ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କଲେ କନ୍ଧମାଳ ସାଂସଦ
ଫୁଲବାଣୀ: କନ୍ଧମାଳ ଲୋକସଭା କ୍ଷେତ୍ରର ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିରେ ଘୋଷିତ ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ତାଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ସାଂସଦ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତି କନ୍ଧମାଳବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଜନଜାତି ସମାଜର ଶିକ୍ଷା, ସେବା, ସଂସ୍କୃତି ଓ ସାମାଜିକ ଜାଗରଣ କ୍ଷେତ୍ରରେ ସ୍ୱାମୀଜୀଙ୍କ ଅତୁଳନୀୟ ଅବଦାନ ପ୍ରତି ଏହା ଏକ ଉଚିତ ସମ୍ମାନ ବୋଲି ସେ କହିଛନ୍ତି। ସେହିପରି ଜଲେଶପଟ୍ଟା ଆଶ୍ରମର ଐତିହ୍ୟ ସଂରକ୍ଷଣ ଓ ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା (CMSA) ପାଣ୍ଠିରୁ ₹୧୩ କୋଟି ମଞ୍ଜୁର କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅର୍ଥରେ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ, ଆଶ୍ରମର ଐତିହ୍ୟ ସଂରକ୍ଷଣ, ମେଗା ରିଭର ଲିଫ୍ଟ ଜଳଯୋଗାଣ ପ୍ରକଳ୍ପ, ଶ୍ରେଣୀଗୃହ ଓ ହଷ୍ଟେଲର ନବୀକରଣ ସହ ବିଭିନ୍ନ ମୌଳିକ ସୁବିଧାର ବିକାଶ କରାଯିବ। ସାଂସଦ ଶ୍ରୀ ପାଣିଗ୍ରାହୀଙ୍କ କହିବାନୁସାରେ, ଏହି ପଦକ୍ଷେପ କେବଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମର ଐତିହ୍ୟକୁ ସଂରକ୍ଷିତ କରିବ ନୁହେଁ, ବରଂ କନ୍ଧମାଳର ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶରେ ଏକ ନୂତନ ଅଧ୍ୟାୟର ସୂଚନା ଦେବ। କନ୍ଧମାଳ ଲୋକସଭା କ୍ଷେତ୍ରର ସମସ୍ତ ଜନସାଧାରଣଙ୍କ ପକ୍ଷରୁ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଇବା ସହ ଏହି ଐତିହାସିକ ନିଷ୍ପତ୍ତି କନ୍ଧମାଳର ବିକାଶ ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ସଂରକ୍ଷଣରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।


