ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପ ପ୍ରକଳ୍ପ ବିରୋଧରେ ବିଶାଳ ରାଲି
ନବରଙ୍ଗପୁର(ୱାଇଏନଏସ): ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତାବିତ ଏନଟିପିସି ର ଆଣବିକ ଶକ୍ତି ପ୍ରକଳ୍ପକୁ ବିରୋଧ। ୫ ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦା ବିଶାଳ ସମାବେଶ କରି ପ୍ରସ୍ତାବିତ ଏନଟିପିସି ଅଣୁବିଦ୍ୟୁତ ପ୍ରକଳ୍ପକୁ ନେଇ ନବରଙ୍ଗପୁର ଜିଲ୍ଲାରେ ତୀବ୍ର ଆରମ୍ଭ ହୋଇଛି। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ,ସର୍ଭେ ଓ ଅନ୍ୟାନ୍ୟ ପ୍ରାରମ୍ଭିକ କାର୍ଯ୍ୟକୁ ବିରୋଧ କରି ଏହି ପ୍ରତିବାଦ କରାଯାଇଛି।ପ୍ରତିବାଦକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସ୍ଥାନୀୟ ଲୋକଙ୍କ ସହମତି ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ନକରି କୌଣସି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ାଯିବା ଉଚିତ ନୁହେଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜମି, ଜଙ୍ଗଲ ଓ ଜୀବିକା ସହ ଜଡ଼ିତ ଲୋକଙ୍କ ଅଧିକାରକୁ ଅଣଦେଖା କରି ପ୍ରକଳ୍ପ କରାଗଲେ ଏହାକୁ ତୀବ୍ର ବିରୋଧ କରାଯିବ ।ସମାବେଶରେ ବିଜେଡି ଓ କଂଗ୍ରେସର ବହୁ ବଡ଼ ନେତା ଯୋଗଦେଇ ପ୍ରତିବାଦକାରୀଙ୍କ ସହ ସ୍ୱର ମିଳାଇଥିଲେ। ବରିଷ୍ଠ ନେତା ପ୍ରଦୀପ ମାଝୀ, ରମେଶ ମାଝୀ, ଭୁଜବଳ ମାଝୀ, ଡାକ୍ତର ସନରାଜ ଗଣ୍ଡ, ଡାକ୍ତର ଲିପିକା ମାଝୀ, ହାରାବତୀ ଗଣ୍ଡ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଦାବିକୁ ସମର୍ଥନ କରିଥିଲେ।ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ସର୍ଭେ, ଓ ଜମି ସମ୍ପର୍କିତ କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ପ୍ରକଳ୍ପ ସମ୍ପର୍କରେ ସରକାର ସ୍ପଷ୍ଟ ତଥ୍ୟ ଦେବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବାକୁ ଦାବି ହୋଇଛି।ସମାବେଶରେ ଆଦିବାସୀଙ୍କ ଜମି ଓ ଅଧିକାର ସୁରକ୍ଷା ସମ୍ପର୍କିତ ଆଇନ ଏବଂ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟର ଉଦାହରଣ ଦେଇ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ାଇବା ପୂର୍ବରୁ ଆଇନଗତ ନିୟମ ଓ ଜନସାଧାରଣଙ୍କ ଅଧିକାରକୁ ସମ୍ମାନ ଦେବାକୁ ଦାବି କରାଯାଇଥିଲା।ପ୍ରକଳ୍ପ ବିରୋଧୀ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ ବୋଲି ସମାବେଶରେ ଚେତାବନୀ ଦିଆଯାଇଛି। ଅନ୍ୟପଟେ, ଏହି ବିଶାଳ ସମାବେଶ ପରେ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ନବରଙ୍ଗପୁର ଜିଲ୍ଲାରେ ରାଜନୈତିକ ଓ ଜନଆନ୍ଦୋଳନ ର ତାତି ବଢ଼ିବାରେ ଲାଗିଛି।ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଆନ୍ଦୋଳନକାରୀ ।


