ବନ୍ୟା କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା
ହାଟଡିହି (ଓ୍ବାଇଏନଏସ): ସାଳନ୍ଦୀ ନଦୀର ବନ୍ୟାଜଳ ସୋସୋ ଗ୍ରାମପଞ୍ଚାୟତର କାନପୁର ଓ ମରଚାଇପଦା ଗ୍ରାମରେ ଅନେକ କ୍ଷତି ଘଟାଇଛି। ନଦୀର କରାଳ ସ୍ରୋତ ଅନେକ ବାସଗୃହ ଓ ସ୍ଥାୟୀ ପକ୍କା ଶୌଚାଳୟକୁ ଭସାଇ ନେଇଥିବା ବେଳେ ବର୍ତ୍ତମାନ ଉଭୟ ଗ୍ରାମ ଅତ୍ୟନ୍ତ ବିପଦସଙ୍କୁଳ ପରିସ୍ଥିତିରେ ରହିଛି। ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଘଟଣାସ୍ଥଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ସାକ୍ଷାତ କରି ସେମାନଙ୍କର ଦୁଃଖଦୁର୍ଦ୍ଦଶା ଓ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଘଟଣାସ୍ଥଳରୁ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ , ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାର ଓ ବିଡିଓଙ୍କ ସହ ଏହି ଗୁରୁତର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଦୁଇଟି ଗ୍ରାମକୁ ସ୍ଥାୟୀ ସୁରକ୍ଷା ଯୋଗାଇବା ପାଇଁ ତୁରନ୍ତ କଙ୍କ୍ରିଟ୍ ନଦୀବନ୍ଧ ନିର୍ମାଣ କରିବା, ନଦୀଗର୍ଭରେ ଘର ହରାଇଥିବା ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ପ୍ରଦାନ କରିବା ଏବଂ ବନ୍ୟା ପାଣି ଗାଁ ଭିତରେ ପ୍ରବେଶ କରି ରାସ୍ତା ନଷ୍ଟ କରିଥିବାରୁ ରାସ୍ତାର ପୁନଃନିର୍ମାଣ ସହ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛିନ୍ତି | ପରିଦର୍ଶନ ସମୟରେ ଗ୍ରାମର ବିଜୟ କୁମାର ଜେନା, ବିଶ୍ବ ରଞ୍ଜନ ପାଣିଗ୍ରାହୀ, ଗୈରାଙ୍ଗ ଚରଣ ରାଉତ, ଦେବେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ କୁମାର ଜେନା, ଗଣେଶ ଚନ୍ଦ୍ର ଜେନା, ନରହରି ଖମାରୀ, ପଦ୍ମ ନାମ ବେହେରା, ଗଣେଶ ଚନ୍ଦ୍ର ଭୂୟାଁ, ଉତ୍ତମ ବେହେରା, ବିଜୟ ସାମଲ, ଗୋଲକ ଖମାରୀ, ମଞ୍ଜୁଲତା ବେହେରା, ମାଳତୀ ଖମାରୀ, ଅନିତା ବେହେରା, ପ୍ରହଲ୍ଲାଦ ବେହେରା, ବୃନ୍ଦାବନ ବେହେରା, ଶତୃଘ୍ନ ମହାପାତ୍ର, ଅକ୍ଷୟ ବେହେରା, ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


