ମୃତ୍ୟୁପରେ ଅଙ୍ଗଦାନ କରି ଅମର ହେଲେ ଜୀବରତ୍ନମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ମୃତ୍ୟୁପରେ ମଧ୍ୟ ନୂତନ ଜୀବନ ଦେଇ ଅମର ହୋଇପାରିଛନ୍ତି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସବୋରା ପଞ୍ଚାୟତ ଅନ୍ତର୍ଗତ ଗୌଡତାଳସିଂ ଗ୍ରାମର ସିଏଚ୍. ଜୀବରତ୍ନମ୍ (45) । ଅଙ୍ଗ ଦାନ କରି ଅମର ହୋଇଛନ୍ତି । ସମସ୍ତ ମହଲରେ ସାଲ୍ୟୁଟ୍ ମାରୁଛନ୍ତି । ଅଞ୍ଚଳ ତଥା ଗ୍ରାମବାସୀ ମାନେ ସାଉଁଟୁଛନ୍ତି ଜୀବରତ୍ନମଙ୍କ ସାଙ୍ଗରେ ବିତାଇଥିବା ମୂହୁର୍ତ୍ତକୁ । ତେବେ ପୋଲିସ କିମ୍ବା ପ୍ରଶାସନ ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇ ନପାରିଥିବାକୁ ନେଇ ଆଲୋଚନା ମଧ୍ୟ ହେଉଛି । ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇଥିବା ଅଞ୍ଚଳବାସୀ ଜୀବରତ୍ନମଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଉଛନ୍ତି । ସେପଟେ ପରିବାର ଲୋକେ ଜୀବରତ୍ନମଙ୍କ ବିୟୋଗରେ ଦୁଃଖରେ ଭାଙ୍ଗିପଡିଥିଲେ ମଧ୍ୟ ଅଙ୍ଗଦାନ କରି ଅମର ରହିଥିବାକଥାକୁ ନେଇ ଗର୍ବିତ ମଧ୍ୟ କରୁଛନ୍ତି । ତେବେ ଏପରି ଅଙ୍ଗଦାନ ଘଟଣା ଗଜପତି ଜିଲ୍ଲାରେ କିଛି ହାତଗଣତିଙ୍କ ମଧ୍ୟରୁ ଜଣେ ଅଟନ୍ତି । ପ୍ରକାଶ ଯେ, ମୃତ ସିଏଚ୍. ଜୀବରତ୍ନମ ଗୁରୁବାର ସନ୍ଧ୍ୟା 7 ଘଣ୍ଟା ସମୟରେ ସୀମାନ୍ତ ଆନ୍ଧ୍ର ପ୍ରଦେଶରେ ରହୁଥିବା ନିଜ ଶଶୁରଙ୍କ ଘର ଗଙ୍ଗାରାଜପୁରମ୍ ଗ୍ରାମ କୁ ଚାଲି ଚାଲି ଯାଉଥିଲେ ।ତେବେ ଗୋଷାଣି ବ୍ଲକ ଜଙ୍ଗଲପାଡୁ ଗ୍ରାମ ନିକଟରେ କୌଣସି ଅଜଣା ଗାଡି ଧକ୍କା ଦେଇଚାଲିଯାଇଥିଲା । ସେହି ସମୟରେ ପ୍ରବଳ ବର୍ଷା ମଧ୍ୟ ହେଉଥିଲା । ଫଳରେ ଦୁର୍ଘଟଣା ଘଟିଥିବାର କେହି ଦେଖିପାରିନଥିଲେ ମଧ୍ୟ ଘଟଣାସ୍ଥଳରେ ପଡିରହିଥିବାର ଦେଖିଥିଲେ । ସେତେବେଳକୁ ଜୀବରତ୍ନମ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲେ । ପରେ ଗୁରାଣ୍ଡି ପୋଲିସ ପହଞ୍ଚି ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଯୋଗୁଁ ଶ୍ରୀକାକୁଲମ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ତାଙ୍କ ବଞ୍ଚିବା ଆଶାକ୍ଷୀଣ ବୋଲି ଡାକ୍ତରମାନେ ପ୍ରକାଶ କରିଥିଲେ । ଏପରି ପରିସ୍ଥିତିରେ ଅଙ୍ଗଦାନ ଏକ ମହତ୍ବପୂର୍ଣ୍ଣ କଥା ଶୁଣି ପରିବାର ଲୋକେ ମୃତ୍ୟୁ ପରେ ଜୀବରତ୍ନମଙ୍କ ଅଙ୍ଗଦାନ ସମ୍ପର୍କେ ଭାବିଥିଲେ । ତେବେ ତିନିଦିନର ଚିକିତ୍ସା ପରେ ଜୀବରତ୍ନମଙ୍କ ମୃତ୍ୟୁ ଘଟିଥିଲା । ପରେ ସପରିବାର ଅଙ୍ଗଦାନ ସମ୍ପର୍କେ ସମ୍ମତି ପ୍ରକାଶ କରିଥିଲେ । ଏହାପରେ ଜୀବରତ୍ନମଙ୍କ ହୃତପିଣ୍ଡ, ଲିଭର୍, କିଡ୍ନୀ ଆଦିପରି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଗୁଡିକ ପ୍ରତ୍ୟାର୍ପଣ ପାଇଁ ବାହାର କରାଯାଇଥିଲା । ତେବେ ଜୀବରତ୍ନମ ଅଙ୍ଗଦାନ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚାଇ ଥିବାରୁ ଆନ୍ଧ୍ର ସରକାରଙ୍କ ତରଫରୁ ପ୍ରଶଂସାପତ୍ର ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅମର ରହେ ଧ୍ବନୀ ସହ ସସମ୍ମାନ ପ୍ରଦାନ କରାଯାଇଥିବାର ଜଣାପଡିଛି । ଅନ୍ୟପକ୍ଷରେ ଜୀବରତ୍ନମଙ୍କ ପରିବାର ବହୁ ଗରୀବ ପରିବାର ହୋଇଥିବା ଏବଂ ତାଙ୍କର ଗୋଟିଏ ଲେଖାଏଁ ଛୋଟ ପୁଅ ଛୋଟ ଝିଅ ସହ ସ୍ତ୍ରୀ ରହିଛନ୍ତି । ଜୀବରତ୍ନମ ବଢେଇ କାମକରି ଗୁଜାରଣ ମେଣ୍ଟାଉଥିଲେ । ତେଣୁ ସରକାରୀ ସହାୟତା ପ୍ରଦାନ କରାଗଲେ ତାଙ୍କ ପରିବାର ଉପକୃତ ହୋଇପାରିବେ ବୋଲି ଗ୍ରାମର ସମାଜସେବୀ ବିନୋଦ ପରିଚ୍ଛା ପ୍ରମୁଖ ଜଣାଇଛନ୍ତି । ତେବେ ସମଗ୍ର ଅଞ୍ଚଳରେ ଗୋଟିଏ କଥା ଗୋଟିଏ ଲୋକଙ୍କ ମୃତ୍ୟୁ ଏବଂ ତାହା ପରେ ଅନ୍ୟମାନଙ୍କ ପାଇଁ ଜୀବନ ଦାନ ଅଞ୍ଚଳରେ ଏକ ଅନୁପମ ନିଦର୍ଶନ ହିସାବରେ ସ୍ମରଣୀୟ ହେବ ବୋଲି ଆଲୋଚନା ହେଉଛି ।


