୧୧୧ ବର୍ଷରେ ପଦାର୍ପଣ କରିବ ଆସିକା କୃଷ୍ଣସିଂହ ପାଠାଗାର ଗଣେଶ ପୂଜା

ଆସିକା(ୱାଇଏନ୍‍ଏସ୍‍) : ଆସନ୍ତା ୧୪ ତାରିଖ ସୋମବାର ଦିନ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ପାଳିତ ହେବ ଅଗ୍ରପୂଜ୍ୟ ଗଣେଶ ପୂଜା । ପୂଜା ମଣ୍ଡପ ଗୁଡିକରେ ବିରାଜିବେ ବିଘ୍ନରାଜ । ଗଣେଶ ପୂଜା ପାଇଁ ଆଉମାତ୍ର ହାତରେ ମାତ୍ର ଏକ ସପ୍ତାହ ବାକି ଥିବା ବେଳେ ପୂଜା ପ୍ରସ୍ତୁତିରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ଗୋଟିଏ ପଟେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ କାରିଗର ବ୍ୟସ୍ତ ଥିଲା ବେଳେ ଅନ୍ୟପଟେ ପୂଜାମଣ୍ଡପ ଗୁଡିକ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜାକମିଟିର କର୍ମକର୍ତ୍ତା ଲାଗିପଡିଛନ୍ତି । ଆସିକା ସହରର ଅନ୍ୟତମ ପୁରାତନ ପୂଜା ମଣ୍ଡପ ଭାବେ ପରିଚିତ ୧୪ ନମ୍ବର ୱାର୍ଡର ନିରଞ୍ଜନ ନଗରର କୃଷ୍ଣସିଂହ ପାଠାଗାରର ଶ୍ରୀ ଶ୍ରୀ ଗଣେଶ ପୂଜା କମିଟିର ଚଳିତ ବର୍ଷ ୧୧୧ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା କୁହାଯାଉଛି । କୃଷ୍ଣସିଂହ ପାଠାଗାରର ଏହି ପୁରାତନ ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ଦୀର୍ଘ ୧୧୦ ବର୍ଷ ଧରି ଗଣେଶ ପୂଜା ଆୟୋଜନ କରାଯିବା ସାଙ୍ଗକୁ ରୀତିନୀତି ଅନୁସାରେ ଗଜାନନଙ୍କ ପୂଜା କରାଯାଉଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ପୌର ପରିଷଦ ଅଧୀନସ୍ଥ ୧୪ ନମ୍ବର ୱାର୍ଡର ନିରଞ୍ଜନଗରର କୃଷ୍ଣସିଂହ ପାଠାଗାରରେ ଶ୍ରୀ ଶ୍ରୀ ଗଣେଶ ପୂଜା କମିଟି ପକ୍ଷରୁ ମୂର୍ତ୍ତି ନିର୍ମାଣ ଓ ତୋରଣ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ଗଣେଶ ପୂଜାକୁ ନେଇ ମୂର୍ତ୍ତି କାରିଗରଙ୍କ ଠାରୁ ଆରମ୍ଭ କରି ପୂଜା ଆୟୋଜକଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ଦେଖିବାକୁ ମିଳୁଛି । କୃଷ୍ଣସିଂହ ପାଠାଗାରର ପରିଚାଳନା କମିଟିର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା, ପୂର୍ବତନ ସଂପାଦକ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ରଥ, ସଭାପତି ତଥା ଆଇନଜୀବୀ କେ.ବ୍ରହ୍ମାନନ୍ଦ ରାଓ, ଉପସଭାପତି ଏମ୍‍.ତାରିଣୀ ସେନାପତି, ସଂପାଦକ ସୁରେନ୍ଦ୍ରନାଥ ସାହୁ, କମିଟିର ସକ୍ରିୟ ସଦସ୍ୟ ଅନିଲ୍‍ କୁମାର ପାଣିଗ୍ରାହୀ, ଦଣ୍ଡପାଣି ବେହେରା, ପ୍ରଭାକର ବେହେରା, ରବିନ୍ଦ୍ର ବେହେରା, ଅଜିତ୍‍ କୁମାର ଦାଶ, ଏଲ୍‍.ପ୍ରସାଦ ଆଚାରୀ, ଏମ୍‍.ମୁରଲି ରାଓ, ବାବୁ ରାଓ, ଜି.ସୂର୍ଯ୍ୟପ୍ରକାଶ ରାଓ, ଏମ୍‍.ସାଇ ରାଓ, ମଣ୍ଟୁ ବେହେରା, ପି.ରାମୁ ଆଚାରୀ, ଏମ୍‍.କ୍ରିଷ୍ଣା, ଏମ୍‍.ରାମୁ, ଏନ୍‍.କାମେଶ୍ୱର ଆଚାରୀ, କେ.ଭି.ମୁରଲୀକ୍ରିଷ୍ଣା, ଓମ୍‍ ଆଚାରୀଙ୍କ ସମେତ ଆଗ୍ରହୀ ଯୁବପିଢୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗରେ ଚଳିତବର୍ଷ ଧୁମ୍‍ଧାମରେ ଗଣେଶ ପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଦେଶ ସ୍ୱାଧୀନତା ପୂର୍ବରୁ ୧୯୧୬ ମସିହାରେ ସ୍ଥାପିତ ହୋଇଇଥିବା କୃଷ୍ଣସିଂହ ପାଠାଗାରରେ ବିଭିନ୍ନ ସମୟରେ ଉତ୍ସାହ ଯୁବପିଢୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ସର୍ବପ୍ରଥମେ ଗଣେଶ ପୂଜା ଆରମ୍ଭ ହୋଇଥିଲା ବୋଲି କମିଟିର ଉପସଭାପତି ଏମ୍‍.ତାରିଣୀ ସେନାପତି ସୂଚନା ଦେଇଛନ୍ତି । ଆସନ୍ତା ୧୪ ତାରିଖରେ ସମବାୟ ନଗରୀ ଆସିକାର ବିଭିନ୍ନ ସାହିବସ୍ତିରେ ବିଦ୍ୟମାନ ହେବେ ଅଗ୍ରପୂଜ୍ୟ ବିନାୟକ । ଆସିକା ସହରର ଇତିହାସ ଯେତେ ପୁରୁଣା ଆଡମ୍ବର ସହ ଗଣେଶ ପୂଜା ଆୟୋଜନ କରିବାରେ ଯୁବ ପିଢୀଙ୍କ ଉତ୍ସାହ ମଧ୍ୟ ସେତିରି ନିଆରା । ଆସିକା ସହରର ଅନ୍ୟତମ ସର୍ବପୁରାତନ କୃଷ୍ଣସିଂହ ପାଠାଗାର ଶ୍ରୀ ଶ୍ରୀ ଗଣେଶ ପୂଜା କମିଟିର ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଗଣେଶ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ପାଖେଇ ଆସୁଛି ଭାଦ୍ରବ କୃଷ୍ଣପକ୍ଷ ଚତୁର୍ଥୀ ତିଥି । ଧରାବତରଣ କରିବେ ପ୍ରଭୂ ଗଜାନନ । ଆଉ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ହେବ ଉତ୍ସବ ମୁଖର । ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜାପାଇଁ ବିଭିନ୍ନ ପୂଜାମଣ୍ଡପ ଗୁଡିକରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜା ସକାଶେ ଏବେଠୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ