ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗତକାଲି ପବିତ୍ର ବାହୁଡ଼ା ଯାତ୍ରା ପବିତ୍ର ବଡ଼ ଏକାଦଶୀ ଅବସରରେ ବେଲଗୁଣ୍ଠା ବଡ଼ଦାଣ୍ଡ ଏବଂ ବାଲିଡିସାହି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ବେଲଗୁଣ୍ଠାର ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ ଦୁଇ ମହାପ୍ରଭୁ ଶ୍ରଦ୍ଧାଳୁଙ୍କୁ କଲ୍କିବେଶରେ ଦର୍ଶନ ଦେଇ କୃପାଶିଷ ପ୍ରଦାନ କରିଛନ୍ତି। ରଥାରୂଢ଼ ଶ୍ରୀଜୀଉଙ୍କ ଏହି ଅଲୌକିକ ଓ ଆଧ୍ୟାତ୍ମିକ ରୂପକୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡ ଓ ବାଲିଡିସାହି ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କ ଏହି ପବିତ୍ର ଅବସରକୁ ନେଇ ସମଗ୍ର ବେଲଗୁଣ୍ଠା ସହର ଆଧ୍ୟାତ୍ମିକ ପରିବେଶରେ କମ୍ପିତ ହୋଇଉଠିଥିଲା। ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ଯେପରି ପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବଡ଼ଦାଣ୍ଡ ଓ ବାଲିଡିସାହି ଠାରେ ନିୟନ୍ତ୍ରଣ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ପୋଲିସ ମୁତୟନ ହୋଇଥିଲେ । ସଞ୍ଜ ହେଉ ହେଉ ଶ୍ରୀଜୀଉଙ୍କ ଦର୍ଶନ ସାଙ୍ଗକୁ ବଡ଼ଦାଣ୍ଡ ପରିଚାଳନା କମିଟି ପକ୍ଷରୁ ଏକ ଭବ୍ୟ ଭଜନ ସମାରୋହର ଆୟୋଜନ କରାଯାଇଥିଲା।ବଣିକ ସଙ୍ଘ ସଭାପତି ସନ୍ନତ କୁମାର ସୁବୁଦ୍ଧି,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନାଧିକାରୀ ରେବତୀ ଶବର,ବରିଷ୍ଠ ପ୍ରଧ୍ୟାପକ ବଦ୍ରି ନାରାୟଣ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭଜନ ସଂଧ୍ୟା ଶୁଭାରମ୍ଭ କରିଥିଲେ । ଏହି ସାଂସ୍କୃତିକ ଓ ଭକ୍ତିମୟ ସଂଧ୍ୟାରେ ଅନେକ ସୁନାମଧନ୍ୟ କଣ୍ଠଶିଳ୍ପୀ ଯୋଗଦେଇ ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ ଭଜନ ପରିବେଷଣ କରିଥିଲେ। ସଙ୍ଗୀତର ମୂର୍ଚ୍ଛନା ଓ ପ୍ରଭୁଙ୍କ ମହିମାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ବିଭୋର ହୋଇ ରହିଥିଲେ, ଯାହା ଚଳିତ ବର୍ଷର ଏକାଦଶୀ ଉତ୍ସବକୁ ଅତ୍ୟନ୍ତ ସ୍ମରଣୀୟ କରିପାରିଛି। ସେହିପରି ବେଲଗୁଣ୍ଠା ବ୍ଳକ୍ ର ପାଇଲିପଡ଼ା,ଗୋବରା, ବେଣୀପଲ୍ଲୀ,ମାଧବରୀଡା,ଜୟନ୍ତୀଗଡ଼ ଆଦି ଗ୍ରାମରେ ମଧ୍ୟ ମହାପ୍ରଭୁ ସୁନାବେଶରେ ଚମକିଛନ୍ତି। ଆଜି ପ୍ରାତଃ ସମୟରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ବାଳ ଭୋଗ ଆଦି ଅନୁଷ୍ଠିତ ହେବା ସହ ହରିଶୟନ ଏକାଦଶୀ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଥିଲା। ମଙ୍ଗଳ ଆଳତି ସମୟରୁ ହିଁ ଆଜି ମହାପ୍ରଭୁଙ୍କ ରଥ ନିକଟରେ ଏକାଦଶୀ ବ୍ରତଧାରୀଙ୍କ ଭିଡ଼ ଲାଗିଥିବା ବେଳେ ଏହି ଭିଡ଼ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ଲାଗି ରହିଥିଲା। ମଧ୍ୟାହ୍ନ ସମୟରେ ବିଭିନ୍ନ ଗ୍ରାମରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟା ସମୟରେ ଠାକୁରଙ୍କର ରାଜରାଜେଶ୍ଵର ସୁନା ବେଶ ଦେଖିବା ପାଇଁ ରଥ ନିକଟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ, ଅତିରିକ୍ତ ଥାନା ଅଧିକାରୀ ସାରାଲତା ପ୍ରଧାନଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଭିଡ଼ ନିୟନ୍ତ୍ରଣ କରିବା ସହିତ ଶୃଙ୍ଖଳା ରକ୍ଷା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ