ରଥ ଉପରେ ଶ୍ରୀବିଗ୍ରହ ମାନଙ୍କ ଦୁର୍ଲ୍ଲଭ ସୁନା ବେଶ


ସନ୍ତୋଷ କୁମାର ଦାଶ

ପୁରୀ ଶ୍ରୀ ମନ୍ଦିର ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି। ମହାପ୍ରଭୁ ଯେତିକି ରସିକ ସେତିକି ଶୃଙ୍ଗାର ପ୍ରିୟ। ବର୍ଷ କ ବାର ମାସ ରେ ମହାପ୍ରଭୁ ଅନେକ ବେଶ ରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ତେବେ ମହାପ୍ରଭୁ ଙ୍କ ସୁନା ବେଶ ସବୁଠାରୁ ଅନନ୍ୟ ଓ ଦୁର୍ଲ୍ଲଭ ବେଶ ଅଟେ। ଶ୍ରୀ ମନ୍ଦିର ର ରତ୍ନ ସିଂହାସନ ଉପରେ ମହାପ୍ରଭୁ ୪ ଥର ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଓ ଦଶହରା ଦିନ ସୁନା ବେଶ ରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। କିନ୍ତୁ ବାହୁଡ଼ା ଏକାଦେଶୀ ବା ହରି ଶୟନ ଏକାଦଶୀ ତିଥି ରେ ରଥ ଉପରେ ମହାପ୍ରଭୁ ଯେଉଁ ସୁନା ବେଶ ରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ତାହାକୁ ବ୍ରାହ୍ମଣ ଙ୍କ ଠାରୁ ଚଣ୍ଡାଳ ଆଉ ସ୍ଥାନୀୟ ଅଧିବାସୀ ଙ୍କ ଠାରୁ ଆରମ୍ଭ କରି ବିଦେଶୀ ଭକ୍ତ ମାନେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥାନ୍ତି। ଶ୍ରୀ ଜିଉ ମାନଙ୍କର ଏହି ସୁନା ବେଶ କୁ ରାଜରାଜେଶ୍ୱର ବେଶ ଓ ବଡ଼ତଢାଉ ବେଶ ମଧ୍ଯ କୁହା ଯାଇଥାଏ। ହରି ଶୟନ ଏକାଦଶୀ ତିଥି ରେ ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଭିତରଛୁ ମହାପାତ୍ର ସେବକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବାଡ଼ ରେ, ତଳିଛୁ ମହାପାତ୍ର ସେବକ ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ବାଡ଼ରେ ଓ ପୁଷ୍ପାଳକ ସେବକମାନେ ଦେବୀ ସୁଭଦ୍ରା ଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ,ତାଳଧ୍ଵଜ ଓ ଦେବଦଳନ ରଥରେ ଶ୍ରୀ ବିଗ୍ରହ ମାନଙ୍କୁ ସୁନା ବେଶ ରେ ସଜ୍ଜିତ କରିଥାନ୍ତି। ରଥ ଉପରେ ଏହି ଅନନ୍ୟ ଓ ଦୁର୍ଲ୍ଲଭ ସୁନା ବେଶ କେବେ ଠାରୁ କିପରି ଓ କାହିକିଁ ଆରମ୍ଭ ହୋଇଥିଲା ସେ ସମ୍ପର୍କ ରେ ନିର୍ଦ୍ଦିଷ୍ଟ ସୂଚନା ମିଳେ ନାହିଁ। ତେବେ ଏ ନେଇ କିଛି କିମ୍ବଦନ୍ତୀ ଓ ଲୋକ କଥା ରହିଛି। ଗଜପତି କପିଳେନ୍ଦ୍ର ଦେବ କୃଷ୍ଣା ନଦୀ ପର୍ୟ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରି ଥିଲେ। ସେ ବହୁ ରାଜ୍ୟ ର ରାଜା ଙ୍କୁ ପରାସ୍ତ କରି
ସେମାନଙ୍କ କିରୀଟ, ମୁକୁଟ, ସିଂହାସନ ଓ ମହଣ ମହଣ ସୁନା ଓ ରତ୍ନ ଅଳଙ୍କାର ୧୬ ଟି ହାତୀ ପିଠିରେ ବୋଝାଇ କରି ପୁରୀ ଆଣିଥିଲେ । ସେହି ସବୁ ସୁନା ଓ ରତ୍ନ କୁ ନିଜେ ବ୍ୟବହାର ନ କରି ମହାପ୍ରଭୁ ଙ୍କୁ ଦାନ କରି ଦେଇଥିଲେ।ସେହି ସବୁ ସୁନା ଓ ରତ୍ନ ରେ ବିଭିନ୍ନ ଅଳଙ୍କାର ନିର୍ମାଣ ହୋଇ ଶ୍ରୀ ଜିଉ ମାନଙ୍କର ସୁନା ବେଶ ଆରମ୍ଭ ହୋଇଥିଲା। ଆଉ ଏକ କିମ୍ୱଦନ୍ତୀ ହେଉଛି ରାଜା ଅନଙ୍ଗଭୀମ ଦେବ
ପବିତ୍ର ଆଷାଢ଼ ମାସ ଏକାଦଶୀ ଅର୍ଥାତ ହରି ଶୟନ ଏକାଦଶୀ ତିଥି ରେ ରଥ ଉପରେ ଶ୍ରୀ ବିଗ୍ରହ ମାନଙ୍କ ସୁନା ବେଶ ଅନୁଷ୍ଠିତ କରିଥିଲେ। ସେହି ଦିନ ଠାରୁ ରଥ ଉପରେ ଶ୍ରୀ ବିଗ୍ରହ ମାନଙ୍କ ସୁନା ବେଶ ଅନୁଷ୍ଠିତ ହୋଇ ଆସୁଛି। ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୋଇ ଆସୁଥିବା ମହାପ୍ରଭୁ ଙ୍କ ଦୁର୍ଲ୍ଲଭ ସୁନା ବେଶ କୁ ସବୁ ବର୍ଗର ଲୋକ, ବିଦେଶୀ ଭକ୍ତ ମାନେ ଦର୍ଶନ କରି ପାରୁ ନାହାଁନ୍ତି ବୋଲି ବଡ଼ତଢାଉ ସେବକ ଗଜପତି କପିଳେନ୍ଦ୍ର ଦେବ ଙ୍କୁ ବିନତି କରି ଶ୍ରୀ ବିଗ୍ରହ ମାନଙ୍କୁ ରଥ ଉପରେ ସୁନା ବେଶ ରେ ସଜ୍ଜିତ କରିବାକୁ ଅନୁରୋଧ କରିଥିଲେ। ଏହାପରେ ରାଜା ତାଙ୍କ ବିନତି କୁ ରଖି ହରି ଶୟନ ଏକାଦଶୀ ତିଥି ରେ ରଥ ଉପରେ ସୁନା ବେଶ ଅନୁଷ୍ଠିତ କରିଥିଲେ। ସେହି ଦିନ ଠାରୁ ରଥ ଉପରେ ଶ୍ରୀ ବିଗ୍ରହ ମାନଙ୍କ ସୁନା ବେଶ ଅନୁଷ୍ଠିତ ହୋଇ ଆସୁଛି। ଶ୍ରୀ ମନ୍ଦିର ପୁସ୍ତକ ରୁ ଜଣାଯାଏ ଯେ, ରଥ ଉପରେ ଅନୁଷ୍ଠିତ ହେଉଥିବା ସୁନା ବେଶ ରେ ପ୍ରଥମେ ଶ୍ରୀ ବିଗ୍ରହ ମାନଙ୍କୁ ୧୩୮ ପ୍ରକାର ର ରତ୍ନ ଖଚିତ ଅଳଙ୍କାର ଲାଗି ହେଉଥିଲା। ଏବେ ଆଉ ଏତେ ପରିମାଣ ର ଅଳଙ୍କାର ଲାଗି ହେଉନାହିଁ । ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ରୁ ପାଳିଆ ମେକାପ ଖୁଣ୍ଟିଆ ସେବକ ଜଣେ ମାଜିଷ୍ଟେଟ ଙ୍କ ଉପସ୍ଥିତି ରେ ଗଣତି କରି ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାର ସବୁ ବାହାରକୁ କାଢିବା ପରେ ସେ ସବୁ କୁ ତିନି ରଥ କୁ ବୋହି ନିଆଯାଏ। ରଥ ଉପରେ ଦଇତାପତି ସେବକ,ପୁଷ୍ପାଳକ ସେବାୟତ, ଖୁଣ୍ଟିଆ ମେକାପ ସେବାୟତ, ତଳଛୁ,
ଭିତରଛୁ ସେବକ ମାନେ ଶ୍ରୀ ଜୀଉ ମାନଙ୍କୁ ସୁନା ବେଶ ରେ ସଜ୍ଜିତ କରିଥାନ୍ତି।ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କୁ କିରୀଟ, ଶ୍ରୀ ପୟର, ଶ୍ରୀ ଭୁଜ, ସ୍ଵର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ଓଢ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ,ଆଡକାନି, ଘାଗଡା ମାଳି, କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରୀଖଣ୍ଡିକା, କମରପଟି ପ୍ରଭୃତି ଅଳଙ୍କାର ଲାଗି କରାଯାଉଥିବା ବେଳେ ବଡ଼ଠାକୁର ଶ୍ରୀ ବଳଭଦ୍ର ଙ୍କୁ କିରୀଟ, ଶ୍ରୀ ପୟର, ଶ୍ରୀ ଭୁଜ, ହଳ ଓ ମୂଷଳ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡା ମାଳି, ବାଘ ନଖ ମାଳି, ସେବତୀ ମାଳି, ତିଳକ,ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରୀ ଖଣ୍ଡିକା, କମରପଟି ଅଳଙ୍କାର ଲାଗି କରାଯାଇଥାଏ। ଦେବୀ ସୁଭଦ୍ରା ଙ୍କୁ କିରୀଟ, କାନ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ,ଘାଗଡା ମାଳି, ସେବତୀ ମାଳି, କଦମ୍ବ ମାଳି, ତଗଡି ପ୍ରଭୃତି ଅଳଙ୍କାର ଲାଗି କରାଯାଇଥାଏ। ମହଣ ମହଣ ସୁନା ଓ ରତ୍ନ ଖଚିତ ଅଳଙ୍କାର ରେ ଭୂଷିତ ହୋଇ ଶ୍ରୀ ଜିଉ ମାନେ ରଥ ଉପରେ ଝଟକି ଉଠନ୍ତି। ଏହି ଦୁର୍ଲ୍ଲଭ ଓ ଅନନ୍ୟ ସୁନା ବେଶ ଦେଖି ଭକ୍ତ ମାନେ ବିମୋହିତ ହୋଇ ପଡ଼ିଥାନ୍ତି।
ଜୟ ଜଗନ୍ନାଥ ସ୍ଵାମୀ।

ତୁଳସୀପୁର, ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ