ବନ୍ୟାରେ କ୍ଷୟକ୍ଷତିକୁ ନେଇ ପ୍ରାଥମିକ ରିପୋର୍ଟ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଦାନ କଲେ ବିଧାୟକ

ବାଲେଶ୍ବର(ସରୋଜ ପଣ୍ଡା): ଗତ ଜୁଲାଇ ମାସରେ ଲଘୁଚାପ ପ୍ରଭାବରେ ପ୍ରବଳ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତରେ ସୃଷ୍ଟି ହୋଇଥିବା ବନ୍ୟା ଓ ଦୀର୍ଘସ୍ଥାୟୀ ଜଳବନ୍ଦୀ ସମସ୍ୟା ଜନିତ ବ୍ୟାପକ କ୍ଷୟକ୍ଷତି ସମ୍ପର୍କୀତ ପ୍ରାଥମିକ ଆକଳନ ରିପୋର୍ଟକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଦାନ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଭୁବନେଶ୍ୱର ଠାରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ସାକ୍ଷାତ ପୂର୍ବକ ବିପର୍ଯ୍ୟୟ ରିଲିଫ୍ ନିୟମ ଅନୁଯାୟୀ ଆବଶ୍ୟକ କୃଷି ଇନ୍‌ପୁଟ୍ ସହାୟତା, ଫସଲ କ୍ଷତିପୂରଣ ଏବଂ ଅନ୍ୟାନ୍ୟ ଅନୁମୋଦିତ ସହାୟତା ତୁରନ୍ତ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।   ଏହି ରିପୋର୍ଟରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ କ୍ଷୟକ୍ଷତି ଆକଳନକୁ ସାମିଲ କରାଯାଇଥିବା ବିଧାୟକ ଶ୍ରୀ ଦତ୍ତ ଦର୍ଶାଇଛନ୍ତି । ଚଳିତ ବନ୍ୟାରେ ବିଭିନ୍ନ କିସମର ଚାଷ ଜମି, ଧାନ ଚାଷ ଓ ଧାନ ବିହନ ତଳି ଓ ଜଳସେଚନ ଭିତ୍ତିଭୂମି ପ୍ରଭୃତି ନଷ୍ଟ ହୋଇଥିବା ବେଳେ ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା, ଘରବାଡ଼ି ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା  ସହସ୍ରାଧିକ ପରିବାର, ବିଶେଷକରି ଚାଷୀମାନେ ଏହି ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପ୍ରାଥମିକ ଆକଳନ ଅନୁଯାୟୀ, ବନ୍ୟା ଓ ଜଳବନ୍ଦୀ ଯୋଗୁଁ ପ୍ରାୟ ହଜାର ହଜାର ହେକ୍ଟର ଚାଷଜମି ଓ ଧାନ ତଳି ପ୍ରଭାବିତ ହୋଇଛି । ଚାଷ ଓ ଧାନ ତଳି ନଷ୍ଟ ହୋଇଥିବାରୁ ଚଳିତ ଖରିଫ ଋତୁରେ ପୁନଃ ଚାଷ ଆରମ୍ଭ ନିମନ୍ତେ ପ୍ରଭାବିତ ଚାଷୀମାନଙ୍କୁ ତୁରନ୍ତ କୃଷି ଇନ୍‌ପୁଟ୍ ସହାୟତାର ଆବଶ୍ୟକତା ରହିଥିବା ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ।  ବନ୍ୟା ପ୍ରଭାବିତ ଅଂଚଳରେ ପୁନଃ ଧାନ ଚାଷ ପାଇଁ ପ୍ରାୟ ୨ହଜାର କ୍ୱିଣ୍ଟାଲ ଉନ୍ନତମାନର ଧାନ ବିହନ ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି । ବନ୍ୟା ପ୍ରଭାବିତ ଅଂଚଳର ଚାଷୀମାନଙ୍କୁ ଏହି ଧାନ ବିହନ ବିନା ମୂଲ୍ୟରେ ତୁରନ୍ତ ଯୋଗାଇଦେବା ପାଇଁ ବିଧାୟକ ଶ୍ରୀ ଦତ୍ତ ଅନୁରୋଧ କରିଛନ୍ତି । ସମୟୋଚିତ ଭାବେ ବିହନ ଯୋଗାଣ ହେଲେ ଚାଷୀମାନେ ଶୀଘ୍ର ପୁନଃ ବୁଣାବୁଣି ଆରମ୍ଭ ସହ କୃଷି ଓ ଜୀବିକା କ୍ଷତିକୁ ଭରଣା କରିପାରିବେ । ଅନ୍ୟପକ୍ଷରେ ବନ୍ୟା ଯୋଗୁଁ ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା, ଜଳସେଚନ ଭିତ୍ତିଭୂମି ଓ ଅନ୍ୟାନ୍ୟ ସର୍ବସାଧାରଣ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟର ତୁରନ୍ତ ସମୀକ୍ଷା ପୂର୍ବକ ମରାମତି, ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ମଞ୍ଜୁର କରିବାକୁ ବିଧାୟକ ଶ୍ରୀ ଦତ୍ତ ଅନୁରୋଧ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ