କୁନି ଭକ୍ତଙ୍କ ମେଳରେ ମହାବାହୁ, ଜୟ ଜଗନ୍ନାଥ ଧ୍ୱନୀରେ ଆସିକାର ସାହିବସ୍ତି ପ୍ରକମ୍ପିତ
ଆସିକା (ୱାଇଏନ୍ଏସ୍) : ପବିତ୍ର ବାହୁଡାଯାତ୍ରା ପାଇଁ ଶୁକ୍ରବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ଓ ଚଳଚଞ୍ଚଳ ହୋଇଉଠିଥିଲା । ଆଧ୍ୟାତ୍ମିକପ୍ରେମୀ ଭକ୍ତମାନେ ବିଭିନ୍ନ ସ୍ଥାନରେ ରଥାରୁଢ ବ୍ରହ୍ମାଣ୍ଡକର୍ତ୍ତାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିବା ବେଳେ ଅଧିକାଂଶ ଶ୍ରଦ୍ଧାଳୁଙ୍କ ମନକୁ ବିମୋହିତ କରିପକାଇଥିଲା କୋମଳମତି ଶିଶୁମାନଙ୍କ କୁନି ରଥଟଣା । କୁନି ଭକ୍ତଙ୍କ ମେଳରେ ରଥାରୁଢ ମହାବାହୁଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ବେଶ୍ ଉଚ୍ଛୁକତା ପ୍ରକାଶ ପାଇଥିଲା । ପବିତ୍ର ବାହୁଡା ଯାତ୍ରା ଅବସରରେ କୁନି ରଥରେ ରଥାରୁଢ ହୋଇଥିବା କୋଟି କୈବଲ୍ୟନାଥଙ୍କୁ କୁନି ଭକ୍ତମାନେ ଟାଣି ଟାଣି ନେଉଥିବା ଦୃଶ୍ୟ ବେଶ୍ ମନଲୋଭା ହୋଇଥିଲା । ଆସିକା ସହରର କେତେକ ସାହିବସ୍ତିର ଶିଶୁଭକ୍ତମାନେ ଅତି ସୁନ୍ଦର କୁନିରଥ ତିଆରି କରି ପବିତ୍ର ବାହୁଡାଯାତ୍ରାରେ ଜଗତକର୍ତ୍ତା କାଳିଆ ଠାକୁର, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ବିଗ୍ରହକୁ ବିରାଜିତ କରାଇ ଜୟ ଜଗନ୍ନାଥ ଧ୍ୱନୀ ଦେଇ ସାହିବସ୍ତି ପରିକ୍ରମା କରିଥିବା ବେଳେ କୁନିଶିଶୁ ଭକ୍ତମାନଙ୍କ ଏଭଳି ନିଆରା ରଥଟଣା ଆସିକା ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଶିଶୁ ଆଧ୍ୟାତ୍ମିକପ୍ରେମୀ ଭକ୍ତମାନେ ବେଶ୍ ଉତ୍ସାହର ସହ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ କରି ଜୟ ଜଗନ୍ନାଥ ଧ୍ୱନୀ ଦେଇ ରଥଟଣା କାର୍ଯ୍ୟ ଆରମ୍ଭ କରିଥିଲେ । ବିଶ୍ୱନିୟନ୍ତାଙ୍କ କୁନିରଥଟଣାରେ ଆସିକା ସହର ତଥା ଆଖପାଖ ସାହିବସ୍ତିର ବହୁ ଆଧ୍ୟାତ୍ମିକପ୍ରେମୀ ଶିଶୁ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଭାବର ଠାକୁର ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ଯିଏ ଯେମିତି ଭାବରେ ଡାକେ ଦାରୁବ୍ରହ୍ମ ସେମିତି ତାକୁ ନିଜର କରିଥାନ୍ତି । ନିରାକାର, ନିର୍ବିକାର ଓ ପରମବ୍ରହ୍ମ ବିଶ୍ୱନିୟନ୍ତା ଠାକୁର ଶ୍ରୀ ଜଗନ୍ନାଥଙ୍କ ବାହୁଡାଯାତ୍ରା ପାଇଁ କୁନି ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ଭକ୍ତିରେ ଭିଜି ରଥ ଟାଣିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳରେ ଶିଶୁ ଆଧ୍ୟାତ୍ମିକପ୍ରେମୀ ଭକ୍ତମାନଙ୍କ ଏହା ଜଗତକର୍ତ୍ତା ଶ୍ରୀଜଗନ୍ନାଥଙ୍କୁ ଭଲ ପାଇବାର ଅପୂର୍ବ ଓ ଅବର୍ଣ୍ଣନୀୟ ନିଦର୍ଶନ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଥିଲା । କୁନି ଭକ୍ତମାନଙ୍କ ରଥଟଣା ସମୟରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ସାହିବସ୍ତି ପ୍ରକମ୍ପିତ ହୋଇପଡିଥିଲା ବେଳେ ସତେ ଯେମିତି ଭକ୍ତ ଓ ଭଗବାନ ଏକାକାର ହୋଇପଡିଥିଲେ । ବିଶ୍ୱନିୟନ୍ତାଙ୍କ ବାହୁଡାଯାତ୍ରାରେ ସାମିଲ୍ ହୋଇ ଚକାଆଖି ସହ ଭାବରେ ଭିଜିଥିଲେ କୁନି ଶ୍ରଦ୍ଧାଳୁ ଭକ୍ତ । ରଥ ଟାଣିବା ଓ ମହାପ୍ରଭୂଙ୍କ ଦର୍ଶନ ପାଇଁ କୁନି ଶ୍ରଦ୍ଧାଳୁ ଭକ୍ତମାନେ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଜଗତର ନାଥ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଗର୍ବ ଓ ଗୌରବ ଏବଂ ସ୍ୱାଭିମାନର ପ୍ରତୀକ । ପବିତ୍ର ବାହୁଡା ଯାତ୍ରାରେ ରଥାରୁଢ ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତମାନେ ତ୍ରିକାଳର ପୂଣ୍ୟ ଅର୍ଜନ କରିଥିବା ଦେଖିବାକୁ ମିଳିଥିଲା ।


