ବର୍ଷା ବିତ୍ପାତ, ଜଳାର୍ଣ୍ଣବ ବିସ୍ତୀର୍ଣ୍ଣ ଅଞ୍ଚଳ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିସ୍ତୀର୍ଣ୍ଣ ଚାଷଜମି ଜଳମଗ୍ନ ହୋଇଛି। ଗତ କିଛିଦିନ ଧରି ଲଗାତାର ବର୍ଷା ଲାଗି ରହିଥିବା ବେଳେ ଗତକାଲି ରାତିରୁ ଆଜି ସକାଳ ୫ଟା ମଧ୍ୟରେ ପ୍ରାୟ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି। ଫଳରେ ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଷଜମିରେ ବର୍ଷାଜଳ ଜମି ରହିଛି। ବିଶେଷକରି ଶାସଙ୍ଗ, ପଞ୍ଚୁଗୋଛିଆ, ବଞ୍ଚୋ, ହାଟଡିହି, ସୁଲଣ, ବଡରମ୍ପାସ, ଇଞ୍ଚୋଳ, ପନ୍ଦାଡୋ ଓ ମରେଇଗାଁ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ନିମ୍ନାଞ୍ଚଳରେ ଥିବା ଅନେକ ଚାଷଜମିରେ ପାଣି ଜମି ରହିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ଚାଷୀମାନେ ଆଗକୁ ଚାଷକାମ ନେଇ ଆଶଙ୍କାରେ ରହିଛନ୍ତି। ଅନ୍ୟପଟେ ଅନେକ ଚାଷୀ ଏବେ ଧାନ ତଳି ରୋଇଥିବାରୁ ଜମିରେ ଅଧିକ ସମୟ ପାଣି ଜମି ରହିଲେ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଫଳରେ ଚଳିତ ଖରିଫ ଋତୁରେ ଧାନଚାଷ କିପରି ହେବ, ତାହାକୁ ନେଇ ଚାଷୀକୁଳ ଚିନ୍ତିତ ହୋଇପଡ଼ିଛନ୍ତି। ସେହିପରି ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ଯୋଗୁଁ ଆଇତିପୁର ପଞ୍ଚାୟତର ଅନେକ ଗାଁ ମଧ୍ୟ ଜଳମଗ୍ନ ହୋଇଛି। ନୂଆଗାଁରୁ ଆଇତିପୁର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଅଞ୍ଚଳ ପାଣିରେ ବୁଡ଼ି ରହିଥିବାରୁ ଏହା ସମୁଦ୍ର ଭଳି ଦେଖାଯାଉଛି। ରାଘବପୁର, ମଧୁପୁର ଓ ରତକଣା ଆଦି ଗ୍ରାମରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ବୈତରଣୀ ନଦୀର ଜଳସ୍ଥର ବୃଦ୍ଧି ପାଉଥିବାରୁ ଆଜି ରାତି ଭିତରେ ଗାଁ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେବାର ଆଶଙ୍କା ଦେଖାଦେଇଛି ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି। ବାରମ୍ବାର ବନ୍ୟାଜଳ ମାଡ଼ି ଆସୁଥିବାରୁ ଏହି ଅଞ୍ଚଳର ଚାଷୀମାନେ ଠିକ୍ ଭାବେ ଚାଷକାମ ଆଗେଇ ନେଇପାରୁନାହାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ଓ ଚାଷଜମିର କ୍ଷୟକ୍ଷତି ଆକଳନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।


