ମା ରତ୍ନମାଳୀ ହାଇସ୍କୁଲରେ ପ୍ରତିଭା ସମ୍ମାନ ସମାରୋହ
ଆସିକା (ୱାଇଏନ୍ଏସ୍): ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମା ରତ୍ନମାଳୀ ହାଇସ୍କୁଲରେ ଏକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ୨୦୨୫-୨୬ ଶିକ୍ଷାବର୍ଷରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ମା ରତ୍ନମାଳୀ ହାଇସ୍କୁଲ ସ୍ତରରେ ଟପ୍ପର ହୋଇ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ମେଧାବୀ ବିଦ୍ୟାର୍ଥୀ ମନୀଷା ପାଣିଗ୍ରାହୀ, ଅର୍ଚ୍ଚିତା କୁମାରୀ ପ୍ରଧାନ, ଅର୍ଚ୍ଚିତା ବିଶ୍ୱାଳ, ରୁଦ୍ର ପ୍ରଧାନଙ୍କୁ ଏହି ଅବସରରେ ମାନପତ୍ର, ଆର୍ଥିକ ସହାୟତା, ଟ୍ରଫି ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ଏବଂ ଅନ୍ୟ କେତେକ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ବିଦ୍ୟାଳୟ ଟପ୍ପରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ମା ରତ୍ନମାଳୀ ହାଇସ୍କୁଲର ପରିଚାଳନା କମିଟି ସଭାପତି ରଂଜିତ୍ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର ଏବଂ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ଉପସଭାନେତ୍ରୀ ଶ୍ରୀମତୀ ଅନିତା ପଣ୍ଡା ପ୍ରମୁଖ ଯୋଗଦେଇ ମେଧାବୀ ବିଦ୍ୟାର୍ଥୀମାନଙ୍କୁ ସିଲ୍, ଆର୍ଥିକ ସହାୟତା, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ବିଦ୍ୟାର୍ଥୀମାନେ ନିଜ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ôଚବା ପାଇଁ ଦୃଢତାର ସହ ଆଗେଇବାକୁ ପରାମର୍ଶ ଦେଇ ଜୀବନ ମୂଲ୍ୟବୋଧକୁ ହୃଦୟଙ୍ଗମ କରି ଦିବ୍ୟଗୁଣ ଧାରଣ କରିବା ଦ୍ୱାରା ଜୀବନର ମହନୀୟତା ପ୍ରତିପାଦିତ ହୋଇଥାଏ । ଜୀବନର ସାର୍ଥକତା ପ୍ରମାଣିତ କରିବାକୁ ହେଲେ ସଫଳତାର ସ୍ରୋତକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ । ଅବିରତ ପ୍ରୟାସ, କଠିନ ପରିଶ୍ରମ ଏବଂ ଉଚ୍ଚକୋଟୀର ଯୋଜନା ଓ ଚିନ୍ତାଧାରା ହିଁ ଜଣେ ମଣିଷକୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡୀ, ରଶ୍ମିତା ମହାପାତ୍ର, ପାଣ୍ଡବେଶ୍ୱର ଜେନା, ଗୋବିନ୍ଦ ପରିଡା, ଶଶୀଭୂଷଣ ସାହୁ, ପାଣ୍ଡବ ଗୌଡ, ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନାଙ୍କ ସମେତ ବହୁ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


