ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ପ୍ରଶାସନିକ ସଙ୍କଟ : କୁଳପତି ରଖିଲେ ପ୍ରତିକ୍ରିୟା
କଟକ, (ଓ୍ବାଇଏନଏସ): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ପ୍ରଶାସନିକ ସଙ୍କଟ ଓ ଆନ୍ଦୋଳନାତ୍ମକ ପରିବେଶ ମଧ୍ୟରେ ଶେଷରେ ନିଜର ପ୍ରତିକ୍ରିୟା ରଖିଛନ୍ତି କୁଳପତି ପ୍ରଫେସର ଡ଼ ଅର୍କ କୁମାର ଦାସ ମହାପାତ୍ର। ସୂଚନାଯୋଗ୍ୟ, ହଷ୍ଟେଲ ସମସ୍ୟା ନେଇ ମଙ୍ଗଳବାର ବୈଠକ ଚାଲିଥିବା ବେଳେ କଟକ ସଦର ବିଧାୟକ ପ୍ରକାଶ ସେଠୀ ଚିଫ୍ ୱାର୍ଡେନଙ୍କୁ ଦୁର୍ବବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଏକାଧିକ ୱାର୍ଡେନ ହଷ୍ଟେଲ ଦାୟିତ୍ବରୁ ଓହରିଯିବା ସହ ଭିସିଙ୍କୁ ଭେଟି ସାମୂହିକ ଇସ୍ତଫା ପତ୍ର ଦେଇଛନ୍ତି। ଆଜି ୱାର୍ଡେନ୍ ସଂଘ, କ୍ୟାମ୍ପସ ପରିସରରେ ଏକ ପଦଯାତ୍ରାରେ ଯାଇ କୁଳପତିଙ୍କୁ ୪ ଦଫା ଦାବି ପତ୍ର ଦେଇଛନ୍ତି । ଏଥିସହିତ ବିଧାୟକ ସେଠୀ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ୱାର୍ଡେନ ସଂଘ ଦାବିକୁ ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ମଧ୍ୟ ସମର୍ଥନ ଜଣାଇଛି । ଅନ୍ୟ ପକ୍ଷରେ ବିଧାୟକ ପ୍ରକାଶ ସେଠୀ ବିଶ୍ବବିଦ୍ୟାଳୟର ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ ଗତକାଲି ସେ ସିନେଟ ମେମ୍ବର ଭାବରେ ବିଶ୍ବବିଦ୍ୟାଳୟକୁ ଯାଇ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ । ତେବେ ସେଠାରେ ତାଙ୍କୁ ଚିଫ୍ ୱାର୍ଡେନ୍ ଦୁର୍ବ୍ୟବହାର କରିଥିବା ପ୍ରକାଶ ସେଠୀ ଅଭିଯୋଗ କରିଛନ୍ତି । ଜଣେ ଲୋକପ୍ରତିନିଧିଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର କରିଥିବାରୁ ସରକାରୀ କର୍ମଚାରୀ ସୁଦର୍ଶନ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ୱାର୍ଡେନ ସଂଘର ଆନ୍ଦୋଳନକୁ ନେଇ ପ୍ରକାଶ ସେଠୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


