ବାଲେଶ୍ୱରକୁ ହରାଇ ପୁରୀ ଚାମ୍ପିୟନ

କୋଣାର୍କ(ଓ୍ବାଇଏନଏସ): କୋଣାର୍କ- ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କୋଣାର୍କ ସ୍ପୋର୍ଟ୍ସ ଏକାଡେମୀ , ଜନମଙ୍ଗଳ ଯୁବ ସଂଗଠନ ଓ କୋଣାର୍କ ଏନ୍‌ଏସିର ମିଳିତ ସହଯୋଗରେ ଏନ୍‌ଏସି କଲ୍ୟାଣ ମଣ୍ଡପ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ରୋମାଞ୍ଚକର ଫାଇନାଲ୍‌ ମ୍ୟାଚ୍‌ରେ ବାଲେଶ୍ୱର କ୍ଲବ୍‌କୁ ୨-୦ ସେଟ୍‌ରେ ପରାସ୍ତ କରି ପୁରୀ କ୍ଲବ୍‌ ଚାମ୍ପିୟନ ହୋଇଛି। ଏହି ଟୁର୍ନାମେଣ୍ଟକୁ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନା ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ପ୍ରଭଞ୍ଜନ ମଲ୍ଲିକ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଚମ୍ପାହାର ଅଗ୍ନିଶମ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ବିଚିତ୍ର କୁମାର ଚୌଧୁରୀ, ଏନ୍‌ଏସି କାଉନସିଲର ସୌମ୍ୟରଞ୍ଜନ ସାହୁ, ନିହାର ରଞ୍ଜନ ବେଉରା, ବିଶ୍ୱମ୍ବର ବିଶ୍ୱାଳ, ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, ବ୍ୟବସାୟୀ ପଦ୍ମଚରଣ ବେଉରା ଓ ଶିକ୍ଷାବିତ୍‌ ରବୀନ୍ଦ୍ର ବାହୀନିପତି ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ଟୁର୍ନାମେଣ୍ଟରେ ବାଲେଶ୍ୱର କ୍ଲବ୍‌, ରେନବୋ କ୍ଲବ୍‌ ଭୁବନେଶ୍ୱର, ପୁରୀ କ୍ଲବ୍‌ ଓ ଚନ୍ଦ୍ରଭାଗା କ୍ଲବ୍‌ କୋଣାର୍କ ଅଂଶଗ୍ରହଣ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଚନ୍ଦ୍ରଭାଗା କ୍ଲବ୍‌କୁ ୨-୦ରେ ହରାଇ ବାଲେଶ୍ୱର ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ରେନବୋ କ୍ଲବ୍‌କୁ ୨-୧ରେ ପରାସ୍ତ କରି ପୁରୀ କ୍ଲବ୍‌ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ବାଲେଶ୍ୱର ରେନବୋ କ୍ଲବ୍‌କୁ ୨-୦ରେ ହରାଇଥିବା ବେଳେ ଚତୁର୍ଥ ମ୍ୟାଚ୍‌ରେ ପୁରୀ କ୍ଲବ୍‌ ଚନ୍ଦ୍ରଭାଗା କ୍ଲବ୍‌କୁ ୨-୦ରେ ପରାସ୍ତ କରିଥିଲା। ଲିଗ୍‌ ପର୍ଯ୍ୟାୟର ଖେଳ ଶେଷରେ ପୁରୀ ଓ ବାଲେଶ୍ୱର ଫାଇନାଲ୍‌ ପାଇଁ ଯୋଗ୍ୟତା ହାସଲ କରିଥିଲେ। ଫାଇନାଲ୍‌ ମ୍ୟାଚ୍‌ ୩ ସେଟ୍‌ ବିଶିଷ୍ଟ ହୋଇଥିବା ବେଳେ ପୁରୀ ଦଳର ଲଢ଼ୁଆ ଖେଳ ଆଗରେ ବାଲେଶ୍ୱର ଦଳ ଟିକି ପାରିନଥିଲା। ଶେଷରେ ପୁରୀ ୨-୦ରେ ବାଲେଶ୍ୱରକୁ ପରାସ୍ତ କରି କୋଣାର୍କ କପ୍‌-୨୦୨୬ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍‌ ଟୁର୍ନାମେଣ୍ଟର ଚାମ୍ପିୟନ ହୋଇଥିଲା। ବିଜୟୀ ପୁରୀ ଦଳକୁ ଚାମ୍ପିୟନ୍‌ ଟ୍ରଫି ସହ ୬ ହଜାର ଟଙ୍କା ଏବଂ ଉପବିଜେତା ବାଲେଶ୍ୱର ଦଳକୁ ରନର୍ସଅପ୍‌ ଟ୍ରଫି ସହ ୪ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭଲିବଲ୍‌ କ୍ରୀଡ଼ାରେ ଅଞ୍ଚଳର ସୁନାମ ବୃଦ୍ଧି କରିଥିବା ଦୁଇ ଯୁବ ପ୍ରତିଭାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଜାତୀୟ ଜୁନିଅର ଓ ଜାତୀୟ ସ୍କୁଲ୍‌ ଖେଳରେ ଅଂଶଗ୍ରହଣ କରିଥିବା ପ୍ରାଞ୍ଜଳ ରାଉତରାୟ ଏବଂ ଜାତୀୟ ସବ୍‌-ଜୁନିଅର ଖେଳରେ ଅଂଶଗ୍ରହଣ କରିଥିବା ସୌମ୍ୟଜିତ ସାହୁଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଝିପିଝିପି ବର୍ଷା ସତ୍ତ୍ୱେ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡ଼ିକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ। ମ୍ୟାଚ୍‌ଗୁଡ଼ିକୁ ଶ୍ରୀକାନ୍ତ ନାୟକ, ପ୍ରିୟରଞ୍ଜନ ସାହୁ, ଉଦୟଭାନୁ ସୁନ୍ଦରରାୟ, ବିଦ୍ୟୁତଭୂଷଣ ରଥ ଓ ତ୍ରିଲୋଚନ ଦାଶ ପରିଚାଳନା କରିଥିଲେ। ଟୁର୍ନାମେଣ୍ଟକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଦଳ, କୋଣାର୍କ ଏନ୍‌ଏସିର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, କୋଣାର୍କର ବ୍ୟବସାୟୀ ଓ ସହଯୋଗୀ ସଂଗଠନଗୁଡ଼ିକୁ କୋଣାର୍କ ସ୍ପୋର୍ଟ୍ସ ଏକାଡେମୀର ସଭାପତି ଚନ୍ଦ୍ରଶେଖର ରାଉତରାୟ ଓ ଜନମଙ୍ଗଳ ଯୁବ ସଂଗଠନର ସମ୍ପାଦକ ରାମକୃଷ୍ଣ ମହାନ୍ତି କୃତଜ୍ଞତା ଜଣାଇଥିଲେ। ସମଗ୍ର ଆୟୋଜନକୁ ସମ୍ପାଦକ ରମାକାନ୍ତ ଖଟୋଇ, ଉପସଭାପତି ରଶ୍ମିରଞ୍ଜନ ବିଶ୍ୱାଳ, ସଂଗ୍ରାମ କେଶରୀ ସାହୁ, ସଞ୍ଜୟ ପତି, ପ୍ରସନ୍ନ ମହାନ୍ତି, ସ୍ୱାଧୀନ କୁମାର ନାୟକ, ଶିଶିର କୁମାର ସେଠ, ସୁଜିତ ରାଉତରାୟ, ପିଙ୍କନ ପ୍ରସାଦ ଜେନା, ବିପିନ ବିହାରୀ ପରିଡ଼ା, ରମେଶ ସ୍ୱାଇଁ, ନୀଳମଣି ମହାନ୍ତି, ସୁଧାଂଶୁ ଶେଖର ପାଢ଼ୀ, ବିଶ୍ୱଜିତ ରାଉତରାୟ ଓ ଗିରିଜା ଶଙ୍କର ବେଉରା ପ୍ରମୁଖ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ