ଆଇତିପୁର ପଞ୍ଚାୟତ ଚାଷୀଙ୍କ ଦୁଃଖ ପାଲଟିଛି ବୈତରଣୀ ବନ୍ୟା
ହାଟଡିହି, (ଓ୍ବାଇଏନଏସ): ବୈତରଣୀ ନଦୀର ବନ୍ୟା ଜଳ ଏବେ ଆଇତିପୁର ପଞ୍ଚାୟତର ଚାଷୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଗୋଟିଏ ପରେ ଗୋଟିଏ ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ବନ୍ୟା ଜଳ ଛାଡ଼ିବାର ନାଁ ନେଉନଥିବା ବେଳେ ଶହ ଶହ ଏକର ଚାଷ ଜମି ଏବେବି ପାଣିରେ ବୁଡ଼ି ରହିଛି। ଫଳରେ ଚାଷୀଙ୍କ ଚଳିତ ଖରିଫ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବା ଆଶଙ୍କା ଦେଖାଦେଇଛି। ଶ୍ରାବଣ ମାସ ଶେଷ ହୋଇ ଭାଦ୍ରବ ମାସ ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ଚାଷ ଜମିରୁ ବନ୍ୟା ଜଳ ନିଷ୍କାସିତ ହୋଇନାହିଁ। ଏଭଳି ସ୍ଥିତିରେ ଚାଷୀ ତଳି ପକାଇବେ କେବେ ଓ ଧାନ ରୋଇବେ କେବେ, ତାହାକୁ ନେଇ ଚିନ୍ତା ବଢ଼ିଛି। ବିଳମ୍ବରେ ଧାନ ଚାଷ କଲେ ଅମଳ କେତେ ହେବ, ସେନେଇ ମଧ୍ୟ ଚାଷୀଙ୍କ ମନରେ ଆଶଙ୍କା ରହିଛି। ବୈତରଣୀର ବନ୍ୟା ଯୋଗୁଁ ଆଇତିପୁର, ରାଘବପୁର, ନୂଆଗାଁ, ରତକଣା, ମଧୁପୁର, ଅମୃତପୁର, ମଦରଙ୍ଗା ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷୀମାନେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଚାଷ ଜମିରେ ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ଧାନ ଗଛ ନଷ୍ଟ ହେବା ସହ ଅନେକ ଜମିରେ ପୁନର୍ବାର ଚାଷ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଓ ଅନୁଦାନ ପ୍ରଦାନ ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଏଯାବତ୍ ଅନେକ ଚାଷ ଜମିର କ୍ଷୟକ୍ଷତି ଆକଳନ କରାଯାଇନଥିବା ଅଭିଯୋଗ ହୋଇଛି। ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଚାଷ ଜମିର କ୍ଷୟକ୍ଷତି ଆକଳନ କରିବା ସହ ଯୋଗ୍ୟ ଚାଷୀଙ୍କୁ ଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ବନ୍ୟାରେ ଚାଷ ନଷ୍ଟ ହୋଇଥିବାରୁ ପରିବାର ଚଳାଇବା ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଜଳ ନିଷ୍କାସନ, କ୍ଷୟକ୍ଷତି ଆକଳନ ଓ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ଜରୁରୀ ହୋଇପଡ଼ିଛି।


