ଆଦର୍ଶ ଶିକ୍ଷକ ସ୍ବର୍ଗତ ହରିହର ନାଥଙ୍କ ସ୍ମୃତିସଭା
ହାଟଡିହି (ଓ୍ବାଇଏନଏସ): ମୁଗୁପୁର ହାଇସ୍କୁଲର ପୂର୍ବତନ ଆଦର୍ଶ ଶିକ୍ଷକ ସ୍ବର୍ଗତ ହରିହର ନାଥଙ୍କ ସ୍ମୃତିସଭା ଆଚାର୍ଯ୍ୟ ଦୈତାରୀ ଗୁରୁ କୁଳମ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଚାର୍ଯ୍ୟ ଦୈତାରୀ ଗୁରୁକୁଳମ ଶିକ୍ଷାନୁଷ୍ଠାନ ଓ ମା ରମାଦେବୀ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବରିଷ୍ଠ ଶିକ୍ଷାବିତ ଜୟ ନାରାୟଣ ମହାପାତ୍ର, ଶିକ୍ଷାବିତ କିଶୋର ଚନ୍ଦ୍ର ନାୟକ, ଆଚାର୍ଯ୍ୟ ଦୈତାରୀ ଗୁରୁକୁଳମ ଅଧ୍ୟକ୍ଷା ଜୟନ୍ତୀ କୁମାରୀ ଓଝା, ପୁରାତନ ଛାତ୍ର କାର୍ତ୍ତିକ କୁମାର ଜେନା, ଶାନ୍ତିଲତା ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ହରି ସାରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ତାଙ୍କ ନିକଟରୁ ଶିକ୍ଷାଲାଭ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଅନ୍ତରରେ ସ୍ବର୍ଗତ ହରିହର ସାର ମାନେ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ସ୍ବର୍ଗତ ହରିସାର ଜଣେ ବିଦ୍ୱାନ, ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତିତା ଓ ସତ୍ୟବାଦୀ ଶିକ୍ଷକ ଥିଲେ ବୋଲି ସଭାରେ ଯୋଗଦେଇଥିବା ଡାକ୍ତର ଖିରୋଦ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ସୈନିକ ସୁକାନ୍ତ ନାୟକ, ଶିକ୍ଷାବିତ ମାନସ ନାୟକଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ମାନେ ମତ ରଖିଥିଲେ। ଆଚାର୍ଯ୍ୟ ଦୈତାରୀ ଗୁରୁକୁଳମର ପ୍ରତିଷ୍ଠାତା ଜନ୍ମେଜୟ ଓଝା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶରତ ଚନ୍ଦ୍ର ଜେନା, ବିଶ୍ୱନାଥ ନାୟକ, ମୃତ୍ୟୁଞ୍ଜୟ ଅଧିକାରୀ, ବଳରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ବର୍ଗତ ହରି ସାରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।


