ସମବାୟ କେନ୍ଦ୍ର ବ୍ୟାଙ୍କ ସଦର ଶାଖାର ସମୀକ୍ଷା ବୈଠକ

ଆସିକା(ୱାଇଏନ୍‍ଏସ୍‍) : କୃଷିର ବିକାଶ ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସାଙ୍ଗକୁ ହଜାର ହଜାର ଗ୍ରାହକ ଓ ଜମାକାରୀଙ୍କୁ ଉନ୍ନତ ମାନର ବ୍ୟାଙ୍କ ସେବା ହାତପାହାନ୍ତାରେ ଯୋଗାଇଦେବା ପାଇଁ ୧୯୧୮ ମସିହାରେ ସ୍ଥାପିତ ହୋଇଥିବା ଶତାୟୁ ପୁରାତନ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭରତ ଚନ୍ଦ୍ର ସାହୁଙ୍କ ପ୍ରେରଣା ଓ ମାର୍ଗଦର୍ଶନ ସାଙ୍ଗକୁ କାର୍ଯ୍ୟରତ କର୍ମଚାରୀଙ୍କ ନିଷ୍ଠାପର ଦାୟିତ୍ୱବୋଧତା ଯୋଗୁଁ ଦୀର୍ଘ ଦିନ ହେଲା ଏହି ପୁରାତନ ସମବାୟ ଅନୁଷ୍ଠାନ ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ଓ କେନ୍ଦ୍ର ସରକାର ସମବାୟର ଭିତ୍ତିଭୂମୀକୁ ଅଧିକରୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ପ୍ରାଥମିକ ସେବା ସମବାୟ ସମିତି ମାଧ୍ୟମରେ କାର୍ଯ୍ୟକାରୀ କରୁଥିବା ଚାଷୀ କଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୂପାୟନ ସଂପର୍କରେ ରୂପରେଖ ପ୍ରସ୍ତୁତ କରିବା ସକାଶେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସଦର ଶାଖା ଅଧୀନସ୍ଥ ବିଭିନ୍ନ ସେବା ସମବାୟ ସମିତିରେ କାର୍ଯ୍ୟରତ ଥିବା ସଂପାଦକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ସଦର ଶାଖାର ଶାଖା ପରିଚାଳକ ପୁରୁଷୋତ୍ତମ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ସମିତି ସଂପାଦକମାନଙ୍କ ଏହି ବୈଠକରେ କେନ୍ଦ୍ରବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭରତ ଚନ୍ଦ୍ର ସାହୁ ଯୋଗଦେଇ ଖରିଫ୍‍ ଋଣ ଲଗାଣ ଲକ୍ଷ୍ୟଧାର୍ଯ୍ୟ ପୂରଣ ଏବଂ ଚାଷୀଙ୍କ ଉପରେ ପଡି ରହିଥିବା ବକେୟା ଋଣ ଆଦାୟ, ସରକାରଙ୍କ ମାର୍ଗଦର୍ଶିକାକୁ ସର୍ବାଧିକ ଗୁରୁତ୍ୱ ଓ ପ୍ରାଥମିକତା ପ୍ରଦାନ କରି ଚାଷୀଙ୍କୁ ସାରର ସୁଷମ ବଣ୍ଟନ ଏବଂ ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲରେ ଚାଷୀଙ୍କ ସଂପୁର୍ଣ୍ଣ ତଥ୍ୟ ସଠିକ୍‍ ଓ ନିର୍ଭୁଲ ଭାବେ ଦାଖଲ କରିବା, ଜମା ସଂଗ୍ରହ କରିବା ସମେତ ବିଭିନ୍ନ ବିଷୟ ଉପରେ ମାର୍ଗଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଅଧୀନସ୍ଥ ସଦର ଶାଖା ଅନ୍ତର୍ଗତ ୨୦ଟି ସେବା ସମବାୟ ଜରିଆରେ ଗତ ୨୦୨୫ ଖରିଫ୍‍ ଋତୁରେ ୫୭୦୮ ଜଣ ଚାଷୀଙ୍କୁ ୨୧ କୋଟି ୧୪ ଲକ୍ଷ ୯୯ ହଜାର ୫୫୦ ଟଙ୍କା ଋଣ ଲଗାଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା ବେଳେ ଚଳିତ ୨୦୨୬ ଖରିଫ୍‍ ଋତୁରେ ଜୁଲାଇ ମାସ ୨୧ ତାରିଖ ସୁଦ୍ଧା ୪୫୪୦ ଜଣ ଚାଷୀଙ୍କୁ ୧୬ କୋଟି ୬୦ ଲକ୍ଷ ୭୨ ହଜାର ୭୦୦ ଟଙ୍କା ଋଣ ଲଗାଣ କରିବାରେ ସକ୍ଷମ ହୋଇପାରିଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସଦର ଶାଖାର ଏହି ସମୀକ୍ଷା ବୈଠକରେ କେନ୍ଦ୍ରବ୍ୟାଙ୍କର ଏଜିଏମ୍‍ ଗୀତାଞ୍ଜଳୀ ବେହେରା ଯୋଗଦେଇ ଖରିଫ୍‍ ଋଣ ଲଗାଣ ଲକ୍ଷ୍ୟଧାର୍ଯ୍ୟ ପୂରଣ ପାଇଁ ସମିତି ସଂପାଦକମାନେ ଆଗେଇ ଆସି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଏହି ବୈଠକରେ ସଦର ଶାଖା ଅଧୀନସ୍ଥ ପ୍ରାଥମିକ ସେବା ସମବାୟ ସମିତିର ସଂପାଦକ ସତ୍ୟନାରାୟଣ ନାୟକ, ଅଜିତ୍‍ କୁମାର ବିଷୋୟୀ, ପ୍ରଦ୍ୟୁମ୍ନ ଦଳବେହେରା, କୃଷ୍ଣଚନ୍ଦ୍ର ସ୍ୱାଇଁ, ଧୋବା ଗୌଡ, ଶିବଶଙ୍କର ନାୟକ, ଭୀମସେନ ଦାଶ, ଶ୍ରୀମତୀ ଭାଲେଶ୍ୱରୀ ପାତ୍ର, କାହ୍ନୁଚରଣ ସ୍ୱାଇଁ, ବାବୁଲା ସାହୁ, ସରୋଜକାନ୍ତ ସ୍ୱାଇଁ, ଶିବଶଙ୍କର ପ୍ରଧାନ, ସୁଶାନ୍ତ କୁମାର ବିଶ୍ୱାଳ, ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ସମବାୟ ବ୍ୟାଙ୍କ ସଦର ଶାଖା ପରିସରରେ ଅନୁଷ୍ଠିତ ସମୀକ୍ଷା ବୈଠକକୁ ସୁପରିଚାଳନା କରିବା ଦିଗରେ ଶାଖାର କର୍ମଚାରୀ ଭାଗ୍ୟଶ୍ରୀ ବେହେରା, ଆଦିତ୍ୟ କୁମାର ତ୍ରିପାଠୀ, ନିଳାଞ୍ଚଳ ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ