ପ୍ରତିଷ୍ଠିତ ଶିଳ୍ପରେ ସ୍ଥାନୀୟ ଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ କଲା କଂଗ୍ରେସ
ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁର ଉପକଣ୍ଠରେ ଥିବା ଆଇ. ଆର୍. ଇ. ଏଲ୍. ଓ ଗୋପାଳପୁର ବନ୍ଦର ଭଳି ପ୍ରତିଷ୍ଠିତ ଶିଳ୍ପରେ ସ୍ଥାନୀୟ ଯୁବତୀ ଯୁବକଙ୍କୁ ସ୍ଥାୟୀ ନିଯକ୍ତି ଏବଂ ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଚାରାରୋପଣ ନିମନ୍ତେ ଛତ୍ରପୁର ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପୌରପରିଷଦ ର ସଭାପତି କାଳିଆ ରାଉଳଙ୍କ ନେତୃତ୍ୱ ରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଦୀର୍ଘ ବର୍ଷ ଧରି ଆଇ. ଆର୍. ଇ. ଏଲ୍. ଶିଳ୍ପ କମ୍ପାନୀ ଏବଂ ଗୋପଲପୁର ବନ୍ଦର ଅନେକ ଦଶନ୍ଧି ଧରି କାର୍ଯ୍ୟ କରି ଆସୁଛନ୍ତି। ବିଗତ କିଛି ବର୍ଷ ହେଲା କମ୍ପାନୀ ସ୍ଥାନୀୟ ଯୁବତୀ ଯୁବକଙ୍କୁ ନିଯୁକ୍ତି ନ ଦେଇ ବାହାର ଜିଲ୍ଲା ଓ ରାଜ୍ୟ ର ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉଛି । ଯାହା ଫଳରେ ଦକ୍ଷତା ହାସଲ କରିଥିବା ସ୍ଥାନୀୟ ଯୁବତୀ ଯୁବକ ଏହି ସୁଯୋଗ ପାଇ ପାରୁନାହାଁନ୍ତି। ତେଣୁ ସ୍ଥାୟୀ ନିଯୁକ୍ତି ନିମନ୍ତେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ପ୍ରାଧାନ୍ୟ ଦେବା ପାଇଁ ଦଳ ଦାବୀ କରିଛି।ଏହା ବ୍ୟତୀତ କମ୍ପାନୀ ପକ୍ଷରୁ ଅନୁମୋଦିତ ସି.ଏସ୍.ଆର୍. ପାଣ୍ଠିରୁ ଅଞ୍ଚଳରେ ଉନ୍ନତମୂଳକ କାର୍ଯ୍ୟ ପ୍ରତି କୌଣସି ତତ୍ପରତା ଦେଖାଯାଉ ନାହିଁ l ଲୋକଙ୍କ ଉପକାର ନିମନ୍ତେ କ୍ୟାନ୍ସର ହସ୍ପିଟାଲ ଖୋଲିବାକୁ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି। ଭାଲିଆ ଝାଉଁ ଆଦି ବହୁମୂଲ୍ୟ ଗଛ କଟା ଯାଇ ବାଲି ଖନନ କରା ଯିବା ପରେ ସେହି ଜାଗାରେ ପୁନର୍ବାର ସେତିକି ପରିମାଣରେ ଚାରାରୋପଣ କରା ଯାଉନାହିଁ ବୋଲି ଦଳ ଅଭିଯୋଗ କରିଛି। ଯାହା ଦ୍ୱାରା ବାତ୍ୟା ସୁନାମି ଭଲି ଭୟଙ୍କର ପ୍ରଳୟଙ୍କାରୀ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିବାକୁ ଆବଶ୍ୟକ ଅନୁସାରେ ନାହିଁ। ଦଳ ପକ୍ଷରୁ ଦାବୀ ହୋଇଛି ଯେ ପ୍ରଚୁର ପରିମାଣରେ ଚାରାରୋପଣ କରାଯାଇ ପ୍ରକୃତିକୁ ବଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ।ଉକ୍ତ ଦାବୀ ଗୁଡ଼ିକ ଆଗାମୀ ଦିନରେ ପୂରଣ ନକଲେ ଆନ୍ଦୋଳନ ଜାରି ରହିବା ସହିତ ଆହୁରି ତୀବ୍ର କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସର ରେ ଗଞ୍ଜାମ ଜିଲ୍ଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ସରତ ବେହେରା,ଲିଙ୍ଗରାଜ ନାୟକ ଓ କାଳୁ ଚରଣ ତ୍ରିପାଠୀ ଙ୍କ ସମେତ ବହୁ କର୍ମୀ ମାନେ ଉପସ୍ଥିତ ଥିଲେ।


