ମହାନଦୀରେ ବନ୍ୟାଜଳ : ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଜାରି

କଟକ, (ଓ୍ବାଇଏନଏସ): ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ମହାନଦୀରେ ବନ୍ୟାଜଳ ପ୍ରବାହ ଯୋଗୁଁ ମୁଣ୍ଡଳୀ ବ୍ୟାରେଜ୍‌ରେ ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଛି । ଆସନ୍ତାକାଲି ରାତି ସୁଦ୍ଧା ଏହା ସର୍ବାଧିକ ସ୍ତରରେ ପହଞ୍ଚିବାର ଆଶଙ୍କା କରାଯାଉଛି । ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ସହ ନିମ୍ନ ଅଞ୍ଚଳରେ ବନ୍ୟା ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ)ର ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା–୩୪ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି କରିଛନ୍ତି । ଜାରି ହୋଇଥିବା ଆଦେଶ ଅନୁଯାୟୀ, ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ସମସ୍ତ ଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି । ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ସେଲ୍ଫି ନେବା କିମ୍ବା ନଦୀ କୂଳ, ବ୍ୟାରେଜ୍‌ ନିକଟରେ ରହିବା ଉପରେ କଟକଣା ଜାରି କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାର ଜନସମାଗମ, ସଭା ଓ ଗହଳି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି। ବ୍ୟାରେଜ୍‌, ସେତୁ କିମ୍ବା ନଦୀବନ୍ଧ ଉପରେ ଠିଆ ହୋଇ ବନ୍ୟାଜଳ ଦେଖିବା, ସେଲ୍ଫି କିମ୍ବା ଭିଡିଓ କରିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି । କେବଳ ଜରୁରୀକାଳୀନ ସେବା ଓ ବନ୍ୟା ପରିଚାଳନା ସହ ଜଡ଼ିତ ଅଧିକାରୀମାନେ ଏହି ସ୍ଥାନଗୁଡ଼ିକୁ ଯାଇପାରିବେ । ନଦୀ କୂଳ, ନିମ୍ନ ଅଞ୍ଚଳ ଓ ନଦୀବନ୍ଧ ନିକଟରେ ଥିବା ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥାନଗୁଡ଼ିକୁ ଭକ୍ତ ଓ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖାଯିବ। ସେହିପରି ମହାନଦୀ, ଶାଖା ନଦୀ ଓ ସଂଲଗ୍ନ ଜଳାଶୟଗୁଡ଼ିକରେ ସମସ୍ତ ପ୍ରକାର ମତ୍ସ୍ୟ ଧରିବା କାର୍ଯ୍ୟ ଉପରେ ନିଷେଧାଦେଶ ଜାରି କରାଯାଇଛି ଏବଂ ମତ୍ସ୍ୟଜୀବୀମାନଙ୍କୁ ନଦୀକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ନିମ୍ନଅଞ୍ଚଳ ଓ ବନ୍ୟା ପ୍ରବଣ ଅଞ୍ଚଳର ବାସିନ୍ଦା, କୃଷକ ଓ ଦୁଗ୍ଧ ଚାଷୀମାନଙ୍କୁ ସେମାନଙ୍କର ଗୃହପାଳିତ ପଶୁମାନଙ୍କୁ ତୁରନ୍ତ ସୁରକ୍ଷିତ ଉଚ୍ଚ ସ୍ଥାନ କିମ୍ବା ନିର୍ଦ୍ଦିଷ୍ଟ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ବନ୍ୟାଜଳ ପ୍ରବାହିତ ହେଉଥିବା କୌଣସି ରାସ୍ତା, ସେତୁ କିମ୍ବା କଲଭର୍ଟ ଉପରେ ଯାନବାହନ ଓ ପଦଚାରୀଙ୍କ ଚଳାଚଳ ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୫୧ରୁ ୬୦ ଏବଂ ପ୍ରଯୁଜ୍ୟ ଅନ୍ୟାନ୍ୟ ଆଇନ ଅନୁଯାୟୀ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଜାରି କରାଯାଇଥିବା ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ