ବୈତରଣୀ ନଦୀରେ ପୁନଶ୍ଚ ବନ୍ୟାଜଳ ବୃଦ୍ଧି : ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ
ଯାଜପୁର,(ପ୍ରଦୀପ କୁମାର ମଲ୍ଲିକ): ଲଗାଣ ବର୍ଷା ଓ ବୈତରଣୀ-କାଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ପୁନଶ୍ଚ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ଆଜି (୦୯.୦୮.୨୦୨୬) ଅପରାହ୍ନ ୪ଟା ସୁଦ୍ଧା ଦଶରଥପୁର ନିକଟରେ ନଦୀର ଜଳସ୍ତର ବିପଦ ସଙ୍କେତ (୯.୫୨ ମିଟର) ଟପି ୧୦.୬୦ ମିଟରରେ ପ୍ରବାହିତ ହେଉଛି। ଏହି ସଙ୍କଟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଦଶରଥପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସମଗ୍ର ସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ବିଶେଷ କରି ଡୋଭାବିଲ , ଖସାଲପୁର , କସପା ଓ ମଲ୍ଲିକାପୁର ପ୍ରଭୃତି ସଂବେଦନଶୀଳ ଓ ବନ୍ୟା ପ୍ଲାବିତ ଅଞ୍ଚଳ ବୁଲି ଦେଖିବା ସହ ଅହିୟାସ ଠାରେ ଘାଇ ମରାମତି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟାଜଳ ହ୍ରାସ ପାଇବା କ୍ଷଣି ଘାଇ ମରାମତି କାର୍ଯ୍ୟକୁ ଦ୍ରୁତ, ସୁଦୃଢ଼ ଓ ଗୁଣାତ୍ମକ ମାନରେ ସମ୍ପନ୍ନ କରାଯିବ। ଏହାସହ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାର ନିକଟରେ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ, ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ପଲିଥିନ୍ ପହଞ୍ଚାଇବା ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାର ୨ଟି ବ୍ଲକ୍ (ଦଶରଥପୁର ଓ ବଡ଼ଚଣା)ର ୪ଟି ଗ୍ରାମପଞ୍ଚାୟତ ଓ ୧୦ଟି ଗ୍ରାମର ମୋଟ ୧୩,୪୨୨ ଜଣ ଜନସାଧାରଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ୧୦ଟି ମାଗଣା ରୋଷେଇ / ରିଲିଫ୍ କେନ୍ଦ୍ର ଖୋଲାଯାଇ ୪,୯୬୪ ଜଣ (୩,୮୯୮ ବୟସ୍କ ଏବଂ ୧,୦୬୬ ଶିଶୁ)ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଆଜି ପ୍ରଭାବିତଙ୍କ ପାଇଁ ୦.୫୦ କ୍ବିଣ୍ଟାଲ ଛୁଡ଼ା ଓ ୦.୧୦ କ୍ବିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଥିବା ବେଳେ ତୁରନ୍ତ ଉଦ୍ଧାର ପାଇଁ ଦଶରଥପୁରରେ ୦୧ଟି ODRAF (ଓଡ଼୍ରାଫ୍) ଟିମ୍ ମୂତୟନ୍ ହୋଇଛନ୍ତି। ବନ୍ୟାରେ କୌଣସି ଜୀବନହାନି ହୋଇନଥିବା ସ୍ପଷ୍ଟ କରାଯାଇଛି। ଏହି ଗସ୍ତ ସମୟରେ ଦଶରଥପୁର ବିଡ଼ିଓଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବା ସହ ତୀକ୍ଷ୍ଣ ନଜର ରଖିଛି।


