ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ସ୍ଥାନୀୟ କଳିଙ୍ଗରୋଡ ସ୍ଥିତ ସରସ୍ୱତୀ ବିଦ୍ୟମନ୍ଦିର ପରିସରରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ସୁନିଲ୍ କୁମାର ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ପୂର୍ବତନ ସଂପାଦକ ଶିକ୍ଷାବିତ୍ ପ୍ରସନ୍ନ କୁମାର ପ୍ରଧାନ ଓ ସରସ୍ୱତୀ ବିଦ୍ୟାମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ସାବତ ଏବଂ ଗୁରୁମା ଶୁଭଶ୍ରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଭାରତୀୟ ସଂସ୍କୃତିରେ ଗୁରୁପୂର୍ଣ୍ଣିମା ଦିବସ ପାଳନ ଲକ୍ଷ୍ୟ, ଆଭିମୁଖ୍ୟ, ତାତ୍ପର୍ଯ୍ୟ, ମହତ୍ୱ ଓ ମହନୀୟତା ସାଙ୍ଗକୁ ଗୁରୁ-ଶିଷ୍ୟ ପରମ୍ପରାର ଗୌରବ ଏବଂ ମହର୍ଷି ବ୍ୟାସଦେବଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସାଙ୍ଗକୁ ଜୀବନର ଚଲାପଥରେ ଗୁରୁଙ୍କ ସ୍ଥାନ ସ୍ୱତନ୍ତ୍ର ହୋଇଥିବା ବେଳେ ଗୁରୁଙ୍କ ଆଶୀର୍ବାଦ ବିନା କେହି ଆଗକୁ ଅଗ୍ରସର ହେବା ଅସମ୍ଭବ ବୋଲି ପ୍ରକାଶ କରିବା ସହ ବିଦ୍ୟାର୍ଥୀମାନେ ଜୀବନରେ ସତ୍ୟ ଓ ଧର୍ମର ମାର୍ଗରେ ସଦାସର୍ବଦା ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ ଅବସରରେ ମହର୍ଷି ବ୍ୟାସଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସାଙ୍ଗକୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଗୁରୁଜୀ ରାଜାରାମ ଦାଶ, କିରଣ କୁମାର ଜେନା, ଉମାକାନ୍ତ ରଣା, କୃତିବାସ ମହାପାତ୍ର, ପ୍ରଭାସ କୁମାର ସାହୁ, ବାଇଧର ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ, ଦାଶରଥୀ ମହାପାତ୍ର, ଜଟାଧାରୀ ମହାନ୍ତି, ଅନନ୍ତ ନାରାୟଣ ପଣ୍ଡା, ଗୁରୁମା ଅନିତା ତ୍ରିପାଠୀ, ଗୀତାଞ୍ଜଳୀ ସାବତ, ଗୀତାଞ୍ଚଳୀ ପଟ୍ଟନାୟକ, ସୁଚିତ୍ରା ମହାପାତ୍ର, ସସ୍ମିତା ହୋତା, ପ୍ରତିମା ଦାଶ ପ୍ରମୁଖ ସହଯୋଗ କରିଥିଲା ବେଳେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


