କଲେଜ ଛାତ୍ରସଂସଦ ନିର୍ବାଚନକୁ ନେଇ ଅନିଶ୍ଚିତତା ଜାରି

ଆସିକା  (ୱାଇଏନ୍‍ଏସ୍‍) : ଅଗଷ୍ଟ ମାସ ଆରମ୍ଭ ହୋଇଯାଇଛି । ଚଳିତବର୍ଷ ଆସନ୍ତା ଅକ୍ଟୋବର ମାସ ୧୭ ତାରିଖରୁ କଲେଜ ଗୁଡିକରେ ଆରମ୍ଭ ହେବ ଦଶହରା ଛୁଟି । ଏଭଳି ସ୍ଥିତିରେ ଛାତ୍ରସଂସଦ ନିର୍ବାଚନକୁ ନେଇ ସରକାରୀ ବିଜ୍ଞପ୍ତିକୁ ଆସିକା ଅଞ୍ଚଳର ବହୁ ଛାତ୍ରନେତା ଅପେକ୍ଷା କରିବସିଛନ୍ତି । ଅପର ପକ୍ଷରେ କଲେଜ ଗୁଡିକରେ ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନ ହେବ କି ନାହିଁ ତାହାକୁ ନେଇ ମଧ୍ୟ ନାନା କଥା ଚର୍ଚ୍ଚା ହେଉଛି । ଛାତ୍ରସଂସଦ ନିର୍ବାଚନ ନେଇ ଅନିଶ୍ଚିତତା ଜାରି ରହିଥିଲା ବେଳେ ଆସିକା ଅଞ୍ଚଳରେ ଥିବା ବିଭିନ୍ନ କଲେଜରେ ଛାତ୍ର ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ଛାତ୍ରସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ଆସିକାର ବିଭିନ୍ନ କଲେଜରେ ନିଜର ପତିଆରା ଜାହିର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ବର୍ତ୍ତମାନ ସୁଦ୍ଧା ଟିକିଏ ଆଗୁଆ ଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଅଧିକାଂଶ ଛାତ୍ରନେତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଥିଲା ବେଳେ କଲେଜ କ୍ୟାମ୍ପସରେ ରାଜନୈତିକ ତାତି ବଢିବା ଆରମ୍ଭ ହୋଇଗଲାଣି । ରାଜ୍ୟରେ ନୁଆଁ ସରକାର ଆସୁ ଆସୁ ଗତ ୨୦୨୪ ଏବଂ ୨୦୨୫ ମସିହାରେ ଛାତ୍ରସଂସଦ ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଥିଲା ଓ ବହୁ ଛାତ୍ରନେତା ସକ୍ରିୟ ହୋଇପଡିଥିଲେ । ତେବେ କୌଣସି କାରଣରୁ ଛାତ୍ରସଂସଦ ନିର୍ବାଚନ ପାଇଁ ଆଶା ମଉଳି ଯାଇଥିଲା । ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେବା ପରେ ଆସିକାର ବିଭିନ୍ନ କଲେଜର ବହୁ ଛାତ୍ରନେତାଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ଛାତ୍ରସଂସଦ ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ଆସିକାରେ ବିଜୁ ଛାତ୍ର ଜନତା ଦଳ ଏବଂ ଅଖିଳ ବିଦ୍ୟାର୍ଥୀ ପରିଷଦ ଆଗୁଆ ଥିବା ଦେଖିବାକୁ ମିଳୁଛି । ଛାତ୍ରସଂସଦ ନିର୍ବାଚନ ସମୟରେ ଆସିକା ଅଞ୍ଚଳ ସଦାସର୍ବଦା ଚର୍ଚ୍ଚାରେ ରହିଆସିଛି ଓ ନିର୍ବାଚନ ଫଳାଫଳକୁ ନେଇ ବହୁ ପ୍ରମୁଖ ରାଜନେତାଙ୍କ ନଜର ମଧ୍ୟ ରହୁଛି । ଗତ ୨୦୧୭ ମସିହାରେ ଶେଷ ଥର ପାଇଁ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ୨୦୧୮ ମସିହା ଠାରୁ ନିର୍ବାଚନ ବନ୍ଦ ରହିଛି । ଆଗାମୀ ଛାତ୍ରସଂସଦ ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ବିଗୁଲ୍‍ ବାଜିନଥିଲେ ବି ବିଭିନ୍ନ କଲେଜର ବହୁ ଛାତ୍ରନେତା ସକ୍ରିୟ ହୋଇପଡିଲେଣି । ଯୁକ୍ତ ତିନି କଲେଜର ଛାତ୍ରସଂସଦ ଓ ଯୁକ୍ତଦୁଇ ଉଚ୍‍ ମାଧ୍ୟମିକ ବିଦ୍ୟାଳୟର ସାଂସ୍କୃତିର ପରିଷଦର ନିର୍ବାଚନକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଥିବା ବେଳେ ନିର୍ବାଚନ ପାଇଁ ସରକାରଙ୍କ ତାରିଖ ଘୋଷଣାକୁ ବହୁ ଛାତ୍ରନେତା ଅପେକ୍ଷା କରି ବସିଥିବା ଦେଖିବାକୁ ମିଳୁଛି । ନିୟମ ଅନୁସାରେ ଦଶହରା ଛୁଟି ପୂର୍ବରୁ ଛାତ୍ରସଂସଦ ନିର୍ବାଚନ ହେବା କଥା । ଆସନ୍ତା ଅକ୍ଟୋବର ମାସ ୧୭ ତାରିଖରୁ ଦଶହରା ଛୁଟି ଆରମ୍ଭ ହେବାକୁ ଥିବା ବେଳେ ଏଯାବତ୍‍ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରସଂସଦ ନିର୍ବାଚନ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଚଳିତବର୍ଷ ବି ଛାତ୍ରସଂସଦ ନିର୍ବାଚନ ହେବ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା ବେଳେ କ୍ୟାମ୍‍ସ ରାଜନିତୀ ଉଷ୍ମ ହେବାରେ ଲ।।ଗିଛି । ଛାତ୍ରସଂସଦ ନିର୍ବାଚନ ବେଳେ ଆସିକା ଅଞ୍ଚଳର ବିଭିନ୍ନ ମହାବିଦ୍ୟାଳୟ ସଦାସର୍ବଦା ଅତୀତରେ ଚର୍ଚ୍ଚାରେ ରହିଆସିଛି । ଆସିକା ଅଞ୍ଚଳର ବିଭିିନ୍ନ ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନ ଉପରେ ବହୁ ରାଜନେତାଙ୍କ ନଜର ରହିଆସିଛିି । ଆସିକା ଅଞ୍ଚଳର କେତେକ ମହାବିଦ୍ୟାଳୟର ଛାତ୍ର ରାଜନୀତି ଅତୀତରେ ସାରା ରାଜ୍ୟର ଦଷ୍ଟି ଆକର୍ଷଣ କରୁଥିବା ପରମ୍ପରା ରହିଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ