ଏଗ୍ରିଷ୍ଟାକ ନିୟମ ବାତିଲ ଦାବିରେ ଋଷିକୂଲ୍ୟା ରୟତ ମହାସଭାର ବିରାଟ ଗଣଧାରଣା
ଛତ୍ରପୁର, (ଓ୍ବାଇଏନଏସ): ଏଗ୍ରିଷ୍ଟାକ ନିୟମ ବାତିଲ କରିବା, ଭଗଚାଷୀ ସମେତ ସମସ୍ତ ଚାଷୀଙ୍କ ନାମ ପଞ୍ଜିକରଣ କରି ସରକାରୀ ଦରରେ ଧାନ କ୍ରୟ କରିବା, ମନ୍ଦିର ଜମି ଚାଷ କରୁଥିବା ଚାଷୀଙ୍କୁ ଚାଷୀ ଭାବେ ସ୍ୱୀକୃତି ଦେବା ଏବଂ ତୁରନ୍ତ ସେଟଲମେଣ୍ଟ କ୍ୟାମ୍ପ ଆୟୋଜନ କରିବା ସହ ୧୦ ଦଫା ଦାବି ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ମଙ୍ଗଳବାର ଚାଷୀଙ୍କ ହିତ ନିମନ୍ତେ ଆନ୍ଦୋଳନ କୁ ଓଲ୍ଲାଇଛନ୍ତି । ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ଦାବି ପୂରଣ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ବିରାଟ ଗଣଧାରଣା ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଚାଷୀ, ଚାଷୀ ନେତା ଓ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତିକୁ ସମାଲୋଚନା କରିଥିଲେ। ବକ୍ତାମାନେ କହିଥିଲେ ଯେ, ଚାଷୀ ହେଉଛନ୍ତି ଦେଶର ଅନ୍ନଦାତା। କିନ୍ତୁ ସେମାନଙ୍କ ଅଧିକାର ପ୍ରତି ଅବହେଳା କରାଯାଉଛି। ଚାଷୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ। “ମରିବୁ ପଛେ ଛାଡ଼ିବୁ ନାହିଁ, ଆମ ଅଧିକାର ଆମେ ଛାଡ଼ିବୁ ନାହିଁ” ସ୍ଲୋଗାନରେ ଧାରଣାସ୍ଥଳ ପ୍ରକମ୍ପିତ ହୋଇଥିଲା। ଏହି ଲଢେଇ କେବଳ ଚାଷୀଙ୍କ ନୁହେଁ, ବରଂ ସମସ୍ତ ଅନ୍ନଦାତାଙ୍କ ଅଧିକାର ଓ ସମ୍ମାନର ଲଢେଇ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ସ୍ଥାନୀୟ ରିକାପଲ୍ଲୀ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଛତ୍ରପୁର ସହରପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ସଂଯୋଜକ ବିଜୟ ସ୍ୱାଇଁ, ବରିଷ୍ଠ କଂଗ୍ରେସ ନେତା ଭାଗୀରଥୀ ବେହେରା, ଗଣପତି ବାରିକ, ପୂର୍ଣ୍ଣଚନ୍ଦ୍ର ଦାଶ, ଆଇନଜୀବୀ ସୁମା ଦାସ, ସଂଯୁକ୍ତ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ସଚିନ ମହାପାତ୍ରଙ୍କ ସମେତ ଶହ ଶହ ଚାଷୀ ମାନେ ଉପସ୍ଥିତ ଥିଲେ।


