ଆସିକାରେ ଖାଲି ପଡିଛି ସ୍ଥାୟୀ ବିଇଓ ଏବଂ ୩ ଏବିଇଓ ପଦବୀ
ଆସିକା(ୱାଇଏନ୍ଏସ୍) : ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରିଚାଲିଥିଲା ବେଳେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସ୍ଥାୟୀ ବିଇଓ ଠାରୁ ଆରମ୍ଭ କରି ତିନୋଟି ସ୍ଥାୟୀ ଏବିଇଓ ପଦବୀ ଖାଲି ପଡିଥିଲେ ମଧ୍ୟ ତାହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ପଟେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ନଳବଣ୍ଟା, କାଳଷଣ୍ଢପୁର, ଆସିକା ସଦର, ବାବନପୁର, ଭେଟନଇ, ବଡଖୋଲି, ଖାରିଆ, କେ.ନୁଆଁପଲ୍ଲୀ, ବାଲିସିରା, କେନ୍ଦୁପଦର, ଗଙ୍ଗାପୁର, ହରିଡାପଦର, ନିମିନା କ୍ଳଷ୍ଟର ଅଧୀନସ୍ଥ ୧୫୨ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ସରକାରୀ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଥିଲା ବେଳେ ଅନ୍ୟ ପଟେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସ୍ଥାୟୀ ବିଇଓ ପଦବୀ ସମେତ ତିନୋଟି ସ୍ଥାୟୀ ଏବିଇଓ ପଦବୀ ଖାଲି ପଡିଥିବା ଯୋଗୁଁ ପ୍ରଶାସନିକ ଓ ଶୈକ୍ଷିକ କାର୍ଯ୍ୟ ବିଭିନ୍ନ ସମୟରେ ବାଧାପ୍ରାପ୍ତ ହେଉଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପ୍ରତି ଏ ଅବିଚାର ବୋଲି ମଧ୍ୟ କେତେକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସ୍ଥାୟୀ ବିଇଓ ରୂପେ କାହାରିକୁ ନିଯୁକ୍ତି କରାନଯାଇ କାର୍ଯ୍ୟରତ ବିଇଓଙ୍କୁ ନୟାଗଡକୁ ବଦଳି କରାଯିବା ଘଟଣାକୁ ନେଇ ସଚେତନ ନାଗରିକ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ସେହିପରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି ନଂ.୧୧୯୦୫ ତା.୨୦.୦୬.୨୦୨୬ ପ୍ରକାରେ କଙ୍କୋରଡା ସ୍ଥିତ ସରକାରୀ ଏନ୍ବି ବିଦ୍ୟାପୀଠର ପ୍ରଧାନଶିକ୍ଷକ ସୁଜିତ୍ କୁମାର ପାଢୀ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ବିଇଓ ରୂପେ ଅତିରିକ୍ତ ଦାୟିତ୍ୱରେ ଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଗୋଟିଏ ସ୍ଥାୟୀ ବିଇଓ ଓ ୩ଟି ସ୍ଥାୟୀ ଏବିଇଓ ପଦବୀ କେବେ ପୂରଣ ହେବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେଲା କାମଚଳା ନୀତିରେ ଚାଲିଛି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାଯ୍ୟାଳୟ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଂଜ ବେହେରା ଏବଂ ତରାସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ବେହେରା ଭାରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ ଦାୟିତ୍ୱରେ ରହି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ସ୍ଥାୟୀ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ଖାଲି ପଡିଥିଲେ ମଧ୍ୟ ତାହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ରାଜ୍ୟ ସରକାରଙ୍କ ଆସିକା ବିଇଓ କାର୍ଯ୍ୟାଳୟ ପ୍ରତି ଏହିି ଉପେକ୍ଷା ଓ ବୈମାତୃକ ମନୋଭାବ ନାହିଁ କି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସାଙ୍ଗକୁ ପିଲାଙ୍କୁ ସ୍କୁଲମୁହାଁ କରିବା ପାଇଁ ସରକାର ବିଭିନ୍ନ ଶିକ୍ଷା କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଥିଲା ବେଳେ ବ୍ଳକସ୍ତରରେ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା ଦିଗଦରେ ସରକାରଙ୍କ ନିଘା ନଥିବା ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୁରନ୍ତ ଧ୍ୟାନ ଦେଇ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଖାଲି ପଡିଥିବା ସ୍ଥାୟୀ ବିଇଓ ଏବଂ ତିନୋଟି ସ୍ଥାୟୀ ଏବିଇଓ ପଦବୀ ସମେତ ଅନ୍ୟାନ୍ୟ ପଦବୀ ଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି ।


