ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ୍ ଅଭିଯୋଗ
ହାଟଡ଼ିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅନ୍ତର୍ଗତ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଅନୁଦାନରେ କାର୍ଯ୍ୟ ନକରି କାଗଜକଲମରେ କାର୍ଯ୍ୟ ସମ୍ପାଦିତ ଦର୍ଶାଇ ଅର୍ଥ ଉଠାଣ ହୋଇଥିବା ନେଇ ହୋଇଥିବା ଅଭିଯୋଗକୁ ନେଇ ଅସନ୍ତୋଷ ତେଜିଛି। ଅଭିଯୋଗ ହେବାର ମାସାଧିକ ସମୟ ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିବାବେଳେ ଅଭିଯୋଗକାରୀମାନଙ୍କୁ ତଦନ୍ତ ସମୟରେ ଡକାଯାଇନଥିବା କିମ୍ବା ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି। ଫଳରେ ତଦନ୍ତର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇ ଅଭିଯୋଗକାରୀମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସଢ଼ା ଗ୍ରାମର ଅନନ୍ତ ଚରଣ ପହିଙ୍କ ସମେତ ନରେନ୍ଦ୍ର ପୁହାଣ, ଅକ୍ଷୟ ପହି, ଜଗନ୍ନାଥ ପୁହାଣ, କୃପାସିନ୍ଧୁ ପୁହାଣ, ହରିହର ପୁହାଣ, ସୁଧାଂଶୁ ଶେଖର ପୁହାଣ ପ୍ରମୁଖ ଗ୍ରାମବାସୀ ପଞ୍ଚାୟତର ବିଭିନ୍ନ ଯୋଜନାରେ ଅନିୟମିତତା ହୋଇଥିବା ଦର୍ଶାଇ ତଦନ୍ତ ଦାବି କରିଥିଲେ। ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ବିନା କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ଉଠାଣ ହୋଇଥିବା ନେଇ ପ୍ରଶ୍ନ ଉଠିଛି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ପଞ୍ଚାୟତର କୌଣସି ୱାର୍ଡରେ ଜଳଛତ୍ର ଖୋଲାଯାଇନଥିଲା। ତଥାପି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ଦର୍ଶାଇ ଭାଉଚର ମାଧ୍ୟମରେ ୧୧ ଜୁନ୍ ୨୦୨୬ରେ ୧ ଲକ୍ଷ ୬ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଏହି ଅର୍ଥ ପଞ୍ଚାୟତର ପିଇଓଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିବା ବ୍ଲକ ପକ୍ଷରୁ କୁହାଯାଇଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି। ସେହିପରି ବର୍ଜ୍ୟବସ୍ତୁ ସଂଗ୍ରହ ନାମରେ ମୋଟ ୧ ଲକ୍ଷ ୨୯ ହଜାର ୬୦୦ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ରହିଛି। ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରି ପଞ୍ଚାୟତକୁ ଅଣାଯିବା କାର୍ଯ୍ୟରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଇ ୨ ନଭେମ୍ବର ୨୦୨୫ରେ ଭାଉଚର ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଇଥିବା କୁହାଯାଇଛି। ତେବେ ଅଭିଯୋଗକାରୀମାନେ ଏହି ଅର୍ଥ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ମାଧ୍ୟମରେ ପ୍ରଦାନ କରାଯିବା କଥା ବୋଲି ଦର୍ଶାଇଛନ୍ତି। ଏପରିସ୍ଥଳେ ଅର୍ଥ ପିଇଓଙ୍କ ଆକାଉଣ୍ଟକୁ ସିଧାସଳଖ କିପରି ଗଲା, ତାହାର ତଦନ୍ତ ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଖଳାଗଡ଼ିଆ ପୋଖରୀ ଚାରିପଟେ ବୃକ୍ଷରୋପଣ କରାଯାଇଥିବା ଦର୍ଶାଇ ୪୫ ହଜାର ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ମଧ୍ୟ ଆସିଛି। ୨୦ ଫେବୃଆରୀ ୨୦୨୬ରେ ଭାଉଚର ମାଧ୍ୟମରେ ଏହି ଅର୍ଥ ପିଇଓଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିବା କୁହାଯାଇଛି। ତେବେ ଉକ୍ତ ସ୍ଥାନରେ ଗୋଟିଏ ବି ଗଛ ଲଗାଯାଇନଥିବା ଅଭିଯୋଗକାରୀ ମାନେ ଅଭିଯୋଗ କରିଛନ୍ତି। କିନ୍ତୁ ତଦନ୍ତ ସମୟରେ ରାସ୍ତା କଡରେ ଚାରା ରୋପଣ ହୋଇଥିବା ପଞ୍ଚାୟତ କର୍ତ୍ତୃପକ୍ଷ ତଦନ୍ତକାରୀ ଅଧିକାରୀଙ୍କୁ ଦର୍ଶାଇଛନ୍ତି। କିନ୍ତୁ ରାସ୍ତା କଡରେ ଲାଗିଥିବା ଗଛ ‘ଏକ ପେଡ ମା କେ ନାମ’ ଯୋଜନାରେ ଲଗାଯାଇଥିବା ଅଭିଯୋଗକାରୀ କହିଛନ୍ତି। ତେବେ ଅଭିଯୋଗ ହେବାର ମାସାଧିକ ସମୟ ପରେ ତଦନ୍ତ ହୋଇଥିବାବେଳେ ଅଭିଯୋଗକାରୀଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଇନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗକାରୀ ଅନନ୍ତ ଚରଣ ପହି କହିଛନ୍ତି ଯେ, ଯେଉଁ ଅଭିଯୋଗକୁ ଆଧାର କରି ତଦନ୍ତ ହେଉଛି, ସେହି ଅଭିଯୋଗକାରୀମାନଙ୍କ ମତାମତ ନନେଇ ତଦନ୍ତ କରାଯିବା ଦ୍ୱାରା ତଦନ୍ତର ସ୍ୱଚ୍ଛତା ନେଇ ସନ୍ଦେହ ସୃଷ୍ଟି ହେଉଛି। ତେଣୁ ସମଗ୍ର ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି। ଅଭିଯୋଗକାରୀମାନେ ଆହୁରି କହିଛନ୍ତି ଯେ, ସରକାରୀ ଅର୍ଥର ସଠିକ୍ ବିନିଯୋଗ ହୋଇଛି କି ନାହିଁ, ଦର୍ଶାଯାଇଥିବା କାର୍ଯ୍ୟ ବାସ୍ତବରେ ହୋଇଛି କି ନାହିଁ ଏବଂ ଅର୍ଥ କେଉଁ ଖାତାକୁ କିପରି ପ୍ରଦାନ କରାଯାଇଛି, ତାହାର ଦସ୍ତାବିଜ ଯାଞ୍ଚ ସହ ସ୍ଥଳ ପରିଦର୍ଶନ କରି ତଦନ୍ତ କରାଯିବା ଆବଶ୍ୟକ। ଏହି ଅଭିଯୋଗରେ ଯଦି ପ୍ରଶାସନ ତ୍ୱରିତ ଓ ସ୍ୱଚ୍ଛ ତଦନ୍ତ ନକରେ, ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା କ’ଣ ଏବଂ ପଞ୍ଚାୟତରେ ଉଠାଯାଇଥିବା ଅର୍ଥ ବାସ୍ତବରେ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଖର୍ଚ୍ଚ ହୋଇଛି କି ନାହିଁ, ତାହା ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ତେଣୁ ଅଭିଯୋଗଗୁଡ଼ିକର ଯଥାଶୀଘ୍ର ତଦନ୍ତ ସହ ରିପୋର୍ଟ ସାର୍ବଜନୀନ କରିବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ସେ କୌଣସି ମତାମତ ଦେବାକୁ ମନା କରିଛନ୍ତି। ଯେହେତୁ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତଦନ୍ତ ହେଲା ତେଣୁ ମୁଁ କିଛି ମନ୍ତବ୍ୟ ଦେଇ ପାରିବି ନି ବୋଲି କହିଛନ୍ତି।


