ବନ୍ୟା ପ୍ରଭାବିତ ବଇଁଚା ପଞ୍ଚାୟତ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ସଦର ବିଧାୟକ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଇଁଚା ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ବନ୍ୟା ପରିସ୍ଥିତିର ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ବିପନ୍ନ ପରିବାରଗୁଡ଼ିକୁ ଭେଟି ସେମାନଙ୍କ ଦୁଃଖ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ସିଧାସଳଖ ଅବଗତ ହୋଇଥିଲେ। ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଯାତାୟାତ, ପାନୀୟ ଜଳ, ବିଦ୍ୟୁତ୍, ରାସ୍ତାଘାଟ ଓ କୃଷି କ୍ଷେତ୍ର ପ୍ରଭାବିତ ହୋଇଥିବାରୁ ବିଧାୟକ ଶ୍ରୀ ଦତ୍ତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ବନ୍ୟା ବିପନ୍ନଙ୍କ ମଧ୍ୟରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଜଳବନ୍ଦୀ ଓ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଯେପରି ଖାଦ୍ୟ ପାଇଁ କୌଣସି ଅସୁବିଧାରେ ନପଡ଼ନ୍ତି, ସେଥିପାଇଁ ଆବଶ୍ୟକ ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇବା ଓ ଅନ୍ୟାନ୍ୟ ରିଲିଫ୍ ସହାୟତା ଜାରି ରଖିବାକୁ ବିଧାୟକ ଗୁରୁତ୍ୱ ଦେଇଥିଲେ। ବିପଦ ସମୟରେ ମାନବିକତାର ସହ ଲୋକଙ୍କ ପାଖରେ ଠିଆ ହେବା ହିଁ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ ବୋଲି ସେ କହିଥିଲେ।ପରିଦର୍ଶନ ସମୟରେ ବନ୍ୟା ଯୋଗୁଁ ହୋଇଥିବା ରାସ୍ତାଘାଟ, ଡ୍ରେନେଜ୍, କୃଷି ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। କ୍ଷୟକ୍ଷତିର ଠିକ୍ ଆକଳନ କରି ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି। ବନ୍ୟା ବିପନ୍ନଙ୍କ ସୁରକ୍ଷା, ରିଲିଫ୍ ଓ ପୁନରୁଦ୍ଧାରକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ବନ୍ୟା ବିପନ୍ନଙ୍କ ସୁରକ୍ଷା, କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାର ଓ ଦୀର୍ଘମିଆଦୀ ସମାଧାନ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।


