୪ମାସ ହେବ ମିଳୁନି ଭତ୍ତା: ଦୁର୍ଦ୍ଦିନରେ ବୃଦ୍ଧ,ବୃଦ୍ଧା ଭିନ୍ନକ୍ଷମ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବିଗତ ୪ମାସ ହେବ ମିଳୁନି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା। ଫଳରେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। ପରିଣତ ବୟସରେ ପ୍ରତ୍ୟେକ ମାସରେ ମିଳୁଥିବା ଏହି ଭତ୍ତା ଗଣ୍ଡାକୁ ଆଶ୍ରାକରି ସେମାନେ କୈାଣସି ପ୍ରକାର ଚଳି ଯାଉଥିଲେ। କିନ୍ତୁ ଗତ ୪ମାସ ହେବ ଭତ୍ତା ଗଣ୍ଡାକ ନମିଳିବାରୁ ଏହା ଉପରେ ଆଶ୍ରାକରି ଜୀବନ ବିତାଉଥିବା ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛଁନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ସମାଜର ଅସହାୟ, ନିଃସ୍ୱ, ଦରିଦ୍ୟ ଓ ଭିନ୍ନକ୍ଷମମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେଇ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ନିମନ୍ତେ ଏଭଳି ଯୋଜନାମାନ ପ୍ରଣୟନ କରିଛନ୍ତି। କିନ୍ତୁ ଏହିସବୁ ସାମାଜିକ ନିରାପତ୍ତା ଯୋଜନାର ସୁଫଳ ଯଦି ସେହିମାନଙ୍କୁ ନମିଳେ ଯାହାଙ୍କ ପାଇଁ ଏହା ପ୍ରଣୟନ ହୋଇଛି ତେବେ ଏତେସବୁ ଯୋଜନା କେବଳ ଯାହା ଲକ୍ଷ୍ୟଭ୍ରଷ୍ଟ ହେବା ବ୍ୟତୀତ ଆଉ କିଛି ମାନେ ନାହିଁ ବୋଲି ଭତ୍ତା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ପରିବାର ସଦସ୍ୟ କହିଛନ୍ତି। ସରକାରଙ୍କ ଏଭଳି ଯୋଜନାରେ ଯୋଡି ହୋଇଥିବା ନିଃସ୍ୱ, ଅସହାୟ, ଅବହେଳିତ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ଯଦି ସେଥିରୁ ବଞ୍ଚିତ ହୁଅନ୍ତି ଓ ଏହାମଧ୍ୟରେ କିଛି ଅଘଟଣ ଘଟେ ତେବେ ଏଭଳି ଯୋଜନାର ମୂଲ୍ୟ କ’ଣ ବୋଲି ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି।୬୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାସିକ ମାତ୍ର ଏକ ହଜାର ଟଙ୍କା, ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାତ୍ର ମାସିକ ସାଢେ ୩ହଜାର ଟଙ୍କା ଯୋଗାଇବାରେ ବିଜେପି ସରକାର ବିଫଳ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ କହିଛନ୍ତି। ସେ କହିଛନ୍ତି ଯେଉଁ ରାଜ୍ୟରେ ସରକାର ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଅସହାୟମାନଙ୍କ ବିପଦରେ ଛିଡା ହୋଇପାରୁ ନାହାନ୍ତି ସେଠାରେ ସରକାର ଅନ୍ୟ ଦିଗ ପ୍ରତି କିପରି ଯତ୍ନବାନ ହେବେ। ତେଣୁ ବାସ୍ତବରେ ବିଜେପି ସରକାର ଚଳାଇବାରେ ନିଜକୁ ଭିନ୍ନକ୍ଷମ ବୋଲି ପରିଚୟ ଦେଇଛି। ଏହି ଭିନ୍ନକ୍ଷମ ସରକାର କିପରି ଭିନ୍ନକ୍ଷମ ଲୋକମାନଙ୍କୁ ଭତ୍ତା ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିଣତ ବୟସରେ ଏହି ଭତ୍ତା ଉପରେ ନିର୍ଭରକରି ଚଳୁଥିବା ୮୬ବର୍ଷର ବୃଦ୍ଧ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ରାଜକିଶୋର ମହାନ୍ତି, ହରିଡାଦଣ୍ଡା ଗ୍ରାମର ଶରତ ସାମଲ, ଭରତପୁର ଗ୍ରାମର ଶ୍ରୀଧର କୁମାର ସ୍ୱାଇଁଙ୍କ ସମେତ ବହୁ ଭିନ୍ନକ୍ଷମ, ବୃଦ୍ଧ ଓ ବୃଦ୍ଧାମାନେ ଏ ନେଇ ପ୍ରଶାସନ ଓ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏସମ୍ପର୍କରେ କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁଙ୍କୁ ପଚାରିବାରେ ସେ କହିଲେ ରାଜ୍ୟ ସ୍ତରରୁ ଭତ୍ତା ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଆସୁନି। କିଛି ବୈଷୟିକ ତୃଟି ଯୋଗୁଁ ଏଭଳି ହୋଇଛି। ଆମେ ଏସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛୁ। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ବିଡିଓ ଶ୍ରୀ ସ୍ୱାଇଁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ