ସାଇବର ସଚେତନତା ଓ ନିଶାମୁକ୍ତ ଓଡିିଶା ଅଭିଯାନ
ଆସିକା (ୱାଇଏନ୍ଏସ୍) : ସାଂପ୍ରତିକ ପରିସ୍ଥିତିରେ ସାଇବର କ୍ରାଇମ ଏକ ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି । ଏହାକୁ ପ୍ରତିହତ କରିବା ପାଇଁ ସଚେତନତା ହିଁ ଏକମାତ୍ର ମାଧ୍ୟମ । ସଚେତନତା ହିଁ ସାଇବର ଠକେଇ ପ୍ରତିକାରର ଶକ୍ତିଶାଳୀ ଅସ୍ତ୍ର । ରାଜ୍ୟର କେତେକ ଅଞ୍ଚଳରେ ସାଇବର ଅପରାଧୀମାନଙ୍କ ଅର୍ଥହଡପ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିହା ସହ ସାଇବର ଅପରାଧୀମାନଙ୍କ ଦ୍ୱାରା ଅର୍ଥ ଠକେଇରୁ ମୁକ୍ତି ପାଇଁ ବରିଷ୍ଠ ନାଗରିକମାନଙ୍କୁ ସତର୍କ ଓ ସଚେତନ ସୃଷ୍ଟି କରିବା ଲକ୍ଷ୍ୟରେ ରବିବାର ଅପରାହ୍ନରେ ସ୍ଥାନୀୟ ବାଣିବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ଏକ ସାଇବର ଅପରାଧ ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗୃହ ବିଭାଗ ଏବଂ ଗଂଜାମ ଜିଲ୍ଲା ପୋଲିସ ପ୍ରଶାସନ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିବା ନିଶାମୁକ୍ତ ଓଡିଶା ଅଭିଯାନ ଏବଂ ସାଇବର ଅପରାଧ ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଭାପତି ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥ ସଭାପତିତ୍ୱ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ ଏବଂ ଥାନା ଅଧିକାରୀ ସୁଧୀର କୁମାର ସାହୁ ଓ ଆସିକା ଥାନାରେ ଏଏସ୍ଆଇ ବସନ୍ତ ବେହେରା ପ୍ରମୁଖ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ସାଇବର ଅପରାଧ ବ୍ଳାକ୍ମେଲିଂର ଏକ ମାଧ୍ୟମ ପାଲଟିଥିବା ବେଳେ ଏହାକୁ ପ୍ରତିହତ କରିବାର ସତର୍କ ଓ ସଚେତନତାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ରହିଥିବା ବେଳେ ଅଜଣା ଓଟିପି ନମ୍ବର ସେୟାର ନକରିବା ଓ ସାମାଜିକ ଗଣମାଧ୍ୟମରେ ଅଜଣା ବ୍ୟକ୍ତିଙ୍କ ବନ୍ଧୁତ୍ୱ ଅନୁରୋଧକୁ ଗ୍ରହଣ ନକରିବା, ନିଜର ବ୍ୟକ୍ତିଗତ ତଥ୍ୟକୁ ଅଜଣା ବ୍ୟକ୍ତିକୁ ନଜଣାଇ ସୁରକ୍ଷିତ ରଖିବାକୁ ଯତ୍ନଶୀଳ ହେବା, ଡିଜିଟାଲ୍ ପ୍ଳାଟଫର୍ମର ସୁରକ୍ଷିତ ବ୍ୟବହାର କରିବା, ଅଜଣା ଫୋନକଲ୍କୁ ଗ୍ରହଣ ନ କରିବା, ମୋବାଇଲ୍ରେ ଆସୁଥିବା ଅଜଣା ଲିଙ୍କ୍କୁ ନଖୋଲିବା, ଏଟିଏମ୍ କାର୍ଡର ପିନ୍କୁ କାହାରିକୁ ନଦେବା, ଅପରିଚିତ ବ୍ୟକ୍ତିଙ୍କ କଥାରେ ପ୍ରଲୋଭିତ ନହୋଇ ନିଜ ବ୍ୟାଙ୍କ ଏକାଉଣ୍ଟ ନମ୍ବର, ଓଟିପି ଓ ଆଧାର କାର୍ଡ ନମ୍ବର କାହାରିକୁ ନଦେବା, ସାଇବର ଠକେଇରୁ ଦୂରେଇ ରହିବା, ଠକାମୀର ଶୀକାର ହେଲେ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ର ସହାୟତା ନେବା, ମୋବାଇଲ୍ ଫୋନ ବ୍ୟବହାର ସମୟରେ ଆକର୍ଷଣ ସୁବିଧା ଦେଉଥିବା ଆପ୍ ସମ୍ବନ୍ଧରେ ନଜାଣି କ୍ଳିକ୍ କରିବା, ଅନ୍ଲାଇନ୍ ଓ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର କରିବା, ଅଜଣା ନମ୍ବରରୁ ଆସୁଥିବା ଫୋନ୍ କଲ୍, ଭିଡିଓ କଲ୍, ଅନ୍ଲାଇନ୍କୁ ବିଶ୍ୱାସ ନକରିବା, ଡିଜିଟାଲ୍ ଆରେଷ୍ଟକୁ ନେଇ ଭୟଭୀତ ନ ହେବା ସମେତ ସାଇବର ଅପରାଧରୁ ଦୂରେଇ ରହିବା ପାଇଁ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିଲେ । ଆସିକା ପୌର ପରିଷଦ ଅଧିନସ୍ଥ ବାଣିବିହାରସ୍ଥ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି ସାଇବର ଅପରାଧ ଏବଂ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଉତ୍ତର ପରିଡା, ମିହିରକାନ୍ତ ମହାପାତ୍ର, ରାମଶରଣ ମହାପାତ୍ର, ବନମାଳୀ ସାମନ୍ତରାୟ, ପିତବାସ ପାଢୀ, ବିଜୟ କୁମାର ଜେନା, ଭି.କ୍ରିଷ୍ଣାସ୍ୱାମୀ ରାଓ, ଲକ୍ଷ୍ମଣ ବେହେରା, ଶିବରାମ ନାହାକ, ରମେଶ ଚନ୍ଦ୍ର ମହାରଣା, ଦେବରାଜ ମିଶ୍ର, ଗୋପୀନାଥ ଦାଶ, ଭଗବାନ ରାଉତ, ନୃସିଂହନାଥ ଦାଶ, ସୁଦର୍ଶନ ଭଂଜ, ସୁରଥ କୁମାର ପରିଡା, ଶୁକଦେବ ରାଉତ, ଜି.ବାଲାକ୍ରିଷ୍ଣା ରାଓଙ୍କ ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


