ବୋଲବମ ଯାତ୍ରା ହେଲା ଶେଷ ଯାତ୍ରା, ପାଣିରେ ବୁଡି କାଉଡିଆଙ୍କ ମୃତ୍ୟୁ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାାଁ ଥାନା ଅନ୍ତର୍ଗତ ତିରୁଣା ଗ୍ରାମର ବେଦବ୍ୟାସ ଦାସ ଓରଫ ବବୁଲ(୧୯)ସୋମବାର ପ୍ରାତଃ ସମୟରୁ ମହାଦେବଙ୍କ ନିକଟରେ ଜଳାଭିଷେକ କରିବା ପାଇଁ ବାହାରିଥିଲେ। ସେ ଉକ୍ତ ଗ୍ରାମ ବାଉଁଶଯୋରୀ ନାଳ ନିକଟରେ ଥିବା ପୋଲ ନିକଟରୁ ଜଳ ଉଠାଇ ନନ୍ଦିଗ୍ରାମସ୍ଥିତ ନନ୍ଦକେଶ୍ୱର ମହାଦେବପୀଠକୁ ବାହାରିଥିଲେ। ଦହିପାଳ,ବେଲକନ୍ଦା ଦେଇ ସେ ବାଉଁଶଯୋରୀ ନାଳକୁ ପାର ହେବା ସମୟରେ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ମଧ୍ୟାହ୍ନ ସମୟରେ ଘରେ ନ ପହଂଚିବାରୁ କେଉଁ ଆଡେ ପଳାଇ ଯାଇଥିବା କିମ୍ବା କିଏ ତାଙ୍କୁ ନେଇ ଯାଇଥିବା ପରିବାର ପକ୍ଷରୁ କୁହାଯାଇଥିଲା। ଏପରିକି ସୋସିଆଲ ମିଡିଆରେ ତାଙ୍କ ଫଟୋ ସେୟାର କରାଯାଇ ଖବର ଦେବାକୁ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ପରେ ଗ୍ରାମବାସୀ କାଳେ ନାଳ ଭିତରେ ଯାଇଥିବାର ସନ୍ଦେହ କରି ନାଉଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ନାଉଗାଁ ଅଗ୍ନିଶମ ବାହିନୀ ପହଂଚି ଦୀର୍ଘ ୨ଘଂଟାରୁ ଉଦ୍ଦ୍ୱର୍ ସମୟ ନାଳରେ ଖୋଜାଖୋଜି ପରେ ଉକ୍ତ ନାଳରୁ ବେଦବ୍ୟାସଙ୍କୁ ପାଇ କୂଳକୁ ଆଣିଥିଲେ। ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା। ଥାନାଧିକାରୀ ଦେବାଶୀଷ ପଣ୍ଡା ଘଟଣାସ୍ଥଳରେ ଉପସ୍ଥିତ ରହି ମର ଶରୀରକୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମୃତ ଦେହକୁ ସ୍ଥାନୀୟ ଲୋକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରୁ ଭିତରକୁ ଛାଡି ନଥିଲେ। ପ୍ରାୟ ଅଧ ଘଂଟାରୁ ଉର୍ଦ୍ଧ୍ୱ ସମୟ ବ୍ଳକଛକ-ବାଲିକୁଦା ରାସ୍ତାକୁ ଅବରୋଧ କରିଥିଲେ। ଯାହାଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଘଟଣାସ୍ଥଳରେ ଥାନାଧିକାରୀ ଦେବାଶୀଷ ପଣ୍ଡା, ବିଡିଓ ନିରଞ୍ଜନ ପରିଡା, ଅତିରିକ୍ତ ତହସିଲଦାର ଶରତ ପରିଡା ପହଂଚି ଅବରୋଧକାରୀଙ୍କୁ ବୁଝାଇଥିଲେ। ରାସ୍ତା ନିର୍ମାଣ କରୁଥିବା ଠିକାଦାର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳକୁ ନ ଆସିଲେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହେବନାହିଁ ବୋଲି ଜିଦ୍ ଧରିଥିଲେ। ପରେ ବିଡିଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଫୋନ ବନ୍ଦ ରହିଥିବା ଯୋଗୁ ଯୋଗାଯୋଗ ହୋଇ ପାରୁ ନଥିବା ବେଳେ ଆସନ୍ତା ଦିନ ସେମାନଙ୍କୁ ଡାକି ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ରାସ୍ତାଟି ନାଉଗାଁ-ଡାବର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାର ଦହିପାଳ ନିକଟରୁ ବେଲକନ୍ଦା ଦେଇ ନନ୍ଦିଗ୍ରାମକୁ ସଂଯୋଗ କରୁଛି। ଏହି ସଂଯୋଗୀକରଣ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି। ବେଲକନ୍ଦା ଓ ନନ୍ଦିଗ୍ରାମକୁ ସଂଯୋଗ କରିବା ପାଇଁ ମଝିରେ ବାଉଁଶଯୋରୀ ନାଳ ରହିଛି। ଏହି ରାସ୍ତାକୁ କାର୍ଯ୍ୟ କରୁଥିବା ଠିକାଦାର ଏହି ନାଳରେ ନୂତନ ପୋଲ ନିର୍ମାଣ କରିବା ସହିତ ପୁରୁଣା ପୋଲକୁ ଭାଙ୍ଗି ଦେଇଥିବା ବେଳେ ଉକ୍ତ ସ୍ଥାନକୁ ତାଡି ଦେଇଛି। ଯାହାଫଳରେ ସେଠାରେ ଗଭୀର ଜଳ ରହିଛି। ଏହି ବାଟ ଦେଇ ପୂର୍ବରୁ ସ୍ଥାନୀୟ ଜନସାଧାରଣ ନାଳରେ ପଶି ନନ୍ଦିକେଶ୍ୱର ପୀଠକୁ ଯାଇଥାନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ମର ଶରୀର ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିବା ପରେ ପରିବାର ଲୋକ ସେଠାରେ ପହଂଚିଥିବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା. ସଂଗ୍ରାମ ମହାନ୍ତି ମୃତ ଘୋଷଣା କରିବା ପରେ ଥାନାଧିକାରୀ ପଣ୍ଡା ତଦନ୍ତ ଆରମ୍ଭ କରିଥିଲେ। ବେଦବ୍ୟାସଙ୍କ ମୁହଁ,ନାକ ଓ ଆଖି ଆଦିରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା। ମୁଣ୍ଡରେ ବୋଲବୋମର ଏକ ଫିତା ବନ୍ଧା ଯାଇଥିଲା। ବୁଡିଯିବା ପରେ ନିଜକୁ ରକ୍ଷା କରିବା ପାଇଁ ସେ ଚେଷ୍ଟା କରିବା ସମୟରେ ପାଣି ମଧ୍ୟରେ ଥିବା ଭଙ୍ଗା ପୋଲର ରଡ ଓ ପଥର ନାକ ମୁହଁ ଓ ଆଖି ଆଦିରୁ ରକ୍ତସ୍ରାବ ହେଉଥିବା ସନ୍ଦେହ କରାଯାଉଛି। ତଦନ୍ତସ୍ଥଳକୁ ଡିଏସପି (କ୍ରାଇମି) ରବିନ୍ଦ୍ର କୁମାର ପାତ୍ର ଉପସ୍ଥିତ ଥିବା ବେଳେ ଏକଜୁକୁଟିଭି ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଶରତ ପରିଡା ଉପସ୍ଥିତ ଥିଲେ। ପରିବାର ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବେଦବ୍ୟାସ ବାସୁଦେବ ଦାସ ଓ ପ୍ରାଞ୍ଜୁଲତା ଦାସଙ୍କର ଏକମାତ୍ର ପୁତ୍ର। ସେ ବି.ଟେକର ୨ୟ ବର୍ଷର ଛାତ୍ର ଥିଲେ। ଜଳାଭିଷେକ ପାଇଁ ସେ ଗ୍ରାମକୁ ଆସିଥିଲେ। ତାଙ୍କ ମା’ ଶିକ୍ଷୟିତ୍ରୀ ଥିବା ବେଳେ ବାପା ବ୍ୟବସାୟ କରନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।


