ଓଡିଶା ମାନଚିତ୍ରରୁ ହଜି ଯାଇଛି କି ଗଜପତିର ରୁବାଲ ଗ୍ରାମ: ଦୀର୍ଘ ବର୍ଷ ଧରି ଭୋଟ ଦେବା ଅଧିକାରରୁ ବଞ୍ଚିତ ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଓଡିଶା ମାନଚିତ୍ରରୁ ହଜି ଯାଇଛି କି ଗଜପତିର ରୁବାଲ ଗ୍ରାମ.? ଦୀର୍ଘ ବର୍ଷ ଧରି ଭୋଟ ଦେବା ଅଧିକାରରୁ ବଞ୍ଚିତ ହୋଇ ଆସୁଛନ୍ତି ଏହି ଦୁର୍ଗମବାସୀ। ବୟସ ଆସି ଷାଠିଏରୁ ଉର୍ଦ୍ଧ୍ଵ ହେଲାଣି ।ହେଲେ ମିଳୁନାହିଁ ଭୋଟର କାର୍ଡ । ଯୋଡ଼ି ହୋଇ ପାରୁ ନାହାନ୍ତି ଭୋଟର ତାଲିକାରେ । ଏହା କେବଳ ଜଣେ କି ଦୁଇ ଜଣକ ସମସ୍ୟା ନୁହେଁ, ପୁରା ଗାଁର ରହିଛି ଏଭଳି ସମସ୍ୟା। ଭୋଟର କାର୍ଡ ନଥିବାରୁ ଆଜି ପର୍ଯ୍ୟନ୍ତ କୌଣସି ବି ନିର୍ବାଚନରେ ଭୋଟ ଦେଇପାରୁନାହାନ୍ତି ଏହି ଗାଁର ଲୋକେ। ଆଉ ଏମାନଙ୍କୁ ମିଳିପାରୁ ନାହିଁ ମୌଳିକ ଅଧିକାର । ମାନଚିତ୍ରରୁ ହଜି ଯାଇଛି ଏହି ରୁବାଲ୍ ଗ୍ରାମ। ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ଦୁର୍ଗମ ପୂରୁଣାପାଣି ପଞ୍ଚାୟତ ଅଧିନ ରୁବେଲ ଗ୍ରାମ । ଗାଁରେ ପାଖା ପାଖି ୩୫ ରୁ ୪୦ ପରିବାର ବସବାସ କରୁଛନ୍ତି । ଖାଲି ଭଙ୍ଗା ଦଦରା ଆଜବେଷ୍ଟ ଓ ଟିଣ ଛପର ଘର ଛଡା ଆଉ କିଛି ନାହିଁ ନିଜର ବୋଲି । ଏପରିକି ନିଜର ପରିଚୟ ଦେବାକୁ ମଧ୍ୟ ନିଜ ପାଖରେ ନାହିଁ ପରିଚୟ ପତ୍ର । ପ୍ରଥମ କରି ୧୯୯୫ରେ ପାଇଥିବା ଭୋଟର କାର୍ଡ ମାତ୍ର ଦୁଇ ତିନି ଜଣ ବୟସ୍କ ଲୋକଙ୍କ ପାଖରେ ଅଛି । କିନ୍ତୁ ନିର୍ବାଚନୀ ସମୟରେ କାମରେ ଆସେନି । ଏହି ରୂବାଲ ଗ୍ରାମ ଯେତେବେଳେ ଶିଆଳିଲଟି ପଞ୍ଚାୟତ ଅଧିନରେ ଥିଲା ସେହି ସମୟରେ ଭୋଟ ଦେଇଥିଲେ କିଛି ବ୍ୟକ୍ତି। ବର୍ତ୍ତମାନ ପଞ୍ଚାୟତ ବିଭାଜନ ହେବା ପରେ ଆଉ ସେ ଭୋଟ କାର୍ଡ଼ କାମ ଦେଉନି । ଏହା ମଧ୍ୟରେ ଅନେକ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇ ଗଲାଣି । ବର୍ତ୍ତମାନ ଭୋଟ ଦେବାକୁ ଯୋଗ୍ୟ ଥିବା ପୁରୁଷ ଓ ମହିଳାଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । କିନ୍ତୁ ଗ୍ରାମକୁ ଅନେକ ବିଏଲଓ ଆସୁଛନ୍ତି କିନ୍ତୁ ପରିଚୟ ପତ୍ର ହୋଇ ପାରୁନି । ବିଏଲଓଙ୍କୁ ପଚାରି ସେ କହିଛନ୍ତି ଏହି ଗ୍ରାମ ମୋ ଅନୁଭାଗରେ ନାହିଁ ମୁଁ କିପରି ସାମିଲ କରିବି । ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ନିର୍ବାଚନୀ ଅଧିକାରୀଙ୍କୁ ପଚାରିଲେ ସେ ଏସବୁ କାମ ବିଏଲଓଙ୍କର ବୋଲି କହି କଥାଟିକୁ ଆଡ଼େଇ ଦେଉଛନ୍ତି । ଏହି ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ କୌଣସି ସରକାରୀ ବାବୁ ନାରାଜ । ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ କିଛି ସରକାରୀ ବାବୁଙ୍କ ଅବହେଳା ପାଇଁ ନିରୀହ ଆଦିବାସୀ ଲୋକେ ବାଦ ପଡ଼ିଛନ୍ତି ଭୋଟର ତାଲିକାରୁ । ତେବେ ଏହି ଖବର ପ୍ରସାରଣ ପରେ କେବେ ଓ କିଭଳି ଏହି ସୁବିଧା ପାଇବେ ଗ୍ରାମବାସୀ ତାକୁ ହିଁ ଲୋକଙ୍କ ଅପେକ୍ଷା ।


