ବିଲ ମଝିରେ ଷ୍ଟ୍ରେଚରରେ ବୁହାହେଲା ରୋଗୀ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ସ୍ୱାଧୀନତାର ଅମୃତ କାଳରେ ବି ଓଡ଼ିଶାର ଗୋଟିଏ ଗାଁ ଆଜି ମୌଳିକ ସୁବିଧାରୁ ବଞ୍ଚିତ। ରାସ୍ତା ଅଭାବରୁ ଗୁରୁତର ରୋଗୀଙ୍କ ପାଖକୁ ଆମ୍ବୁଲାନ୍ସ ପହଂଚି ପାରିଲା ନାହିଁ। ଶେଷରେ ଗ୍ରାମବାସୀ କାନ୍ଧରେ ଷ୍ଟ୍ରେଚର ବୋହି ବିଲ ଓ କାଦୁଅ ପାର କରି ରୋଗୀଙ୍କୁ ଡାକ୍ତରଖାନା ନେଲେ। ଏହି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତର ମଠ ସାହିରେ। ଗୁରୁବାର ପାଟଳଦା ପଂଚାୟତ ମଠ ସାହିର ଜଣେ ରୋଗୀ ହଠାତ ଅସୁସ୍ଥ ହୋଇପଡିଲେ। ପରିବାର ଲୋକେ ତୁରନ୍ତ ୧୦୮କୁ ଖବର ଦେଲେ। ଆମ୍ବୁଲାନ୍ସ ଆସି ଗାଁ ମୁଣ୍ଡରେ ଅଟକିଗଲା। କାରଣ ମଠ ସାହି ପର୍ଯ୍ୟନ୍ତ ଗୋଟିଏ ରାସ୍ତା ନାହିଁ। ଉପାୟ ନପାଇ ଗ୍ରାମବାସୀ ଆମ୍ବୁଲାନ୍ସରୁ ଷ୍ଟ୍ରେଚର ଆଣି କାଦୁଅ ମାଡି ପ୍ରାୟ ଅଧ କିଲୋମିଟର ବୋହି ଆଣିଲେ। ମୁହୂର୍ତ୍ତର ବିଳମ୍ବ ହୋଇଥିଲେ ଜୀବନ ଯାଇପାରିଥାନ୍ତା। ସ୍ଥାନୀୟ ଲୋକଙ୍କ ସିଧା ଅଭିଯୋଗ – ରାଜନୀତି ଓ ପ୍ରଶାସନିକ ଅବହେଳା ଯୋଗୁଁ ମଠ ସାହି ରାସ୍ତାରୁ ବଞ୍ଚିତ।ଏହା ଶହ ଜମିଜମା ସମସ୍ୟା ମଧ୍ୟ ରହିଛି।ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ବାରମ୍ବାର ଦରଖାସ୍ତ ଦିଆସାରିଲାଣି। କିନ୍ତୁ ଫାଇଲ କେବଳ ଟେବୁଲରୁ ଟେବୁଲକୁ ବୁଲୁଛି। ଦାୟିତ୍ୱରେ ଥିବା ଅଧିକାରିଣୀ ଖାମଖିଆଲ ମନୋବୃତ୍ତି ଯୋଗୁଁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ଘଟଣା ପରେ ଗଣମାଧ୍ୟମ ପ୍ରତିନିଧି ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା। ଲୋକଙ୍କ ଜୀବନ ସହ ଖେଳୁଥିବା ପ୍ରଶାସନ କାହାକୁ ଡରୁଛି ବୋଲି ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକ ବସନ୍ତ କୁମାର ଦାସ କହିଛନ୍ତି ଆମେ କ’ଣ ମଣିଷ ନୁହେଁ ବର୍ଷ ବର୍ଷ ଧରି ରାସ୍ତା ମାଗୁଛୁ। ଆଜି ଆମ୍ବୁଲାନ୍ସ ଆସିଲା ନାହିଁ, କାଲି କିଏ ମରିବ କିଏ ଜାଣେ ପ୍ରଶାସନ କ’ଣ ଲାଶ ପଡିବା ପର୍ଯ୍ୟନ୍ତ ଅପେକ୍ଷା କରିବ । ଆଉ ଜଣେ ଗ୍ରାମବାସୀ ସୁମନ୍ତ ଦାସ କହିଛନ୍ତି ତୁରନ୍ତ ମଠ ସାହିକୁ ପକ୍କା ରାସ୍ତା ହେଉ। ନଚେତ ଆଗାମୀ ଦିନରେ ଆମେ ସମସ୍ତେ ମିଳିମିଶି ଅସ୍ତରଙ୍ଗ ବ୍ଲକ ଅଫିସ ଘେରାଉ କରିବୁ। ଏ ନେଇ ଅସ୍ତରଙ୍ଗ ତହସିଲଦାର ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶନୀ ପତି କହିଛନ୍ତି ମୁଁ ଏ ସମ୍ପର୍କରେ ଅବଗତ ହୋଇଛି। ଖୁବ ଶୀଘ୍ର ସ୍ଥାନ ପରିଦର୍ଶନ କରି ଯେତେ ଶୀଘ୍ର ସମ୍ଭବ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବି। କୌଣସି ଗାଁ ମୌଳିକ ସୁବିଧାରୁ ବଞ୍ଚିତ ହେବା ଉଚିତ ନୁହେଁ। ତହସିଲଦାରଙ୍କ ଏହି ତ୍ୱରିତ ପ୍ରତିକ୍ରିୟାକୁ ଗ୍ରାମବାସୀ ସ୍ୱାଗତ କରିଥିଲେ। କିନ୍ତୁ ସେମାନଙ୍କ ପ୍ରଶ୍ନ ଗୋଟିଏ – ବ୍ଲକ ପ୍ରଶାସନ କେବେ ଶୁଣିବ ମଠ ସାହିର ଏହି ଘଟଣା ପ୍ରମାଣ କରୁଛି ଯେ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଥିଲେ ବି ମାଟି ସ୍ତରରେ ଲୋକଙ୍କ ଜୀବନ ସୁରକ୍ଷିତ ନୁହେଁ। ପ୍ରଶାସନ ଏବେ ଆଖି ଖୋଲିବ ନା ଆଉ ଗୋଟିଏ ଜୀବନ ଯିବା ପରେ ଜାଗିବ, ତାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ