କୃଷି ବିଭାଗରେ କର୍ମଚାରୀ ମରୁଡି : ୩୧ ପଞ୍ଚାୟତ ପାଇଁ ୯ ଗ୍ରାମ୍ୟ କୃଷି କର୍ମଚାରୀ

ହାଟଡିହି , (ଓ୍ବାଇଏନଏସ): ରାଜ୍ୟ ସରାକରଙ୍କ କୃଷି ଓ କୃଷକ ସଶକ୍ତକରଣ ବିଭାଗ ଚାଷୀଙ୍କ ଚାଷୀ ଓ ଚାଷର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ହାଟଡିହି ବ୍ଲକର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ହାଟଡିହି ବ୍ଲକ ଟି ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଠାରେ କୃଷି ବିଭାଗରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଚାଷୀମାନେ ସହାୟତା, ବୈଷୟିକ ପରାମର୍ଶ ଓ ସରକାରୀ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି | ହାଟଡିହି ବ୍ଲକ୍‌ରେ ୩୧ଟି ପଞ୍ଚାୟତରେ ୨୧ ଜଣ ଗ୍ରାମ୍ୟ କୃଷି କର୍ମଚାରୀ ରହିବା ସ୍ଥଳେ କେବଳ ୯ଜଣ ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ) କାର୍ଯ୍ୟରତ। ଏପରିକି ବ୍ଲକ କୃଷି ଅଧିକାରୀ ପଦବୀ ମଧ୍ୟ ଖାଲି ପଡିଛି। ଏଠାରେ ନିଯୁକ୍ତି ପାଇଥିବା ବ୍ଲକ କୃଷି ଅଧିକାରୀ ଦେବୀ ପ୍ରସନ୍ନ ଖୁଣ୍ଟିଆଙ୍କୁ ଡେପୁଟେସନ ରେ ଭୁବନେଶ୍ୱର କୃଷି ଭବନକୁ ନେଇ ଯାଇଥିବାରୁ ବ୍ଲକର ଅନେକ କାର୍ଯ୍ୟ ଠିକ ଭାବେ ହୋଇ ପାରୁନି। ସେହିପରି ୨୧ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସ୍ଥାନରେ ମାତ୍ର ୯ ଜଣ ଥିବାରୁ  ଜଣେ ଜଣେ କର୍ମଚାରୀଙ୍କୁ ୩ରୁ ୪ଟି ପଞ୍ଚାୟତର ଦାୟିତ୍ଵ ବହନ କରିବାକୁ ପଢୁଛି। ଏଭଳି ପରିସ୍ଥିତିରେ ନିୟମିତ କ୍ଷେତ୍ର ପରିଦର୍ଶନ, ଚାଷୀଙ୍କ ସମସ୍ୟାର ସମାଧାନ, ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ପରାମର୍ଶ ଏବଂ ସରକାରୀ ଯୋଜନାର ସଠିକ ତଦାରଖ ସମ୍ଭବ  ହେଉନାହିଁ। ବର୍ତମାନ କୃଷକ ପଞ୍ଜୀକରଣ (ଫାର୍ମର ଆଇଡି), ଜମି ପଟ୍ଟା ସଂଶୋଧନ, ବିହନ ବଣ୍ଟନ, ଫସଲ ବୀମା, କୃଷି ଯନ୍ତ୍ରପାତି ସହାୟତା, ପିଏମ୍-କିଷାନ ଓ ସିଏମ-କିଷାନ ଯୋଜନା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ଚାଲିଥିବା ବେଳେ କ୍ଷେତ୍ର କର୍ମଚାରୀଙ୍କ ଅଭାବ ଯୋଗୁଁ ଏହି ସମସ୍ତ କାର୍ଯ୍ୟ ପ୍ରଭାବିତ ହେଉଛି। ଅନେକ ଚାଷୀ ଆବଶ୍ୟକ ଦଲିଲ ସଂଶୋଧନ ଓ ପଞ୍ଜୀକରଣ ସମ୍ପର୍କରେ ସଠିକ ସୂଚନା ନ ପାଇ ହଇରାଣ ହେଉଛନ୍ତି। ଗ୍ରାମ୍ୟ କୃଷି କର୍ମଚାରୀ ଉମେଶ ଚନ୍ଦ୍ର ପ୍ରଧାନଙ୍କୁ ଢେଙ୍କା, ହଦଗଡ଼, ବଞ୍ଚୋ ଭଳି ତିନୋଟି ବୃହତ ପଞ୍ଚାୟତ ଦିଆ ଯାଇଛି। ବଞ୍ଚୋରୁ ହଦଗଡ଼ ପଞ୍ଚାୟତର ଦୂରତା ୨୦ରୁ ୨୫ କିଲୋମିଟର ହେଉଥିବା ବେଳେ ନିୟମିତ ସବୁ ପଞ୍ଚାୟତକୁ ଯାଇ କାମ କରିବା ସମ୍ଭବପର ନୁହେଁ। ସେହିପରି ଭିଏଡବ୍ଲ୍ୟୁ ଜଗନ୍ନାଥ ପରିଡ଼ାଙ୍କୁ ସୁଲଣ, ପଞ୍ଚୁଗୋଛିଆ, ଅକରୁଆ,  ବ୍ରଜ କିଶୋର ମୁଣ୍ଡାଙ୍କୁ ଆମ୍ବୋ, ସମଣା, ଆଇତିପୁର, ଜୟନ୍ତ ମହାନ୍ତିଙ୍କୁ ହାବଳେଶ୍ୱର, ମରେଇ ଗାଁ, ସାନୁୱାନ ଖାଁଙ୍କୁ ବାଲି ବରେଇ, ପଢ଼ିଆରୀପଲ୍ଲୀ, କେ ବାଲିପାଳ, କାବେରୀ ମହାପାତ୍ରଙ୍କୁ ସୋସୋ, ଧନୁର୍ଜୟପୁର, ବାଙ୍ଗୋର, ନିରଜା ନଳିନୀ ନାୟକଙ୍କୁ ସଢ଼ା, ପନ୍ଦାଡୋ, ଇଞ୍ଚଳ, ସାଧନା ରାଉତଙ୍କୁ ଓରାଳି, ଅଁରା, ଗେଡ଼ମା, ଶୋଭନା ପୁହାଣ ଙ୍କୁ ଡଅଁର, ଶାଳଣିଆଁ, ସଡ଼ଙ୍ଗ ପଞ୍ଚାୟତ ଦିଆ ଯାଇଛି। ଏପରିକି କୃଷି ଓଭରସିୟର ଥିବା ଲଷ୍ମୀ ମଲ୍ଲିକଙ୍କୁ ସେଲ ସେଣ୍ଟର ଦାୟିତ୍ୱ ସହିତ ହାଟଡିହି ଓ କଳିଗାଁ ପଞ୍ଚାୟତ, ଅନ୍ୟତମ ଓଭରସିୟର ଗୁରୁବାରୀ ବେହେରାଙ୍କୁ ଜାମ୍ଭୀରା, ଶାସଙ୍ଗ, ବଡ଼ରମ୍ପାସ ଭଳି ତିନୋଟି ପଞ୍ଚାୟତ ଦାୟିତ୍ୱ ଦିଆ ଯାଇଛି। ହାଟଡିହି ବ୍ଲକଟି ବନ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ବର୍ଷା ଋତୁରେ ଧାନତଳି ନଷ୍ଟ, ଜଳବନ୍ଦୀ, ରୋଗପୋକ ଆକ୍ରମଣ ଓ ଅନ୍ୟାନ୍ୟ କୃଷି ସମସ୍ୟା ଦେଖା ଦେଇଥାଏ। ଏଭଳି ସମୟରେ କୃଷି କର୍ମଚାରୀଙ୍କ ଉପସ୍ଥିତି ଆବଶ୍ୟକ । କିନ୍ତୁ ସୀମିତ କର୍ମଚାରୀଙ୍କ ଦ୍ବାରା ବିଶାଳ ଅଞ୍ଚଳରେ ସେବା ଯୋଗାଇବା ସେମାନଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି । ସ୍ଥାନୀୟ ଚାଷୀମାନଙ୍କ କହିବା ଅନୁଯାୟୀ, ଗାଁକୁ କୃଷି କର୍ମଚାରୀଙ୍କ ଆସିବା କମିଯାଇଛି| ଫଳରେ ଚାଷ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ମରେଇଗାଁ ସ୍ଥିତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଢୁଛି। ବିଭାଗୀୟ କର୍ମଚାରୀମାନେ ନିଜ ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରୁଥିଲେ ମଧ୍ୟ କର୍ମଚାରୀ ସଂଖ୍ୟା କମ୍ ଥିବାରୁ କାର୍ଯ୍ୟ ସମ୍ଭାଳିବା କଷ୍ଟକର ଏପରି ସ୍ଥିତିରେ କେବଳ ଅସ୍ଥାୟୀ ବ୍ୟବସ୍ଥା ନୁହେଁ, ଖାଲି ପଡ଼ିଥିବା ସମସ୍ତ ପଦରେ ସ୍ଥାୟୀ ନିଯୁକ୍ତି ଦେବାକୁ ଚାଷୀମାନେ ଦାବି କରିଛନ୍ତି | କୃଷି ବିଭାଗ ତୁରନ୍ତ ହାଟଡିହି ବ୍ଲକର ଖାଲି ପଡ଼ିଥିବା ପଦ ପୂରଣ କରି କୃଷି ସେବାକୁ ସୁଦୃଢ଼ କରିବାକୁ ଚାଷୀମାନେ ଦାବି କରିଛନ୍ତି | ଏ ସମ୍ପର୍କରେ ସହକାରୀ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଆବଶ୍ୟକତା ସମ୍ପର୍କରେ ରିପୋର୍ଟ ଦେଇଛୁ, ନୂତନ ନିଯୁକ୍ତି ହେଲେ ପଦବୀ ପୂରଣ ହୋଇପାରେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ