ମାହାଙ୍ଗାରେ ଉନ୍ନୟନ କାମ ରୋକିବା ଅଭିଯୋଗ, ୭ ଯନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ନୋଟିସ୍
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଉନ୍ନୟନ କାର୍ଯ୍ୟକୁ ନେଇ ସାମ୍ନାକୁ ଆସିଛି ବଡ଼ ଅଭିଯୋଗ । ଯୋଗ୍ୟ ଭିତ୍ତିଭୂମି ଥିବା ସତ୍ତ୍ୱେ ୩୭ଟି ପ୍ରକଳ୍ପକୁ କାଗଜପତ୍ରରେ ଅଯୋଗ୍ୟ ଦର୍ଶାଇ ଉନ୍ନୟନ କାମକୁ ରୋକିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମାହାଙ୍ଗା ବ୍ଲକର ୭ ଜଣ ଯନ୍ତ୍ରୀଙ୍କୁ କଟକ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।୨୦୨୬-୨୭ ଆର୍ଥିକ ବର୍ଷରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପ୍ରକଳ୍ପ ଅଧୀନରେ ମାହାଙ୍ଗା ବ୍ଲକ ପାଇଁ ୧୨୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା । ଏଥିପାଇଁ ପ୍ରାୟ ୫ କୋଟି ୩୯ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା । ତେବେ ୧୮ଟି ପଞ୍ଚାୟତର ୩୭ଟି ପ୍ରକଳ୍ପକୁ କାଗଜପତ୍ରରେ ଅଯୋଗ୍ୟ ଦର୍ଶାଯାଇଥିବା ଅଭିଯୋଗ ହୋଇଛି ।ଜନପ୍ରତିନିଧିଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇଥିଲା । କଟକ ସଦର ବ୍ଲକର ୩ ଜଣ ଯନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ତଦନ୍ତ ପରେ ଅଭିଯୋଗର ସତ୍ୟତା ସାମ୍ନାକୁ ଆସିଥିବା କୁହାଯାଉଛି । ମାହାଙ୍ଗା ବ୍ଲକର ମୋଟ ୮ ଜଣ ଯନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏହି ନୋଟିସ୍ ଜାରି କରାଯାଇଛି । ସହକାରୀ ଯନ୍ତ୍ରୀ ଅମିତା ମଲ୍ଲିକ, ଜଗନ୍ନାଥ ପ୍ରସାଦ ବାରିକ, ସାଗର ମଲ୍ଲିକଙ୍କ ସମେତ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ବେହେରା, ଚଣ୍ଡୀ ପ୍ରସାଦ ମିଶ୍ର, ରଶ୍ମିତା ସିଂହ ଓ ସୁଶାନ୍ତ ବେହେରା ନୋଟିସ୍ ପାଇଛନ୍ତି । ୭ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ** ଦିଆଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ନିୟମ ଅନୁସାରେ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏବେ ପ୍ରଶ୍ନ ଉଠୁଛି—ଯୋଗ୍ୟ ପ୍ରକଳ୍ପଗୁଡ଼ିକୁ ଅଯୋଗ୍ୟ ଦର୍ଶାଇବା ପଛରେ ପ୍ରକୃତ କାରଣ କ’ଣ? ଏବଂ ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ ଏବେ ତା’ଉପରେ ନଜର ରହିଛି ।


