ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟାଳୟ ଉଦଘାଟିତ
ହିଞ୍ଜିଳିକାଟ(ଶେଷଦେବ ସାହୁ) : ସିପିଆଇ (ଏମ) ଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀଙ୍କ ପକ୍ଷରୁ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ସକାଶେ ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ଠାରେ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।ଆସିକା ସଂସଦୀୟ କ୍ଷେତ୍ରର ଲୋକସଭା ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ରିବନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର, ସାରା ଭାରତବାସୀଙ୍କୁ କିପରି ଭୂଆଁ ବୁଲାଉଛନ୍ତି, ଏବଂ ମିଛ କଥା କହି ଭାରତର ଜନସାଧାରଣଙ୍କୁ ଠକିବାରେ ଲାଗିଛନ୍ତି । ବିଜେପି ସରକାରଙ୍କୁ ବିରୋଧ କରାଯିବା ସହ ରାଜ୍ୟରେ ବିଜେଡ଼ି ସରକାରଙ୍କ ବେକାରୀ ବୃଦ୍ଧି, ଚାଷୀଙ୍କ ସମସ୍ୟା, ଶୀତଳ ଭଣ୍ଡାର ସ୍ଥାପନ, ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କର୍ମଚାରୀ ଅଭାବ, ଶିକ୍ଷାନୁଷ୍ଠାନରେ ଶିକ୍ଷକ, ଶିକ୍ଷୟତ୍ରୀ ମରୁଡ଼ି ସହ ଡ଼ାକ୍ତରଖାନାରେ ଚିକିତ୍ସକଙ୍କ ଅଭାବ ରହିଥିଲେ ମଧ୍ୟ ରାଜ୍ୟ ସରକାର ସମ୍ପୂଣ୍ଣ ଅନ୍ଧ ପାଲଟି ଯାଇଛନ୍ତି ବୋଲି ପଣ୍ଡା କହିଥିଲେ । ଚଳିତ ନିର୍ବାଚନରେ ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କିଶାନ ମଜଦୁର ସଙ୍ଘର ସଭାପତି ରାମ ନାରାୟଣ ବିଶ୍ୱାସରାୟ, ହିଞ୍ଜିଳି ବିଧାନସଭା ଆସନ ସକାଶେ ଦଳୀୟ ଟିକେଟରୁ ବଂଚିତ ଥିବା ଆଶାୟୀ ବିଧାୟକ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା, ବ୍ଳକ କଂଗ୍ରେସ ସଭାପତି ପଦ୍ମ ଚରଣ ସାହୁ, ସିପିଆଇ ନେତ୍ରୀ ଚିନ୍ମୟ ସାହାଣୀ, ଲଳିତ ମୋହନ ଦାସ, ପଂଚାନନ ସ୍ୱାଇଁ, ବିଦ୍ୟାଧର ସ୍ୱାଇଁ, କବିରାଜ ପ୍ରଧାନ, ପର୍ଶୁରାମ ସାହୁ, ମନୋଜ ସୁଆଁସିଆଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


