ମହାପ୍ରଭୁଙ୍କ ରାମ ଅବତାର ବେଶ

ଆସିକା (ୱାଇଏନ୍‍ଏସ୍‍) : ଗତ ଆଷାଢ ଶୁକ୍ଳ ଦ୍ୱିତୀୟ ତିଥିରେ ଚତୁର୍ଦ୍ଧାମୂତ୍ତୀ ନିଜସ୍ୱ ମନ୍ଦିରରୁ ନବଦିନ ବ୍ୟାପୀ ଆଡପ ମଣ୍ଡପକୁ ଗତ ୧୬ ତାରିଖ ଗୁରବାର ଠାରୁ ଯାତ୍ରା କରିଛନ୍ତି। ଆଡପ ମଣ୍ଡପ ଗୁଡିକରେ ପୁଜା ପାଉଥିବା ଜଗତସାଇଁଙ୍କ ରାମ ଅବତାର ବେଶ ଦର୍ଶନ କରି ବୁଧବାର ଭକ୍ତ ଭାବବିହ୍ୱଳ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଆଡପମଣ୍ଡପ ଗୁଡିକରେ ବିଜେ ଶ୍ରୀଜିଉ ମାନଙ୍କ ରାମ ଅବତାର ବେଶ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଆଡପମଣ୍ଡପରେ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା ପାଇଁ ଉପସ୍ଥିତ ଥିବା ସେବାୟତମାନେ ଶ୍ରୀଜିଉଙ୍କୁ ରାମ ଅବତାର ବେଶରେ ସଜ୍ଜିତ କରାଇଥିବା ବେଳେ ଆଡପମଣ୍ଡପ ଗୁଡିକରେ ସାନ୍ଧ୍ୟଆଳତୀ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଜିଉଙ୍କ ରାମ ଅବତାର ବେଶ ଦର୍ଶନ କରି ବିମୋହିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ମହାପ୍ରଭୂଙ୍କ ଏହି ରାମ ବେଶ ଦେଖିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ଦେଖା ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆଡପମଣ୍ଡପ ଗୁଡିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା ବେଳେ କିଏ ନଡିଆ ଭାଙ୍ଗି ତ ଅନ୍ୟ କିଏ ଦୀପ ଦାନ କରି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ଆଡପମଣ୍ଡପରେ ଦୀପ ଜାଳି ଶ୍ରୀ ଜଗନ୍ନାଥ ସ୍ତୁତି ମଧ୍ୟ ପାଠ କରୁଥିବା ଦେଖିବାକୁ ମିଳିଥିଲା । ଚତୁର୍ଦ୍ଧାମୂର୍ତ୍ତି ଆଡପ ମଣ୍ଡପରେ ବିଜେ କରିଥିବା ବେଳେ ଭକ୍ତ ଅନ୍ତରର ସହ ଯାହା ମାଗିଲେ ମିଳେ ବୋଲି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମହଲରେ ବିଶ୍ୱାସ ରହିଛି । ଆଡପ ମଣ୍ଡପରେ ବସି ପ୍ରଭୂ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀ ସୁଦର୍ଶନ ନିଜର ପ୍ରିୟ ଭକ୍ତଜନଙ୍କୁ ଦର୍ଶନ ଦେଉଥିବା ବେଳେ ପ୍ରଭୂଙ୍କୁ ନିଜର ଦୁଃଖ ଜଣାଇ କେତେକ ଭକ୍ତ କାନ୍ଦି ପକାଉଥିବା ବେଳେ ଅନ୍ୟ କେତେକ ଭକ୍ତ ଶ୍ରୀଜିଉଙ୍କ ମନଲୋଭା ରୂପ ଦେଖି ଆନନ୍ଦରେ ଗଦଗଦ ହୋଇ ପଡୁଥିବା ଦେଖିବାକୁ ମିଳୁଛି । ଆଡପମଣ୍ଡପ ପରିସର ହରିବୋଲ, ହୁଳହୁଳି, ଘଣ୍ଟନାଦ ଓ ଜୟଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଆଡପ ମଣ୍ଡପ ଗୁଡିକରେ ବିଜେ ଚତୁର୍ଦ୍ଧାମୂର୍ତ୍ତୀ ଗତ ରଥଯାତ୍ରା ପରଠାରୁ ପ୍ରତ୍ୟେକ ଦିନ ଭିନ୍ନଭିନ୍ନ ବେଶରେ ଶ୍ରଦ୍ଧାଳୁ ଭକ୍ତଜନକୁ ଦର୍ଶନ ଦେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ