ମୁନିସିପାଲିଟିର ପଟ୍ଟନାୟକ ବନ୍ଧ ପୁନଃରୁଦ୍ଧାର ହେରଫେର ଅଭିଯୋଗ: ୩ ଭିଜିଲାନ୍ସ ଦ୍ଵାରା ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ମୁନିସିପାଲିଟିର ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଦୁର୍ନୀତି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ଗୁରୁବାର କାର୍ଯ୍ୟାନୁଷ୍ଠାନ ନେଇଛି। ସରକାରୀ ପାଣ୍ଠିରୁ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କା ହେରଫେର ଅଭିଯୋଗରେ ପାରଳା ମୁନିସିପାଲିଟିର ପୂର୍ବତନ ଜେଇ ଡି. ଯୁଧିଷ୍ଠିର, ବର୍ତ୍ତମାନର ମ୍ୟୁନିସିପାଲ ଇଞ୍ଜିନିୟର (ଏମ୍‌ଇ) ସଞ୍ଜୀବ ଚମ୍ପତ୍ତି ଓ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଭିଜିଲାନ୍ସ ତଦନ୍ତ ଅନୁଯାୟୀ,, ୨୦୧୯ରୁ ୨୦୨୨ ମଧ୍ୟରେ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ଓ ପଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ତିନୋଟି ରନିଂ ଆକାଉଣ୍ଟ (ଆର୍‌ଏ) ବିଲ୍‌ ମାଧ୍ୟମରେ କର କଟିବା ପରେ ମୋଟ ୧ କୋଟି ୨୨ ଲକ୍ଷ ୪୦ ହଜାର ୭୦୦ ଟଙ୍କା ଠିକାଦାରଙ୍କୁ ପ୍ରଦାନ କରାଯାଇଥିଲା। ତଦନ୍ତରେ ଅଭିଯୋଗ ହୋଇଛି ଯେ, ସେତେବେଳର ଜେଇ ଡି. ଯୁଧିଷ୍ଠିର କାର୍ଯ୍ୟ ହୋଇନଥିବା କିମ୍ବା ନିମ୍ନମାନରେ ହୋଇଥିବା କାମକୁ  ମେଜରମେଣ୍ଟ ବୁକ୍‌ (ଏମ୍‌ବି)ରେ ମିଥ୍ୟା ଓ ବର୍ଦ୍ଧିତ ମାପଜୁପ ଭାବେ ଲିପିବଦ୍ଧ କରିଥିଲେ। ପରେ ମ୍ୟୁନିସିପାଲ ଇଞ୍ଜିନିୟର ସଞ୍ଜୀବ ଚମ୍ପତ୍ତି ସେହି ମାପଜୁପକୁ ସଠିକ୍‌ ବୋଲି ଯାଞ୍ଚ କରି ଅନୁମୋଦନ ଦେଇଥିଲେ। ଏହାର ଆଧାରରେ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ସମ୍ପୂର୍ଣ୍ଣ ବିଲ୍‌ ପ୍ରଦାନ କରାଯାଇଥିଲା। ଭିଜିଲାନ୍ସର ସ୍ୱାଧୀନ ବୈଷୟିକ ଯାଞ୍ଚରୁ ପ୍ରକାଶ ପାଇଛି ଯେ, ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କା ମୂଲ୍ୟର କାମ ନିମ୍ନମାନରେ କିମ୍ବା କମ୍‌ ପରିମାଣରେ କରାଯାଇଥିବାରୁ ରାଜ୍ୟ ସରକାରଙ୍କ ରାଜକୋଷକୁ ସିଧାସଳଖ କ୍ଷତି ପହଞ୍ଚିଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଭିଜିଲାନ୍ସ ପିଏସ୍‌ କେସ୍‌ ନଂ–୦୭/୨୦୨୬ ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଭାରତୀୟ ଦଣ୍ଡବିଧିର ଧାରା ୧୨୦-ବି, ୪୦୯, ୪୨୦, ୪୬୮, ୪୭୧ ଓ ୪୭୭-ଏ ଅନୁଯାୟୀ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଭିଜିଲାନ୍ସ ପୂର୍ବରୁ ତତ୍କାଳୀନ ଇଓ, ଆକାଉଣ୍ଟାଣ୍ଟ, ଯନ୍ତ୍ରୀ ଓ ଠିକାଦାରଙ୍କୁ ପଚରାଉଚରା କରିବା ସହ ପ୍ରକଳ୍ପସ୍ଥଳରେ ମାପଜୁପ କରିଥିଲା। ପୌରପରିଷଦ କାର୍ଯ୍ୟାଳୟରେ ଚଢ଼ାଉ କରି ଟେଣ୍ଡର ଫାଇଲ୍‌, ମେଜରମେଣ୍ଟ ବୁକ୍‌, ବିଲ୍‌ ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରାଯାଇଥିଲା। ସେହି ତଦନ୍ତରେ ମିଳିଥିବା ପ୍ରମାଣ ଆଧାରରେ ଏହି ତିନିଜଣଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ କହିଛି, ମାମଲାର ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ