଖିବାକୁ ମିଳିଛି ।


