ମହାପ୍ରଭୁ ରାଜରାଜେଶ୍ୱଙ୍କର ସୁନାବେଶ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଓଡ଼ିଆ ଜାତିର ଗର୍ଵ ଗୌରବ, ମାନ ସମ୍ମାନ ଓ ସ୍ୱାଭିମାନର ପ୍ରତୀକ ଅଟନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ହେଉଛନ୍ତି ଆମ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର। ଏ ଜାତି ତାଙ୍କରି ଦ୍ଵାରା ହିଁ ପରିଚିତ ସମଗ୍ର ସଂସାରରେ। ସେହି କାଳିଆ ସାଆନ୍ତ ସାଧାରଣ ଠାକୁର ନୁହଁନ୍ତି , ସେ ହେଉଛନ୍ତି ରାଜାଧିରାଜ ଶ୍ରୀପୁରୁଷୋତ୍ତମ। ତେଣୁ ଶାସ୍ତ୍ରରେ କୁହାଯାଉଛି ” ସର୍ବେଷାଂ ସର୍ବ ଦେବାନାଂ ରାଜା ଶ୍ରୀପୁରୁଷୋତ୍ତମଃ “। ଯେ ବାର ମାସରେ ତେର ଯାତ୍ରା କରନ୍ତି। ସେଥି ମଧ୍ୟରୁ ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଅନ୍ୟତମ। ଯାହାକୁ ହରିଶୟନ ଏକାଦଶୀ କୁହାଯାଏ। ଏହି ଏକାଦଶୀର ମୁଖ୍ୟ ଆକର୍ଷଣ ହେଉଛି ମହାପ୍ରଭୁମାନଙ୍କ ‘ସୁନାବେଶ’ ବା ‘ରାଜରାଜେଶ୍ୱର ବେଶ’ ।
ସୁନାବେଶ ,ରାଜବେଶ ଓ ବଡ଼ତଢାଉ ବେଶ ମହାପ୍ରଭୁମାନଙ୍କ ଏକ ବିଶେଷ ବେଶ, ଯହିଁରେ ଠାକୁରମାନଙ୍କୁ ସୁବର୍ଣ୍ଣ ଆଭୂଷଣରେ ଆଭୂଷିତ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା ପୁଷ୍ୟାଭିଷେକରେ, ଫାଲଗୁନ ମାସ ଦୋଳ ପୂର୍ଣ୍ଣିମାରେ, ଆଷାଢ଼ ମାସ ଶୁକ୍ଳ ହରିଶୟନ ଏକାଦଶୀରେ , କାର୍ତ୍ତିକ ପୂର୍ଣ୍ଣିମାରେ ଓ ଆଶ୍ୱିନ ମାସର ବିଜୟାଦଶମୀ ଦିନରେ ଅନୁଷ୍ଠିତ ହୋଇଥାଏ । ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସୁସଜ୍ଜିତ ହୋଇଥାନ୍ତି । କେବଳ ଥରେ ମାତ୍ର ସମସ୍ତ ବର୍ଗର ଶ୍ରଦ୍ଧାଳୁଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାର ଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।
ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ଅନଙ୍ଗଭୀମ ଦେବ ୧୨୧୧-୧୨୩୮ ଖ୍ରୀଷ୍ଟାବ୍ଦରେ ଓଡ଼ିଆଙ୍କ ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ରୂପେ ଘୋଷଣା କରିଥିଲେ । ସେତେବେଳେ ରାଜା ଓ ମହାରାଜାମାନେ ମହାପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜାଭିଷେକ ମଧ୍ୟ କରିଥିଲେ । କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ ଏବଂ ଅନ୍ୟ କେତେକ ଗବେଷକଙ୍କ ମତରେ ରଥଉପରେ ସୁନାବେଶ ବଡ଼ତଢାଉଙ୍କ ପରାମର୍ଶରେ ରାଜା କରାଇଥିଲେ। ବଡ଼ତଢାଉ ବେଶ ମତରେ ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ କରି ସୁନାଅଳଙ୍କାରାଦି ଆଣିଥିଲେ , ଏହା ସବୁ ସେ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖାରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । କାରଣ ରତ୍ନବେଦୀରେ ମହାପ୍ରଭୁଙ୍କର ବିଭିନ୍ନ ବେଶକୁ ସମସ୍ତ ବର୍ଗର ଭକ୍ତମାନେ ଦର୍ଶନ କରି ପାରନ୍ତି ନାହିଁ, ତେଣୁ ଏହାର ନିରାକରଣ ପାଇଁ ରଥ ଉପରେ ସୁନାବେଶ କରାଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜା କହିଥିଲେ ଯେ :- ଯେତେବେଳେ ଚତୁର୍ଦ୍ଧାମୂର୍ତ୍ତି ଦକ୍ଷିଣାଭିମୁଖୀ ଯାତ୍ରା ସମାପନ କରି ରଥରେ ସିଂହଦ୍ୱାରକୁ ଆସିବା ହେବେ, ତାହାପରେ ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ ଆୟୋଜନ କରାଯିବ। ଏହାପରେ ବହୁବର୍ଷ ଧରି ରଥରେ ମହାପ୍ରଭୁଙ୍କୁ ଏକଶହ ଅଠତିରିଶି ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହୋଇଥିଲା । କିନ୍ତୁ ଏବେ ଏଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳେ।
ଏକାଦଶୀ ଦିନ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିବା ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ନିମନ୍ତେ ଅଳଙ୍କାରମାନ ଗଣତି କରି ଅଣାଯାଇଥାଏ। ତିନି ରଥରେ ରଥାରୂଢ଼ ଦାରୁ ଦେବତାମାନଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ଆଭୂଷଣ ଗୁଡିକୁ ବିଭାଗ କରଣ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁବର୍ଣ୍ଣ କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଚକ୍ର, ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା ଏଵଂ କମରପଟି ଆଦିରେ ଆଭୂଷିତ କରିଥାନ୍ତି। ସେପରି ଶ୍ରୀବଳଭଦ୍ରଙ୍କୁ କିରୀଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା ଏଵଂ କମରପଟିରେ ସଜ୍ଜିତ କରାଇ ଥାନ୍ତି ଏବଂ ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି,ସେବତୀ ମାଳି ଓ ତଗଡ଼ି ଦୁଇଟିରେ ମଣ୍ଡଣି କରାଇ ଥାନ୍ତି।
କୋଟି କୈବଲ୍ୟନାଥ କାଳିଆ ସାଆନ୍ତ ହେଉଛନ୍ତି ଆଭୂଷଣ ପ୍ରିୟ ଠାକୁର। ତେଣୁ ଶାସ୍ତ୍ରରେ କୁହାଯାଇଛି ‘ଆଭୂଷଣ ପ୍ରିୟ ବିଷ୍ଣୁଃ ‘। ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କୁ ମୁଖ୍ୟତଃ ବତିଶି ଗୋଟି ବେଶ କରାଯାଇଥାଏ। ସେଥି ମଧ୍ୟରୁ ପ୍ରତିବର୍ଷ ତିରିଶି ଗୋଟି ବେଶ ହୋଇଥାଏ। ଅନ୍ୟ ଦୁଇଟି ଯଥା:- ରଘୁନାଥ ବେଶ ଓ ନାଗାର୍ଜୁନ ବେଶ, ଯାହା ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୁଏ। ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ କେବଳ ବସ୍ତ୍ର ବଦଳୁଥିବା ବେଳେ ଆଉ କେତେକ ବେଶରେ ତାଙ୍କର ଅବତାର ବଦଳିଥାଏ । ଯେପରି ସେ କେତେବେଳେ ବିଷ୍ଣୁ ତ ଆଉ କେତେବେଳେ ଶିବ ଏବଂ ପୁଣି କେବେ ରାମ ତ ପୁଣି କେବେ କୃଷ୍ଣାଦି ରୂପକୁ ଧାରଣ କରିଥାନ୍ତି । ନୀଳାଧୀଶ ପ୍ରତ୍ୟେକ ବେଶରେ ସେ ମୁଖ୍ୟ ଭୂମିକାରେ ରହୁଥିବା ବେଳେ, କେବଳ ପ୍ରଳମ୍ବାସୁର ବଦ୍ଧ ଓ ହରିହର ବେଶରେ ବଳଭଦ୍ର ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବତିଶି ଗୋଟି ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା: – ସୁନାବେଶ ପାଞ୍ଚଥର ଓ ଶ୍ରାଦ୍ଧ ବେଶ ତିନିଦିନ, ଝୁଲଣ ସନ୍ଧ୍ୟା ବେଶ ସାତଦିନ, ଚନ୍ଦନଲାଗି ବେଶ ବୟାଳିଶ ଦିନ, ରାଧାଦାମୋଦର ବେଶ ଏକମାସ ଏବଂ ତିନୋଟି ବେଶ ପ୍ରତ୍ୟହ ସଂପନ୍ନ ହୋଇଥାଏ । ସେପରି ମହାପ୍ରଭୁଙ୍କୁ ବାର ଅନୁଯାୟୀ ଶ୍ରୀମନ୍ଦିରରେ ବିଭିନ୍ନ ରଙ୍ଗର ପାଟବସ୍ତ୍ରରେ ଭୂଷିତ କରାଯାଇଥାଏ, ଯଥା: ରବିବାରେ ନାଲି ରଙ୍ଗର ପାଟବସ୍ତ୍ର , ସୋମବାରେ ଧଳାଛିଟ ପାଟବସ୍ତ୍ର , ମଙ୍ଗଳବାରେ ବାର ପଟିଆ (ପାଞ୍ଚଟି ରଙ୍ଗ ବିଶିଷ୍ଟ) ବସ୍ତ୍ର, ବୁଧବାରରେ ନୀଳ ରଙ୍ଗର ବସ୍ତ୍ର, ଗୁରୁବାରରେ ହଳଦିଆ ପାଟବସ୍ତ୍ର, ଶୁକ୍ରବାରରେ ଧଳା ପାଟବସ୍ତ୍ର ଓ ଶନିବାରରେ କଳା ପାଟବସ୍ତ୍ର ।
ସୁନାବେଶ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ଏବଂ ଗୌରବମୟ ପରମ୍ପରା । ପ୍ରଭୁଙ୍କର ଏହି ସ୍ୱର୍ଣ୍ଣାଭ ଆଭା ଏବଂ ଦିବ୍ୟ ସୌନ୍ଦର୍ଯ୍ୟ ଭକ୍ତଙ୍କ ମନରେ ଏକ ଅନିର୍ବଚନୀୟ ଆନନ୍ଦ ଓ ଭକ୍ତିଭାବ ସୃଷ୍ଟି କରିଥାଏ । ପୁରୀର ଐତିହ୍ୟ, ମନ୍ଦିରର ରୀତିନୀତି ଏବଂ ଓଡ଼ିଶାର ଗୌରବଶାଳୀ ଇତିହାସ ସହିତ ଏହା ଓତପ୍ରୋତ ଭାବେ ଜଡ଼ିତ । ମହାପ୍ରଭୁଙ୍କ ସୁନାବେଶ କେବଳ ଏକ ସୁନାର ଆଭୂଷଣ ନୁହେଁ, ବରଂ ଓଡ଼ିଆ ଜାତିର ଭକ୍ତି, ବିଶ୍ୱାସ ଏବଂ ସମର୍ପଣର ପ୍ରତୀକ ଅଟେ ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ