ନବଦିନ ଯାତ୍ରାରେ ମହାବାହୁ: ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ଆସିକା (ୱାଇଏନ୍‍ଏସ୍‍): ଭାବର ଠାକୁର ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ସରି ସରି ଆସୁଛି । ଇତିମଧ୍ୟରେ ପବିତ୍ର ରଥଯାତ୍ରାକୁ ୬ ଦିନ ବିତିଯାଇଛି । ଚିନିଶିଳ୍ପ ନୁଆଗାଁ ଆଡପ ମଣ୍ଡପ ଚଳଚଞ୍ଚଳ ହେବା ସହ ଜଗନ୍ନାଥମୟ ହୋଇଉଠିଛି । ପବିତ୍ର ବାହୁଡାଯାତ୍ରାକୁ ଦୃଷ୍ଟିରେ ରଖି ରଥ ମଙ୍ଗଳବାର ଦକ୍ଷିଣମୋଡ ହୋଇସାରିଥିଲା ବେଳେ ଆସନ୍ତା ୨୪ ତାରିଖ ଶୁକ୍ରବାର ଦିନ ମହାପ୍ରଭୂ ପୁଣି ରଥରେ ବିରାଜମାନ ହୋଇ ନିଜସ୍ୱ ମନ୍ଦିର ଅଭିମୁଖେ ବାହାରିବେ । ଆସିକା ନିକଟସ୍ଥ ଚିନିଶିଳ୍ପ ନୁଆଗାଁ ଜଗନ୍ନାଥ ମନ୍ଦିରର ଘୋଷଯାତ୍ରାର ସ୍ୱତନ୍ତ୍ରତା ଓ ମାହାତ୍ମ୍ୟ ନିଆରା ହୋଇଥିଲା ବେଳେ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଚର୍ଚ୍ଚା ହେଉଛି । ଚିନିଶିଳ୍ପ ନୁଆଗାଁ ଆଡପ ମଣ୍ଡପରେ ବିଜେ ଚତୁର୍ଦ୍ଧାମୁର୍ତ୍ତିଙ୍କ ଦୈନନ୍ଦିନ ନୀତିକାନ୍ତି ବିଧିବିଧାନ ଅନୁଯାୟୀ ସୁରୁଖୁରୁରେ ସଂପାଦିତ ହେଉଛି । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଚିନିଶିଳ୍ପ ନୁଆଗାଁର ଆଡପ ମଣ୍ଡପ ପରିବେଶକୁ ଅଧିକ ରୁଦ୍ଧିମନ୍ତ କରିଥିବା ଦେଖିବାକୁ ମିଳିଛି । ଭକ୍ତଙ୍କ ହରିବୋଲ ଓ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନୀରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇପଡୁଥିବା ବେଳେ ବିଶ୍ୱ ବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା କୋଟି ଓଡିଆଙ୍କ ମଉଡମଣି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତ ଭାବବିହ୍ୱଳ ହୋଇପଡୁଥିବା ପରିଲକ୍ଷିତ ହୋଇଛି । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନରେ ଚିିନିଶିଳ୍ପ ନୁଆଗାଁର ଆଡପ ମଣ୍ଡପ ପରିବେଶ ଉତ୍ସବମୁଖର ହୋଇଉଠିଛି । ଗତ ୧୬ ତାରିଖ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଠାରୁ ନବଦିନ ଯାତ୍ରାରେ ବାହାରିଥିବା ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନଙ୍କୁ ଆଡପ ମଣ୍ଡପରେ ବିଜେ କରାଯାଇ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ମନ୍ଦିରର ମୁଖ୍ୟ ପୂଜକ ଲମ୍ବୋଦର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା ଜାରି ରହିଛି । ଘଣ୍ଟ, ଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନରେ ଉଛୁଳି ପଡୁଛି ଚିନିଶିଳ୍ପ ନୁଆଗାଁର ଆଡପ ମଣ୍ଡପ ପରିବେଶ । ପ୍ରତ୍ୟୁଷରୁ ବିଧିବିଧାନ ଅନୁଯାୟୀ ମଙ୍ଗଳ ଆରତୀ, ମଇଲମ, ତଡପଲାଗି, ରୋଷ, ହୋମ, ଅବକାଶ, ସୂର୍ଯ୍ୟପୂଜା ସାଙ୍ଗକୁ ଅନ୍ୟାନ୍ୟ ନୀତିକାନ୍ତି ଶେଷ ପରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସୁସଜ୍ଜିତ କରାଯାଉଥିବା ବେଳେ ଭକ୍ତଙ୍କ ମେଳରେ ଭାବର ଠାକୁରଙ୍କୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ପ୍ରବଳ ଉତ୍କଣ୍ଠାର ସହ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ସନ୍ତୋଷ କୁମାର ମଲିକ, କାର୍ଯ୍ୟକାରୀ ଉପସଭାପତି ପ୍ରଶାନ୍ତ କୁମାର କର, ସଂପାଦକ ତଥା ଚିନିଶିଳ୍ପର ଆକାଉଣ୍ଟସ୍‍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ସହ ସଂପାଦକ ବାସୁଦେବ ସ୍ୱାଇଁ, କୋଷାଧ୍ୟକ୍ଷ ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ସଦସ୍ୟ ଦିଲୀପ କୁମାର ସ୍ୱାଇଁ, ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ଶ୍ରୀପଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାହାକ, ଦାମୋଦର ସିୟ, ଲମ୍ବୋଦର ସାବତ, ଜୟରାମ ଯାଦବ, ଅନିଲ୍‍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କା, ଆଧ୍ୟାତ୍ମିକପ୍ରେମୀ ସୁଶାନ୍ତ କୁମାର ପାତ୍ର, ରାଜେଶ୍‍ କୁମାର ନାୟକ, ଉଲ୍ଲାସ ରେଡି, ଜଗନ୍ନାଥ ପଟ୍ଟନାୟକ, ସୁବ୍ରତ କର, ବିକାଶ ପଟ୍ଟନାୟକ, ଜ୍ୟୋତି ରାମକୃଷ୍ଣ ତ୍ରିପାଠୀ, ଆଶିଷ୍‍ ପରିଡା, ବିଷ୍ଣୁଚରଣ ଜେନା, ତ୍ରିନାଥ ବେହେରା, ଏମ୍‍.ରାମବାବୁ ଦୋରା, ସୌମେନ୍ଦ୍ର କୁମାର ପଟ୍ଟନାୟକଙ୍କ ସମେତ ସମବାୟ ଚିନିଶିଳ୍ପର କର୍ମଚାରୀ, ସ୍ଥାନୀୟ ଅଂଚଳବାସୀ, ଆଧ୍ୟାତ୍ମିକପ୍ରେମୀ, ଶ୍ରଦ୍ଧାଳୁ ଭକ୍ତ ଏହି ନବଦିନାତ୍ମକ ଯାତ୍ରାକୁ ସୁପରିଚାଳନା କରିବା ଲାଗି ବେଶ୍‍ ଉତ୍ସାହିତ ହୋଇ ଆଗେଇ ଆସିଥିବା ଦେଖିବାକୁ ମିଳୁଛି । ରଥଯାତ୍ରା ସମୟରେ ଆଡପ ମଣ୍ଡପରେ ବିଜେ ଚତୁର୍ଦ୍ଧାମୁର୍ତ୍ତୀଙ୍କୁ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଥିବାରୁ ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତିମାନେ ଚିନିଶିଳ୍ପ ନୁଆଗାଁ ଆଡପ ମଣ୍ଡପରେ ବିଜେ ଠାକୁରଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ନିଜର ଦୁଃଖ ଜଣାଇବା ସହ ସାନିଧ୍ୟ ଲାଭ ପାଇଁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି । ଚିନିଶିଳ୍ପ ନୁଆଗାଁ ଆଡପ ମଣ୍ଡପରେ ବିଜେ କାଳିଆ ସାଆନ୍ତଙ୍କୁ ଥରେ ଭଲଭାବେ ଆଖି ପୁରାଇ ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଦେଖାଦେଇଥିବା ଆଗ୍ରହ ଉତ୍କଣ୍ଠା ଅବର୍ଣ୍ଣନୀୟ ହୋଇପଡିଥିବା ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ