ଚାଷ କାମ ବେଳେ ବିଲ ଭିତରେ ତ୍ରିରଙ୍ଗା ଉଡ଼ାଇଲେ ଚାଷୀ
ହାଟଡିହି, (ଓ୍ବାଇଏନଏସ): ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉଡ଼ିଛି ଜାତୀୟ ପତାକା। ଏହି ଦେଶପ୍ରେମରୁ ବାଦ ପଡ଼ିନାହାନ୍ତି ମାଟିର ମଣିଷ ଚାଷୀ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ଏଭଳି ଏକ ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନର ଦୃଶ୍ୟ ଦେଖିବାକୁ ମିଳିଛି। ଧାନ ରୁଆ ଓ ପୋତା କାମ ପାଇଁ ବିଲକୁ ଯାଇଥିବା ଚାଷୀମାନେ ଚାଷ କାମ ମଧ୍ୟରେ ଏକତ୍ରିତ ହୋଇ ବିଲ ଭିତରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏଥିସହ ଜାତୀୟ ସଙ୍ଗୀତ ଗାନ କରି ଦେଶମାତୃକା ପ୍ରତି ନିଜର ସମ୍ମାନ ଓ ଦେଶପ୍ରେମ ପ୍ରକାଶ କରିଥିଲେ।ଚାଷ କାମ ଛାଡ଼ି ଉତ୍ସବ ପାଳନ ନୁହେଁ, ବରଂ କର୍ମକ୍ଷେତ୍ରରେ ରହି ଦେଶପ୍ରେମର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଏହି ଚାଷୀମାନେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।


