କଲେଜରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳିତ

ହାଟଡ଼ିହି, (ଓ୍ବାଇଏନଏସ): ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ସାମାଜିକ ସଚେତନତା, ଭାଇଚାରା ଓ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀ, ସାହିତ୍ୟିକ, ସାମାଜିକ କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ବିଭିନ୍ନ ବର୍ଗର ଲୋକେ ଯୋଗଦେଇଥିଲେ। ‘ଆମ ଓଡ଼ିଶା’ର ହାଟଡ଼ିହି ବ୍ଲକ ସଂଯୋଜକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ସଭାକୁ ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିଶାର କୁପ୍ରଭାବ, ଯୁବପିଢ଼ିଙ୍କ ଉପରେ ଏହାର ପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନରେ ସମସ୍ତଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ରତ୍ନାକର ଦାସ, ବରିଷ୍ଠ ଶିଶୁ ସାହିତ୍ୟିକା ବିଦ୍ୟୁତ ପ୍ରଭା ଦେଓ, ସାହିତ୍ୟଘରର ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ବଉଳା ସାହିତ୍ୟ ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡ଼ା, ସାହିତ୍ୟଘରର ଉପଦେଷ୍ଟା ଅମୂଲ୍ୟ ମିଶ୍ର, ବିଶିଷ୍ଟ ସାହିତ୍ୟିକ ଆନନ୍ଦ ଚନ୍ଦ୍ର ଓଝା, ନାରାୟଣ ଚନ୍ଦ୍ର ଲେଙ୍କା, ସହସମ୍ପାଦକ ନାରାୟଣ ସାହୁ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, କୈଳାଶ ବେହେରା, ସମିତି ସଭ୍ୟ ସୁଶାନ୍ତ କୁମାର ଜେନା, ଜ୍ୟୋସ୍ନା ରାଣୀ ଦାସ, କୈଳାଶ ରାଉତ ପ୍ରମୁଖ ଯୋଗଦେଇ ରକ୍ଷାବନ୍ଧନର ମହତ୍ତ୍ୱ ଓ ନିଶା ନିବାରଣ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।  ବକ୍ତାମାନେ କହିଥିଲେ ଯେ, ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ, ଏହାର କୁପ୍ରଭାବ ପରିବାର ଓ ସମାଜ ଉପରେ ମଧ୍ୟ ପଡ଼ିଥାଏ। ତେଣୁ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ସହିତ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ। ‘ଆମ ଓଡ଼ିଶା’ ପକ୍ଷରୁ ନିଆଯାଇଥିବା ଏଭଳି ସଚେତନତାମୂଳକ ପ୍ରୟାସକୁ ସମସ୍ତେ ସହଯୋଗ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ନିଶା ନିବାରଣ ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ଆଗାମୀ ଦିନରେ ହାଟଡ଼ିହି ଅଞ୍ଚଳରେ ସ୍ୱତନ୍ତ୍ର ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମଧ୍ୟ ଆଲୋଚନା ଓ ନିଷ୍ପତ୍ତି ହୋଇଥିଲା।ପରେ କଲେଜ ପରିସରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ନିଶା ନିବାରଣ ପାଇଁ ସମସ୍ତେ ସାମୂହିକ ଭାବେ ଶପଥ ପାଠ କରିଥିଲେ। ରକ୍ଷାବନ୍ଧନ ଅବସରରେ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଭରସା ଓ ସୁରକ୍ଷାର ଭାବନାକୁ ମଜବୁତ କରିବା ସହିତ ସମାଜକୁ ନିଶାମୁକ୍ତ କରିବାର ସଂକଳ୍ପ ନିଆଯାଇଥିଲା। ବରିଷ୍ଠ ସାହିତ୍ୟିକ ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିବାବେଳେ ସାମ୍ବାଦିକ ପାର୍ଥ ସୌରଭ ସା ଓ ବିକାଶ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତେ ନିଶାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବାକୁ ସଂକଳ୍ପ ନେଇଥିଲେ। କଲେଜର ଛାତ୍ରଛାତ୍ରୀ ଓ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସକ୍ରିୟ ଯୋଗଦାନରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ