ନିଶାମୁକ୍ତ ଓଡ଼ିଶା ଓ ସାଇବର ସଚେତନତା ସଭା

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ ରହିପାରିବା ଏବଂ ନିଶାମୁକ୍ତ ଓଡ଼ିଶା ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଅଧ୍ୟାପକ ଦୁର୍ଯୋଧନ ଜେନା ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଡ଼.ଶାନ୍ତନୁ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା,ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସତ୍ୟ ଶରଣ ପାଠୀ,ପୋଡ଼ାମାରି ଫାଣ୍ଡି ଏଏସଆଇ ପ୍ରଭାତ କୁମାର ବାଲିକାନା ମଞ୍ଚାସିନ ଥିଲେ।କ୍ରମଶଃ ବଢ଼ି ଚାଲିଥିବା ସାଇବର ଅପରାଧ ଓ ତାର ନିରାକରଣ ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ମୁଖ୍ୟଅତିଥି ଆଇଆଇସି ସଚେତନ କରାଇଥିଲେ। ସଚେତନତା ହିଁ ସାଇବର ଠକେଇ ପ୍ରତିକାରର ଶକ୍ତିଶାଳୀ ଅମୋଘ ଅସ୍ତ୍ର ଅଟେ। ଜନସଂଖ୍ୟାର ବୃଦ୍ଧି ସହ ପରିବର୍ତ୍ତିତ କୃତ୍ରିମ ବୁଦ୍ଧିମତା ଏବଂ ମୋବାଇଲ ଫୋନ ଯୁଗରେ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ କ୍ଷେତ୍ରରେ ସଂଯମତା ଓ ଉପସ୍ଥିତ ବୁଦ୍ଧି ଏବଂ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ସର୍ବଦା ଷ୍ଟ୍ରଙ୍ଗ ପାସ ୱାର୍ଡ ବ୍ୟବହାର କରିବା ଓଟିପି କାହାକୁ ନଦେବା ପାଇଁ ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ।  ସୋସିଆଲ ମିଡ଼ିଆ ବ୍ୟବହାର କରିବା ସମୟରେ ସତର୍କତା ନିମିତ୍ତ  ଅଧିକରୁ ଅଧିକ ସଚେତନତା ଜରୁରୀ ବୋଲି ସଭାରେ ଗୁରୁତ୍ୱାରୋପ କରାଯାଇଥିଲା। ଅଜଣା ଫୋନ କଲ  କିମ୍ବା ମେସେଜରେ କେହି ବିଶ୍ୱାସ ନକରି ଏହାର ସତ୍ୟତା ଜାଣିବା ପାଇଁ ଚେଷ୍ଟା କରିବା ଉଚିତ। ସେହିପରି ବ୍ୟାଙ୍କ ତଥ୍ୟ କିମ୍ବା ଓଟିପି ହଠାତ କାହାରିକୁ ନଦେବାକୁ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅନଲାଇନରେ ଠକେଇ ହେବାମାତ୍ରେ ହେଲ୍ପ ଲାଇନ ନମ୍ବର ୧୯୩୦ ରେ କଲକରି ଜଣାଇବାକୁ କୁହାଯାଇଥିଲା । ଏତଦବ୍ୟତୀତ ସୋସିଆଲ ମିଡ଼ିଆରେ ନକଲି ସନ୍ଦିଗ୍ଧ ପୋଷ୍ଟ ଦେଖିବା ମାତ୍ରେ ତୁରନ୍ତ ଥାନାକୁ ଜଣାଇବାକୁ ଆଇଆଇସି ପରାମର୍ଶ ଦେଇଥିଲେ । “ସଚେତନତା ହିଁ ସୁରକ୍ଷା ମନ୍ତ୍ର “କୁ ଅନୁସରଣ କରିବା ପାଇଁ ଛାତ୍ରୀ ଛାତ୍ର ମାନଙ୍କୁ ସଚେତନ କରାଯାଇଥିଲା। ସେହିପରି ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ମୋହରେ ବଶବର୍ତ୍ତୀ ହୋଇ ଆଧୁନିକ ଯୁବ ଛାତ୍ର ସମାଜ ପଥଭ୍ରଷ୍ଟ ହେବା ସହିତ ସେମାନଙ୍କୁ ନେଇ ମାତାପିତା ଦେଖିଥିବା ସ୍ବପ୍ନ ମଧ୍ୟ ଚୁରମାର ହୋଇଯାଉଥିବା ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଅବକାରୀ ଏବଂ ଏନଡିପିଏସ ଆକ୍ଟ ଭଳି ବିଭିନ୍ନ ନିଶା ବିରୋଧୀ ଆଇନରେ ରହିଥିବା ପ୍ରାବଧାନ ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା।ପୋଡ଼ାମାରି ଗ୍ରାମ ସ୍ଥିତ ଚୈତନ୍ୟବିଦ୍ୟାପୀଠ ପରିସରରେ ଆୟୋଜିତ ସଚେତନତା ସଭାରେ ପ୍ରଧାନଶିକ୍ଷକ ଟୁକୁନା ପ୍ରଧାନ ସଭାପତିତ୍ବ କରିଥିଲେ। ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ମୁଖ୍ୟଅତିଥି ଏବଂ ଏଏସଆଇ ପି.କେ.ବାଲିକାନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀ ଛାତ୍ର ମାନଙ୍କୁ ସାଇବର କ୍ରାଇମ୍ ରୁ ବର୍ତ୍ତିବା ସହ ନିଶାମୁକ୍ତ ଓଡ଼ିଶା ଅଭିଯାନ ସମ୍ପର୍କରେ ସଚେତନ କରିଥିଲେ। ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ