ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭା କକ୍ଷରେ ଶନିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଜୁଲାଇ ୨୦ ସୋମବାର ଏବଂ ୨୧ ମଙ୍ଗଳବାର ଦୁଇଦିନ ଧରି ଦିଗପହଣ୍ଡି ବଜାର ସାହି ଗାନ୍ଧୀ ଛକରେ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ କୁ ସର୍ବାନ୍ତକରଣରେ ସଫଳ କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜ୍ୟର ବିଭିନ୍ନ ଅଞ୍ଚଳ ରୁ ବହୁ ସଂଖ୍ୟକ ଲୋକନୃତ୍ୟ ଦଳ ଏହି ମହୋତ୍ସବ ରେ ଯୋଗ ଦେଇଥିବାରୁ ୨ ଦିନ ଦିଗପହଣ୍ଡି ଦୁଲୁକି ଉଠିବ। ଏନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରାଯିବା ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଲୋକକଳାର ପ୍ରଚାର ପ୍ରସାର ସହ ଖେମୁଣ୍ଡି ମାଟିର ଐତିହ୍ୟକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ନିମନ୍ତେ ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ବିଧାୟକ କହିଥିଲେ। ପଦ୍ମଶ୍ରୀ ପ୍ରହଲ୍ଲାଦ ନାଟକ ଗୁରୁ ସିମାଞ୍ଚଳ ପାତ୍ର ଙ୍କ ସମେତ ବହୁ ବିଶିଷ୍ଟ କଳାକାର ମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯିବ। ସମସ୍ତ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କିତ ନିଷ୍ପତ୍ତି ଗୁଡିକର ଅଗ୍ରଗତି ନେଇ ବୈଠକରେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ମହୋତ୍ସବର ପ୍ରଥମ ଦିନରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ , ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ଏମ.ପି ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ନାୟକ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ଏବଂ ଦ୍ଵିତୀୟ ଦିବସ ରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଏହି ମହୋତ୍ସବ ରେ ଯୋଗଦେବାପାଇଁ ସ୍ଵୀକୃତି ପ୍ରଦାନ କରିଛନ୍ତି। ବୈଠକରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ସଭାପତି ବିଶ୍ୱନାଥ ସାହୁ, ମହୋତ୍ସବ କମିଟି ସମ୍ପାଦକ ଆଲୋକ ବିଷୋୟୀ, କୋଷାଧ୍ୟକ୍ଷ ରଘୁନାଥ ପାଣିଗ୍ରାହୀ, କାର୍ଯ୍ୟକର୍ତ୍ତା ଆଇନଜୀବି କୁରେଶୁ ପଣ୍ଡା,ଅଶେଷ ନାଥ ମିଶ୍ର,ହର ପ୍ରସାଦ ରଥ,ରବୀନ୍ଦ୍ର ନାଥ ଡାକୁଆ ଙ୍କ ସମେତ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ବହୁ ସଦସ୍ୟ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


