ଗାର୍ଡ ୱାଲ ନିର୍ମାଣ ପାଇଁ ରାସ୍ତା ପାଶ୍ୱର୍ରୁ ଖୋଳା, ରାସ୍ତାରୁ ଖସୁଛି ଅତଡା
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ-ଡାବର ମୁଖ୍ୟ ରାସ୍ତାର ବାଉଁଶଜୋରୀରୁ କୋରୁଅସ୍ଥିତ ସାଧୁଗୋସ୍ୱାମୀ ପୀଠ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମଣା କରାଯାଉଛି। ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଅଧିନରେ ରହିଛି। ସୂଚନାଫଳକ ତ୍ୟଥ ଅନୁସାରେ କାର୍ଯ୍ୟାରାମ୍ଭର ସମୟ ୫ ମାର୍ଚ୍ଚ ୨୦୨୪ ଥିବା ବେଳେ କାର୍ଯ୍ୟ ଶେଷର ଅବଧି ୧୭ ମେ ୨୦୨୫ ରହିଛି। କାର୍ଯ୍ୟର ଅବଧୀ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସରୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଂପୃକ୍ତ ଠିକାଦାର ଗାର୍ଡ ୱାଲ ନିର୍ମାଣ ପାଇଁ ଗତ ଜୁନ ମାସରେ ରାସ୍ତାର ପାଶ୍ୱର୍କୁ ଖୋଳି ଦେଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାସ୍ତା ପାଶ୍ୱର୍ ଖାଲରେ ପାଣି ଜମି ରହୁଛି। ଏପରିକି ପାଣି ଜମି ରହିବା ହେତୁ ରାସ୍ତା ପାଶ୍ୱର୍ରୁ ଅତଡା ଖସିବାର ଦେଖିବାକୁ ମିଳିଛି। ଅତଡା ଖସିବା ଯୋଗୁ ରାସ୍ତା ପାଶ୍ୱର୍ରେ ଥିବା ୧୧କେଭି ବିଦ୍ୟୁତ ଖୁଂଟ ବିପଦ ସଂକୁଳ ଅବସ୍ଥାରେ ରହିଛି। ଏହି ବିଦ୍ୟୁତ ଖୁଂଟରୁ ମଝିପଡା ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଛି। କେତେ ବେଳେ ଯେ ଏହି ଦୁଇଟି ୧୧ କେଭି ବିଦ୍ୟୁତ ଖୁଂଟ ଖସିପଡିବ ତାହା କହି ହେବ ନାହିଁ। ସଂପୃକ୍ତ ଠିକାଦାର ଏହି ରାସ୍ତାର ଠାଏ ଠାଏ କଂକ୍ରିଟ କରିଛି। ଯାହାଫଳରେ ରାସ୍ତାରୁ ଜଳ ନିଷ୍କାସନ ହୋଇ ନପାରି ରାସ୍ତାରେ ଜମି ରହୁଥିବା ଅଭିଯୋଗ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରାସ୍ତା କାର୍ଯ୍ୟ ନସରୁଣୁ ଉକ୍ତ କଂକ୍ରିଟ ରାସ୍ତାରେ ଫାଟ ସୃଷ୍ଟି ହୋଇଥିବା ବେଳେ ଗୋଡି ବାହାରିବାର ଦେଖିବାକୁ ମିଳିଛି। ତେଣୁ ଉକ୍ତ ରାସ୍ତାକୁ ଯଥା ଶୀଘ୍ର କାର୍ଯ୍ୟ କରିବା ସହିତ ୧୧ କେଭି ବିଦ୍ୟୁତ ଖୁଂଟ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।ଏସଂର୍ପକରେ ବିଦ୍ୟୁତ ବିଭାଗର ଲିଡ୍ ମ୍ୟାନେଜର ଯଯାତିକେଶ୍ୱରୀ ଦାଶଙ୍କୁ ପଚାରିବାରୁ ସେ ନୂତନ ଭାବେ ଯୋଗ ଦେଇଛନ୍ତି। ଯେଉଁ ବିଭାଗ ରାସ୍ତା କାର୍ଯ୍ୟ କରୁଛି,ସଂପୃକ୍ତ ବିଭାଗର ବିଦ୍ୟୁତ ପୋଲ ଉପରେ ନଜର ଦେଇ କାର୍ଯ୍ୟ କରିବା କଥା। ଏହା ସତ୍ୱେ ବି ଆମ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ତଦାରଖ କରି ଫେରିଛୁ। ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଂଜୟ ସ୍ୱାଇଁଙ୍କ ମତାମତ ନେବା ପାଇଁ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନଥିଲେ।


