ତିରିଂ ବ୍ଲକରେ ସାର ବିକ୍ରିରେ ଅନିୟମିତତା ଅଭିଯୋଗ
ରାଇରଙ୍ଗପୁର,(ୱାଇଏନଏସ): ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକରେ ଚାଷୀମାନଙ୍କୁ ସାର ବିକ୍ରିରେ ଅନିୟମିତତା ଓ କଳାବଜାରୀ ହେଉଥିବା ଅଭିଯୋଗ କରି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ତିରିଂ ବ୍ଲକ କମିଟି ପକ୍ଷରୁ ବୁଧବାର ତିରିଂ ବିଡିଓ ଏବଂ ବ୍ଲକ କୃଷି ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ତୁରନ୍ତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଚାଷୀମାନଙ୍କୁ ସ୍ୱଚ୍ଛ ଓ ସୁବିଧାଜନକ ଭାବେ ଉଚିତ ମୂଲ୍ୟରେ ସାର ଯୋଗାଇ ଦେବାକୁ ଦାବି କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ତିରିଂ କୃଷି ସମବାୟ ସମିତିରେ ପର୍ଯ୍ୟାପ୍ତ ମାତ୍ରାରେ ସାର ଉପଲବ୍ଧ ହୋଇପାରୁ ନଥିବାରୁ ଚାଷି ମାନେ ସରକାରଙ୍କ ରିହାତି ମୂଲ୍ୟରେ ସାର ପାଇବାରୁ ବଞ୍ଚିତ ହେଉଛନ୍ତି। ସେପଟେ ତିରିଂ ବ୍ଲକ ଅଞ୍ଚଳରେ ଥିବା ବ୍ୟକ୍ତିଗତ ଖୁଦୁରା ସାର ବିକ୍ରୟ କେନ୍ଦ୍ର ଗୁଡିରେ ଚଢା ଦରରେ ପ୍ରକୃତ ମୂଲ୍ୟର ଦୁଇଗୁଣ ଅଧିକ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ତେବେ ଅଞ୍ଚଳର ଅଧିକାଂଶ ଚାଷି ଅଭାବ ଅନଟନରେ ରହୁଥିବା ନାମ ମାତ୍ର ଚାଷି ହୋଇଥିବାରୁ ଦୁଇଗୁଣ ଅଧିକ ଦରରେ ସାର କିଣିବାରେ ଅକ୍ଷମ ହେଉଥିବା ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ୟୁରିଆ, ଗ୍ରୋମର ଓ ଡିଏପି ପରି ସାର ଗୁଡିକର ଦର ତାଲିକା ବିକ୍ରୟ କେନ୍ଦ୍ରରେ ଉପଲବ୍ଧ କରାଯାଉ ନଥିବାବେଳେ ସମବାୟ ସମିତିରେ ୟୁରିଆ ସାରର ଦର ପାଖାପାଖି ୨୭୦ ଟଙ୍କା ରହିଥିବାବେଳେ ବଜାରରେ ୬୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଡିଏପି ସାର ଲ୍ୟାମ୍ପରେ ୧୩୫୦ ଟଙ୍କା ଦରରେ ମିଳୁଥିବା ବେଳେ ବଜାରରେ ୨୫୦୦ ଟଙ୍କାରେ ବିକ୍ରି ହେଉଛି, ସେହିପରି ୨୮୨୮୦ ଗ୍ରୋମର ସାର ୨୮୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଚଢା ଦରରେ ବିକ୍ରୟ ହେଉଥିବାରୁ ଚାଷିମାନେ ଶୋଷଣର ଶିକାର ହେବା ସହିତଏଭଳି ପରିସ୍ଥିତି ଚାଷ କାର୍ଯ୍ୟକୁ ପ୍ରଭାବିତ କରୁଥିବାରୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ଜେଏମଏମ ଦାବି କରିଛି। ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ତିରିଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଆନ୍ଦୋଳନ କରାଯିବ ଏବଂ ଏହାର ସମସ୍ତ ଦାୟିତ୍ୱ ପ୍ରଶାସନକୁ ବହନ କରିବାକୁ ପଡ଼ିବ। ତିରିଂ ବ୍ଲକ ଜେଏମଏମ ସଭାପତି ଫାଗୁ ଚରଣ ସୋରେନଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ସମୟରେ ବ୍ଲକ ସମ୍ପାଦକ ମହେନ୍ଦ୍ର ଗଡ଼ସେରା, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଶଙ୍ଖ ଚରଣ ମାଝୀ, କୋଷାଧ୍ୟକ୍ଷ ଗୁରୁଚରଣ ସୋରେନ, ଗୋପାଳ ଚନ୍ଦ୍ର ମୁର୍ମୁ, ରାମଚନ୍ଦ୍ର ହେମ୍ବ୍ରମ, ଗୁରୁବା ସୋରେନ, ମଙ୍ଗଲ ମାର୍ଣ୍ଡି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ.


